‘୧୯୯୧ରେ ଜାଲିଆତି ଯୋଗୁ ହାରିଥିଲି’; ‘ଭୋଟ୍ ଚୋରି’ ଅଭିଯୋଗ କରୁଥିବା କଂଗ୍ରେସକୁ ସିଦ୍ଦରମୈୟାଙ୍କ ଝଟକା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୧୯୯୧ ଲୋକସଭା ନିର୍ବାଚନରେ ‘ଜାଲିଆତି’ ଯୋଗୁ ହାରିଯାଇଥିବା କହିବା ପରେ ବିହାର ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ ନିର୍ବାଚନ ଆୟୋଗ ‘ମିଳିତ ଭାବେ’ ଭୋଟର ଜାଲିଆତିରେ ସମ୍ପୃକ୍ତ ବୋଲି ଅଭିଯୋଗ ଆଣିଥିବା କଂଗ୍ରେସକୁ ଝଟକା ଲାଗିଛି।

siddhiramaya

Photograph: (AajTak)

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୧୯୯୧ ଲୋକସଭା ନିର୍ବାଚନରେ ‘ଜାଲିଆତି’ ଯୋଗୁ ହାରିଯାଇଥିବା କହିବା ପରେ ବିହାର ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ ନିର୍ବାଚନ ଆୟୋଗ ‘ମିଳିତ ଭାବେ’ ଭୋଟର ଜାଲିଆତିରେ ସମ୍ପୃକ୍ତ ବୋଲି ଅଭିଯୋଗ ଆଣିଥିବା କଂଗ୍ରେସକୁ ଝଟକା ଲାଗିଛି। ୩୪ ବର୍ଷ ପୂର୍ବେ ସିଦ୍ଦରମୈୟା ଉତ୍ତର କର୍ଣ୍ଣାଟକର କୋପ୍ପାଲରୁ ଜନତା ଦଳ ସେକ୍ୟୁଲାର ପ୍ରାର୍ଥୀ ଥିଲେ। ୧୯୮୯ ନିର୍ବାଚନରେ ଜେଡିଏସ୍ ଟିକେଟରେ ଏହି ଆସନରୁ ବିଜୟୀ ହେବା ପରେ ୧୯୯୧ ନିର୍ବାଚନରେ ଦଳବଦଳ କରି କଂଗ୍ରେସରେ ଯୋଗ ଦେଇଥିବା ବସବରାଜ ପାଟିଲ ଅନଵାରିଙ୍କ ବିପକ୍ଷରେ ତାଙ୍କର ମୁକାବିଲା ହୋଇଥିଲା। ଅନୱାରିଙ୍କୁ ୨.୪୧ ଲକ୍ଷ ଭୋଟ୍ ମିଳିବା ସହ ୧୧,୨୦୦ରୁ କମ୍ ଭୋଟ ବ୍ୟବଧାନରେ ବିଜୟୀ ହେବାର ଶ୍ରେୟ ମିଳିଥିଲା। ପରେ ସିଦ୍ଦରମୈୟା କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ଦାୟର କରି ୨୨,୨୪୩ ଖଣ୍ଡ ଭୋଟ୍ ନାକଚ କରିବାକୁ ଗଣତି ଅଧିକାରୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେଥିରୁ ସେ ଅଧିକାଂଶ ଭୋଟ୍ ପାଇଥାନ୍ତେ ବୋଲି ଦାବି କରିଛନ୍ତି। ଦଳବଦଳ କାରଣରୁ ବାଚସ୍ପତି ତାଙ୍କୁ ପୂର୍ବ ଲୋକସଭାରୁ ଅଯୋଗ୍ୟ ଘୋଷଣା କରିଥିବାରୁ ଅନଵାରିଙ୍କ ପ୍ରାର୍ଥିତ୍ୱ ବେଆଇନ ବୋଲି ମଧ୍ୟ ସିଦ୍ଦରମୈୟା ଯୁକ୍ତି ବାଢ଼ିଥିଲେ। 

ସିଦ୍ଦରମୈୟାଙ୍କ ଏହି ଅଭିଯୋଗ ପରେ ବିଜେପିର ଅମିତ ମାଲବ୍ୟ ଏକାଧିକ ଏକ୍ସ ପୋଷ୍ଟରେ କଂଗ୍ରେସକୁ କଡ଼ା ସମାଲୋଚନା କରି ଲେଖିଛନ୍ତି, ‘ଏହା ଏକ ବିଡ଼ମ୍ବନା- ଯେଉଁ ବ୍ୟକ୍ତି ଏକଦା କଂଗ୍ରେସର ‘ଭୋଟ୍ ଚୋରି’ ବିରୋଧରେ ଲଢ଼ିଥିଲେ, ସେ ଆଜି ସେମାନଙ୍କ ମୁଖ୍ୟମନ୍ତ୍ରୀ ଏବଂ ‘ଭୋଟ୍ ଅଧିକାର’ ରାଲିର ନେତୃତ୍ୱ ନେଉଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜେ ସ୍ୱୀକାର କରିଛନ୍ତି ଯେ, ସେ ୧୯୯୧ କୋପ୍ପାଲ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ନିର୍ବାଚନୀ ଠକେଇର ଶିକାର ହୋଇଥିଲେ। ସେପଟେ ସିଦ୍ଧରମୈୟାଙ୍କ ମନ୍ତବ୍ୟକୁ କଂଗ୍ରେସ ଖଣ୍ଡନ କରିଛି। ଶିବାଜୀନଗର ବିଧାୟକ ରିଜୱାନ ଅର୍ଶଦ କହିଛନ୍ତି, ବିଜେପି ନିଜକୁ ରକ୍ଷା କରିବା ପାଇଁ ୩୦ ବର୍ଷ ତଳର ଘଟଣାକୁ ଉଠାଉଛି। ସିଦ୍ଦରମୈୟା ଜେଡିଏସ୍‌ର ତତ୍କାଳୀନ ବିଧାୟକଙ୍କ ମଧ୍ୟରେ ଥିବା ସମସ୍ୟା ବିଷୟରେ କହୁଛନ୍ତି। କିନ୍ତୁ ଏବେ ନିର୍ବାଚନ ଆୟୋଗ ବିଜେପି ନିୟନ୍ତ୍ରଣରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe