Image Courtesy of ANI
ମୁମ୍ବାଇ: ଗୌହାଟୀ ଯାଇ ଏକନାଥ ସିନ୍ଦେ ଏବଂ ଅନ୍ୟାନ୍ୟ ବିଦ୍ରୋହୀ ବିଧାୟକମାନଙ୍କ ସହିତ ଯୋଗ ଦେବା ପାଇଁ ତାଙ୍କୁ ମଧ୍ୟ ପ୍ରସ୍ତାବ ମିଳିଥିଲା ବୋଲି ଆଜି ‘ଶିବସେନା’ ସାଂସଦ ସଞ୍ଜୟ ରାଉତ କହିଛନ୍ତି।
କିନ୍ତୁ, ‘ଶିବସେନା’ର ସଂସ୍ଥାପକ ବାଲାସାହେବ ଠାକ୍ରେଙ୍କ ଅନୁଗାମୀ ହୋଇଥିବାରୁ ଉକ୍ତ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ ବୋଲି ସେ କହିଛନ୍ତି।
ତାଙ୍କ ବକ୍ତବ୍ୟରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ଲେଖିଛି: ଗୌହାଟୀ ପାଇଁ ମୁଁ ମଧ୍ୟ ‘ଅଫର୍’ ପାଇଥିଲି, କିନ୍ତୁ ମୁଁ ବାଲାସାହେବ ଠାକ୍ରେଙ୍କ ଅନୁଗାମୀ ହୋଇଥିବାରୁ ସେଠାକୁ ଗଲିନାହିଁ। ସତ୍ୟ ଆପଣଙ୍କ ପଟରେ ଥିଲେ, ଡର କ’ଣ?
Image Courtesy of NDTVସେପଟେ, ‘ମନି-ଲଣ୍ଡରିଙ୍ଗ୍’ ତଦନ୍ତରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜେରା କରିଥିଲା। ସେ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ସେ କହିଛନ୍ତି, ଗୋଟାଏ ତଦନ୍ତକାରୀ ଏଜେନ୍ସି ଡାକରା ଦେଇଥିବା ବେଳେ ଜଣେ ଦାୟିତ୍ବବାନ ନାଗରିକ ଏବଂ ସାଂସଦ ଭାବରେ ହାଜର ହେବା ମୋର କର୍ତ୍ତବ୍ୟ। କିନ୍ତୁ, ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ସମୟ ନିର୍ଘଣ୍ଟ ଅସୁବିଧା କରୁଛି। କିନ୍ତୁ, ସେଥିରେ ବି ପ୍ରବର୍ତ୍ତନ ନିର୍ଦେଶାଳୟ ସନ୍ଦେହ କରୁଛି। ସେମାନଙ୍କ ଅଧିକାରୀମାନେ ମୋ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କଲେ। ଆବଶ୍ୟକ ହେଲେ ଆସିବି ବୋଲି ମୁଁ ସେମାନଙ୍କୁ କହିଛି।
୧୬ଜଣ ବିଦ୍ରୋହୀ ବିଧାୟକଙ୍କୁ ‘ଶିବସେନା’ ଅଯୋଗ୍ୟ ଘୋଷଣା କରିବା ସହ ବିଧାନସଭାରେ ଦଳର ନେତା ପଦରୁ ସିନ୍ଦେଙ୍କୁ ବହିଷ୍କାର କରିଥିଲା। ଉଲ୍ଲେଖଯୋଗ୍ୟ, ଜୁଲାଇ ୪ ତାରିଖରେ ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେଙ୍କ ସରକାର ଆସ୍ଥା ଭୋଟ୍ର ସମ୍ମୁଖୀନ ହେବ।
Follow Us