Image Courtesy of NDTV
ୱାଶିଂଟନ : ବିଶ୍ବତାପନ ଓ ତୈଳ ବିଶୋଧନାଗାର-ଜନିତ ପ୍ରଦୂଷଣ ବିଷୟରେ କହୁକହୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଦେଲେ ଯେ ତାଙ୍କର କ୍ୟାନସର ହୋଇଛି। ଏହା ଉପରେ ପରେ ହ୍ବାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ବାଇଡେନ ରାଷ୍ଟ୍ରପତି ହେବା ପୂର୍ବରୁ ତାଙ୍କର ଚର୍ମ କର୍କଟର ସଫଳ ଚିକିତ୍ସା କରାଇଥିଲେ। ପରିବେଶ ପ୍ରଦୂଷଣ ଯୋଗୁ ଅନେକ ଲୋକଙ୍କୁ କ୍ୟାନସର ହେବା କଥା କହିବା ବେଳେ ସେ ନିଜର ସେହି ଭଲ ହୋଇ ସାରିଥିବା ଚର୍ମ କର୍କଟ ବିଷୟରେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ ବାଇଡେନ ତାଙ୍କ ଭାଷଣ ବେଳେ କହିଥିଲେ ଯେ ଡେଲାୱେର ଅନ୍ତର୍ଗତ କ୍ଲେମଣ୍ଟ ପାଖରେ ଥିବା ତୈଳ ବିଶୋଧନାଗାର ନିକଟରେ ତାଙ୍କର ଜନ୍ମ। ଏହି ବିଶୋଧନାଗାର ଯୋଗୁ ଅଞ୍ଚଳର ବାୟୁମଣ୍ଡଳ ପ୍ରଦୂଷିତ। ସେଥିପାଇଁ ସେ ଓ ଅଞ୍ଚଳର ବହୁ ଲୋକ କ୍ୟାନସରରେ ପୀଡ଼ିତ। ଡେଲାୱେର ଅଞ୍ଚଳରେ କ୍ୟାନସର ରୋଗର ହାର ଦେଶରେ ସର୍ବାଧିକ। ମାସାଚୁସେଟ୍ସ-ସ୍ଥିତ ପୂର୍ବ କୋଇଲା ଖଣି ଅଞ୍ଚଳ ଗସ୍ତ କରିବା ଅବସରରେ ବାଇଡେନ ଏହା କହିଥିଲେ। ଏହାପରେ ସାମାଜିକ ଗଣମାଧ୍ୟମରେ ବହୁ ଲୋକ ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
  
 Follow Us