Image Courtesy of The Squadron News
ମୁମ୍ବାଇ: ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବା ନାହିଁ ବୋଲି ରାଜ୍ୟପାଳ ବି.ଏସ୍. କୋଶିୟାରୀ ଭାଷଣରେ ଦେଇଥିବା ଟିପ୍ପଣୀକୁ ଆଜି ‘ଶିବସେନା’ ସାଂସଦ ସଞ୍ଜୟ ରାଉତ ତୀବ୍ର ନିନ୍ଦା କରିଛନ୍ତି।
ବହୁ ଦଶନ୍ଧି ଧରି ଲାଗି ରହିଥିବା ମରାଠୀ-ଗୁଜରାଟୀ ବିବାଦ ଜେତିଉଠୁଥିବା ବେଳେ ସାଂସଦ ସଞ୍ଜୟ ରାଉତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସେ ଅନ୍ତତଃ ରାଜ୍ୟପାଳ ଦେଇଥିବା ବିବୃତିକୁ ନିନ୍ଦା କରନ୍ତୁ। ରାଜ୍ୟପାଳ କିଭଳି ମରାଠୀଙ୍କ ସ୍ବାଭିମାନକୁ ଆଘାତ ଦେଇଛନ୍ତି ତାହା ଶୁଣିବା ଲାଗି ସାଂସଦ ରାଉତ ଏକ ଭିଡିଓ ସେୟାର୍ କରି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛନ୍ତି।
ଟୁଇଟ୍ କରି ସଞ୍ଜୟ ରାଉତ ଲେଖିଛନ୍ତି, ‘ବିଜେପି’ ପ୍ରାୟୋଜିତ ମୁଖ୍ୟମନ୍ତ୍ରୀ କ୍ଷମତାସୀନ ହେବା କ୍ଷଣି ମରାଠୀ ବ୍ୟକ୍ତି ଅପମାନିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସିନ୍ଦେ ଅନ୍ତତଃ ରାଜ୍ୟପାଳଙ୍କୁ ନିନ୍ଦା କରନ୍ତୁ। କଠୋର ପରିଶ୍ରମୀ ମରାଠୀ ଜନତାଙ୍କ ପ୍ରତି ଏହା ଅପମାନ।
Image Courtesy of Lokmat.comରାଉତ ସେୟାର୍ କରିଥିବା ଭିଡିଓରେ ରାଜ୍ୟପାଳ ବି.ଏସ୍. କୋଶିୟାରି କହିଛନ୍ତି, ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ନ ଥିବ। ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ବର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍ଜୀ କୋଠାରୀଙ୍କ ନାମରେ ଗୋଟାଏ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ଉପରୋକ୍ତ ବିବୃତି ଦେଇଥିଲେ।
ଜନସାଧାରଣଙ୍କୁ ଜାଗ୍ରତ ହେବାକୁ ଆହ୍ବାନ ଦେଇ ସାଂସଦ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ଏବଂ ମରାଠୀଙ୍କୁ ରାଜ୍ୟପାଳ ଭିକାରି ବୋଲି ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ, ଆପଣ ଶୁଣୁଛନ୍ତି ତ? ନା ଆପଣଙ୍କ ମହାରାଷ୍ଟ୍ର ଭିନ୍ନ। ଯଦି ଆପଣଙ୍କର ଆତ୍ମସମ୍ମାନ ଥାଏ, ତେବେ ରାଜ୍ୟପାଳଙ୍କ ଇସ୍ତଫା ଦାବି କରନ୍ତୁ।
Follow Us