ଆମେରିକା ଭାରତକୁ ଭଲପାଏ, ସମ୍ମାନ କରେ ଏବଂ ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ : ରାଷ୍ଟପତି ଟ୍ରମ୍ପ

Advertisment
ଆମେରିକା ଭାରତକୁ ଭଲପାଏ, ସମ୍ମାନ କରେ ଏବଂ ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ : ରାଷ୍ଟପତି  ଟ୍ରମ୍ପ

ଅହମ୍ମଦାବାଦ: ‘ଭାରତ ଲାଗି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆମେରିକା ଭାରତକୁ ଭଲପାଏ, ସମ୍ମାନ କରେ ଏବଂ ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ।’ ଅହମଦାବାଦସ୍ଥିତ ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍‌ରେ ୧.୨୫ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

publive-image Economics Times

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ ଭାଷଣ ପରେ ନିଜର ଦୀର୍ଘ ଅଭିଭାଷଣ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ଭାରତବାସୀ ମତେ ଏଠାରେ ଯେଉଁ ସ୍ୱାଗତ ଦେଇଛନ୍ତି ତାହା ମୋର ସାରା ଜୀବନ ମନେରହିବ। ଭାରତୀୟମାନଙ୍କ ଆତିଥ୍ୟ ମତେ ଅଭିଭୂତ କରିଛି। ଏହି ଆତିଥ୍ୟ ଆମେରିକୀୟଙ୍କ ଲାଗି  ମଧ୍ୟ  ଏକ ଗୌରବର ବିଷୟ। ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର, ଅନ୍ୟତମ ବୃହତ୍ତମ ଅର୍ଥନୀତି ଏବଂ ଏକ ଶକ୍ତିଶାଳୀ ରାଷ୍ଟ୍ର। ଭାରତୀୟମାନେ ଶାନ୍ତିପ୍ରିୟ, ଗଣତାନ୍ତ୍ରିକ ମନୋଭାବ ସମ୍ପନ୍ନ। ଏଣୁ ଭାରତ-ଆମେରିକା ବନ୍ଧୁତ୍ୱ ଦୀର୍ଘଜୀବୀ ହେବ ବୋଲି ଆଶା ପ୍ରକାଶ କରୁଛି।’

ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଅଭିଭାଷଣରେ ଭାରତର ଧର୍ମ ନିରପେକ୍ଷତା ଏବଂ  ଭିନ୍ନତା ଭିତରେ ଏକତା ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଥିଲେ, ଭାରତରେ ହିନ୍ଦୁ, ମୁସଲମାନ୍‌, ଖ୍ରୀଷ୍ଟିଆନ୍‌, ଶିଖ, ଜିଉ ଓ ଅନ୍ୟ ଧର୍ମାବଲମ୍ବୀ ଶାନ୍ତିର ସହ ସହବାସ୍ଥାନ କରୁଛନ୍ତି। ଏଠାରେ ୧୦୦ଟି ଭାଷାରେ ଲୋକେ କଥାବାର୍ତ୍ତା ହେଉଥିବା ବେଳେ ସମସ୍ତେ କିନ୍ତୁ ଗୋଟିଏ ରାଷ୍ଟ୍ରର ନାଗରିକ। କେବଳ ସେତିକି ନୁହେଁ, ଭାରତୀୟ ସଂସ୍କୃତିକ ପରମ୍ପରା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଟ୍ରମ୍ପ। ଆଲୋକର ପର୍ବ ଦୀପାବଳି ଓ ରଙ୍ଗର ପର୍ବ ହୋଲିର ତାତ୍ପର୍ଯ୍ୟ ବି ସଂକ୍ଷେପରେ ବର୍ଣ୍ଣନା କରିବାକୁ ଭୁଲି ନ ଥିଲେ ଟ୍ରମ୍ଫ । ଏଥିସହ ସେ ସ୍ୱାମୀ ବିବେକାନନ୍ଦଙ୍କର ପ୍ରସିଦ୍ଧ ଚିକାଗୋ ବକ୍ତୃତାର ଏକ ଧାଡ଼ିକୁ ଉଲ୍ଲେଖ କରିଥିଲେ। ଆମେରିକା ଓ ଭାରତୀୟମାନେ ସବୁବେଳେ ଉତ୍କର୍ଷର ପୂଜାରୀ । ଆମେରିକା ଓ ଭାରତ ଏକତ୍ର ହୋଇ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ ଓ ପୂର୍ଣ୍ଣତା ପ୍ରାପ୍ତି ଦିଗରେ କାର୍ଯ୍ୟ କରିବେ। ପୃଥିବୀର ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ଭିତରେ ବହୁ ସାମଞ୍ଜସ୍ୟ ରହିଛି, ତେଣୁ ଭାରତ-ଆମେରିକା ସମ୍ପର୍କ ଦୀର୍ଘସ୍ଥାୟୀ ହେବ।

ଉପସ୍ଥିତ ଲକ୍ଷାଧିକ ଭାରତୀୟଙ୍କ ମନଜିଣିବା ଲାଗି ରାଷ୍ଟ୍ରପତି ଟ୍ରମ୍ପ ହିନ୍ଦୀ ଫିଲ୍ମ ଶିଳ୍ପ ଓ କ୍ରିକେଟ ନେଇ ମନ୍ତବ୍ୟ ରଖିଥିଲେ। ସେ ବର୍ଷକୁ ୨୦୦୦ ଚଳଚ୍ଚିତ୍ର ତିଆରି କରୁଥିବା ବଲିଉଡ ବିଶ୍ୱର ଅନ୍ୟତମ ବୃହତ ସିନେ-ଶିଳ୍ପ ବୋଲି କହିବା ସହ ସାରା ପୃଥିବୀର ଦର୍ଶକଙ୍କ ମନ ଜିଣିଥିବା ‘ଦିଲଓ୍ଵାଲେ ଦୁଲହନିଆ ଲେ ଯାଏଙ୍ଗେ’ ଫିଲ୍ମର ନାମ ଉଲ୍ଲେଖ କରିଥିଲେ। ସେହିପରି ମୋଟେରା ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ଭାବେ ଅଭିହିତ କରି ସଚିନ୍‌ ତେନ୍ଦୁଲକରଙ୍କଠାରୁ ବିରାଟ କୋହଲିଙ୍କ ପର୍ଯ୍ୟନ୍ତ କ୍ରିକେଟରଙ୍କୁ ସ୍ମରଣ କରିଥିଲେ।

publive-image

ଏଥିସହ ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ରାଷ୍ଟ୍ରବାଦକୁ ପ୍ରଶଂସା କରିଥିଲେ। ସେ ‘ମାନବବାଦ’ର ପ୍ରଚାର-ପ୍ରସାର ଲାଗି ପ୍ରସିଦ୍ଧ ଭାରତ ମାତ୍ର ୭୦ବର୍ଷ ଭିତରେ ବହୁ ଉନ୍ନତି କରିଛି ବୋଲି ମନ୍ତବ୍ୟ ରଖିବା ସହ ଭାରତର ଅର୍ଥନୀତି ଗୋଟିଏ ଦଶନ୍ଧି ମଧ୍ୟରେ ୬ଗୁଣ ବୃଦ୍ଧି ପାଇଛି  ଓ ଏହା ଏକ ବିଶାଳ ଅର୍ଥନୀତିରେ ପରିଣତ ହୋଇଛି। ଭାରତ ସମଗ୍ର ବିଶ୍ୱଲାଗି ଏକ ଉଦାହରଣ। ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତକୁ ଆମେରିକା ସହଯୋଗ କରିବ ଓ ଭାରତକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବ ବୋଲି ସୂଚନା ଦେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ।ଅଭିଭ‌ାଷର କ୍ରମରେ ସେ  ଭାରତର ବିକାଶ ଚିତ୍ରମଧ୍ୟ ଉପସ୍ଥାପିତ କରିଥିଲେ। ସବୁ ଘରକୁ ବିଜୁଳୀ ସଂଯୋଗ, କ୍ରମବର୍ଦ୍ଧିଷ୍ଣ ଇଣ୍ଟରବେଟ ବ୍ୟବହାର ଓ ସ୍ବଚ୍ଛତା ଅଭିଯାନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।

ଶେଷରେ ସେ ଭାରତୀୟମାନଙ୍କୁ ‘ବୁଦ୍ଧିମାନ’ କହିବା ସହ ସେମାନେ ପାରଦର୍ଶିତା ହାସଲ କରି ପୃଥିବୀରେ ପ୍ରସିଦ୍ଧି ପାଇଛନ୍ତି, ଏଥିସହ ଭାରତ ବହୁ ପୁରାତନ କାଳରୁ ଜ୍ଞାନର ଭଣ୍ଡାର ହୋଇ ରହି ଆସିଛି  ବୋଲି ରାଷ୍ଟ୍ରପତି କହିଥିଲେ।  ଟ୍ରମ୍ପଙ୍କ ଦୀର୍ଘ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe