ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଖୋଲା ପଡ଼ିଆରେ ବାୟୁସେନାର ହେଲିକପ୍ଟର କଲା ସତର୍କତାମୂଳକ ଅବତରଣ

ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଖୋଲା ପଡ଼ିଆରେ ବାୟୁସେନାର ହେଲିକପ୍ଟର କଲା ସତର୍କତାମୂଳକ ଅବତରଣ

NDTV

ଲକ୍ଷ୍ନୌ: ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଆଜି ଅପରାହ୍ନରେ ଉତ୍ତରପ୍ରଦେଶ ସାହାରନପୁରର ଏକ ଖୋଲା ପଡ଼ିଆରେ ଅବତରଣ କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ହେଲିକପ୍ଟରଟି ଖୋଲା ପଡ଼ିଆରେ ଅବତରଣ କରିବା ପରେ ତାକୁ ଦେଖିବା ପାଇଁ ସେଠାରେ ବହୁ ଲୋକଙ୍କ ସମାଗମ ଘଟିଥିଲା।

ଅନ୍ୟପକ୍ଷରେ ବାୟୁସେନା ପକ୍ଷରୁ ଏହି ଘଟଣା ସଂପର୍କରେ କୁହାଯାଇଛି ଯେ ଧ୍ରୁଭ ଆଡଭାନ୍‌ସ ଲାଇଟ ହେଲିକପ୍ଟର ଏକ ରୁଟିନ୍‌ ଟ୍ରେନିଂ ମିଶନରେ ଉଡ଼ାଣ ଭରିଥିବା ସମୟରେ ବିମାନରେ ମଝି ଆକାଶରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ସତର୍କତା ମୂଳକ ପଦକ୍ଷେପ ନେଇ ହେଲିକପ୍ଟରଟିକୁ ସାହାରନପୁରର ଖୋଲା ପଡ଼ିଆରେ ଅବତରଣ କରାଯାଇଥିଲା।

ଭାରତୀୟ ବାୟୁସେନାର ଏହି ଆଡଭାନ୍‌ସଡ ଲାଇଟ୍‌ ହେଲିକପ୍ଟରଟି ନିୟମିତ ତାଲିମ ଅଭିଯାନରେ ସାରସାୱା ବାୟୁସେନା ଘାଟୀରୁ ଉଡ଼ାଣ ଭରିଥିଲା। ତେବେ, ସାରସାୱା ଠାରୁ ପ୍ରାୟ ୩୦ କିଲୋମିଟର ଉଡ଼ାଣ ଭରିବା ପରେ ହେଲିକପ୍ଟରଟିର ଇଞ୍ଜିନ୍‌ଟିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଯେଉଁଥି ପାଇଁ ପାଇଲଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ହେଲିକପ୍ଟରଟିକୁ ଏକ ଖୋଲା ପଡ଼ିଆରେ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାରେ କାହାରି କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ଘଟଣା ସଂପର୍କରେ ଜାଣିବା ପରେ ସାରସାୱା ବିମାନ ଘାଟୀର ଅଧିକାରୀମାନେ ଯାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଧ୍ରୁଭ ଆଡଭାନ୍‌ସ ଲାଇଟ ହେଲିକପ୍ଟର ଅବତରଣ କରିଥିବା ଖୋଲା ପଡ଼ିଆକୁ ଏବେ ସୁରକ୍ଷା ଅଧିକାରୀମାନେ କର୍ଡନ କରିଛନ୍ତି। ଏବଂ ବାୟୁସେନାର ହେଲିକପ୍ଟରକୁ ଦେଖିବା ପାଇଁ ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ ଭିଡ଼ ଜମାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe