ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍ଆର୍) ଏଇ କରୋନା କାଳୀନ ବିପତ୍ତି ବେଳେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବାକୁ ସଂକ୍ରମଣବିହୀନ ଅଞ୍ଚଳରୁ ସ୍ୱାବ୍ ନମୁନା ସଂଗ୍ରହ କରିବ। ଏଥିପାଇଁ ୫ଲକ୍ଷ ଟେଷ୍ଟିଂ କିଟ୍ ଆସି ପହଞ୍ଚିସାରିଛି। ଏଇ ଏପ୍ରିଲ୍ ୧୧ ତାରିଖରେ ଆଇସିଏମ୍ଆର୍ ୪୫ ଲକ୍ଷ ଟେଷ୍ଟିଂ କିଟ୍ ପର୍ଯ୍ୟାୟ କ୍ରମେ ହାସଲ କରିବା ପାଇଁ ବରାଦ କରିଛି। ଭାରତରେ କୋଭିଡ-୧୯ ମାମଲା ୧୦ ହଜାର ଛୁଇଁବାକୁ ଯାଉଥିବା ବେଳେ ଆଦୌ ସଂକ୍ରମଣ ନଥିବା ଅଞ୍ଚଳରୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଦେଶର ୭୫୦ ଜିଲ୍ଲା ମଧ୍ୟରୁ ୪୫୦ ଜିଲ୍ଲାରେ ଆଦୌ କୌଣସି ମାମଲା ଠାବ ହୋଇନାହିଁ। ତେବେ କାଶ, ଜ୍ୱର ଆଦି ଲକ୍ଷଣ ଥିବା ଲୋକଙ୍କୁ ଅଗ୍ରାଧିକାର ଦେଇ ଉଭୟ ଆର୍ଟି-ପିସିଆର୍ ଓ ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯିବ। ଏହା ସହ ଆରୋଗ୍ୟସେତୁ ମୋବାଇଲ୍ ଆପ୍ ବ୍ୟବହାର ଜରିଆରେ ଲୋକଙ୍କୁ ସତର୍କ କରିବା ପ୍ରକ୍ରିୟାକୁ ଜୋରଦାର କରାଯିବ। ତ୍ୱରିତ ପରୀକ୍ଷଣ କିଟ୍ ଆସିଗଲା ପରେ ୩୦ ମିନିଟ୍ ଭିତରେ ରିପୋର୍ଟ ବାହାରିପାରିବ। ବରାଦ କରାଯାଇଥିବା ୪୫ ଲକ୍ଷ କିଟ୍ ମଧ୍ୟରୁ ପ୍ରଥମ ଦଫା ମେ ପହିଲାରେ ପହଞ୍ଚିବାକୁ ଥିବା ବେଳେ ଶେଷ ଦଫା ପହଞ୍ଚିବ ମେ ୩୧ରେ। କିନ୍ତୁ ବିଡ଼ମ୍ବନା ହେଉଛି ଯେ ଏଇ ସବୁ ଟେଷ୍ଟିଂ କିଟ୍ର ଗୁଣବତ୍ତା କ'ଣ ଥିବ ତାହା ଅନୁମିତ। କାରଣ ପ୍ରକୃତରେ ତାହା ଚୀନ୍ରୁ ଆସିବ ଏବଂ ଚୀନ୍ ସରକାର ନିଜ ଦେଶର କେବଳ ପାଞ୍ଚ ଛଅଟି କମ୍ପାନୀକୁ ଏଇ ସାମଗ୍ରୀ ବିକିବା ପାଇଁ ଅନୁମତି ଦେଇଛନ୍ତି। ଭାରତୀୟ କମ୍ପାନୀ ଏଚ୍ଏଲ୍ଏଲ୍ ଲାଇଫ୍କେୟାର ମଧ୍ୟ ରାପିଡ୍ ଟେଷ୍ଟ୍ କିଟ୍ ଉତ୍ପାଦନ କରୁଛି। ଏହାର ମାନେସର କେନ୍ଦ୍ରରୁ ଦିନକୁ ୨୦ହଜାର କିଟ୍ ବାହାରୁଛି।
ସଂକ୍ରମଣ ବିହୀନ ଅଞ୍ଚଳରୁ ନମୁନା ପରୀକ୍ଷା କରିବ ଆଇସିଏମ୍ଆର୍
Advertisment
Follow Us