Image Courtesy of Hans India
ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ‘ଆଇଏସ୍ଆଇ’କୁ ‘ଆଇଏଏଫ୍’ର ଗୁପ୍ତ ଦଲିଲ୍ର ବିବରଣୀ ହସ୍ତାନ୍ତର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଗ୍ରୁପ୍ କ୍ୟାପ୍ଟେନ୍ ଅରୁଣ ମାରଓ୍ଵାହାଙ୍କୁ ଗିରଫ କରିଛି। ଗିରଫଦାରି କଥାକୁ ସ୍ପେଶାଲ୍ ସେଲ୍ ଡିସିପି ପ୍ରମୋଦ ଖୁସ୍ଓ୍ଵାହ ନିଶ୍ଚିତ କରିଛନ୍ତି। ୫୧ ବର୍ଷିୟ ମାର୍ଓ୍ଵାହା ନିଜ ସ୍ମାର୍ଟଫୋନ୍ରେ ‘ଆଇଏଏଫ୍’ ମୁଖ୍ୟାଳୟରେ ଯୁଦ୍ଧ୍ୟାଭ୍ୟାସ ସମ୍ବନ୍ଧୀୟ କ୍ଲାସିଫାଏଡ୍ ଡକ୍ୟୁମେଣ୍ଟ୍ଗୁଡ଼ିକର ଫଟୋ ଉତ୍ତୋଳନ କରି ହ୍ଵାଟ୍ସ୍ଆପ୍ ଜରିଆରେ ସେଗୁଡ଼ିକୁ ବାହାରକୁ ପଠାଉଥିଲେ।
ତାଙ୍କର କାର୍ଯ୍ୟକଳାପ ସନ୍ଦେହଜନକ ମନେ ହେବାରୁ ଜାନୁଆରି ୩୧ ତାରିଖ ଦିନ ଗ୍ରୁପ୍ କ୍ୟାପ୍ଟେନ୍ଙ୍କୁ ଇଣ୍ଡିଆନ୍ ଏୟାର୍ ଫୋର୍ସ ତଦନ୍ତ ପାଇଁ ଅଟକ ରଖିଥିଲା।
ଖବରରୁ ଜଣାପଡ଼ିଛି ଯେ ଡିସେମ୍ବର ମାସ ମଝିଆଡ଼କୁ ଦୁଇଟି ଫେସ୍ବୁକ୍ ଆକାଉଣ୍ଟ୍ ଜରିଆରେ ମାର୍ଓ୍ଵାହାଙ୍କୁ ଆଇଏସ୍ଆଇ ଅନ୍ଲାଇନ୍ରେ ହନିଟ୍ରାପ୍ କରିଥିଲା। ଏହି ପ୍ରୋଫାଇଲ୍ ସବୁରେ ଆଇଏସ୍ଆଇର ଘରୋଇ ଗୁଇନ୍ଦାମାନେ ମଡେଲ୍ ସାଜିଥିଲେ। ସପ୍ତାହେରୁ ଅଧିକକାଳ ପ୍ରେମପ୍ରାବଲ୍ୟ କଥାବାର୍ତ୍ତା ମାଧ୍ୟମରେ ପ୍ରଲୁବ୍ଧ ହୋଇ ସେ ଆଇଏଏଫ୍ର ଅଭ୍ୟାସ ସମ୍ପର୍କୀୟ ସୂଚନା ହସ୍ତାନ୍ତର କରିଥିଲେ।
ଏଥିପାଇଁ କୌଣସି ଅର୍ଥ ବିନିମୟ ହୋଇଛି କି, ନାହିଁ ସେ କଥା ପୁଲିସ ଜାଣି ପାରି ନାହିଁ। ସେକ୍ସଚାଟ୍ ବଦଳରେ ମାର୍ଓ୍ଵାହା କ୍ଲାସିଫାଏଡ୍ ସୂଚନା ପ୍ରଦାନ କରୁଥିଲେ ବୋଲି ପୁଲିସ କହିଛି। ଗଙ୍ଗାଶକ୍ତି ନାମକ ଏକ ସମରାଭ୍ୟାସର ବିବରଣୀ ସେ ଆଇଏସ୍ଆଇକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ସେ ପାକିସ୍ତାନୀ ହ୍ୟାଣ୍ଡଲର୍ମାନଙ୍କୁ ଚିହ୍ନଟ କରି ସେୟାର୍ ହୋଇଥିବା ଦଲିଲ୍ ବାବଦରେ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ ଉଦ୍ୟମ କରୁଛି।
Follow Us