ଅବହେଳା ପ୍ରଦର୍ଶନ କଲେ ପିଲାମାନଙ୍କଠାରୁ ସେମାନଙ୍କ ସଂପତ୍ତିକୁ ଫେରାଇ ଆଣି ପାରିବେ ବୃଦ୍ଧ ପିତାମାତା : ବମ୍ବେ ହାଇକୋର୍ଟ

Advertisment
ଅବହେଳା ପ୍ରଦର୍ଶନ କଲେ ପିଲାମାନଙ୍କଠାରୁ ସେମାନଙ୍କ ସଂପତ୍ତିକୁ ଫେରାଇ ଆଣି ପାରିବେ ବୃଦ୍ଧ ପିତାମାତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ଯଦି ବୃଦ୍ଧ, ଅସହାୟ ପିତାମାତାଙ୍କର ଭରଣପୋଷଣ କ୍ଷେତ୍ରରେ ସନ୍ତାନସନ୍ତତିମାନେ ଅବହେଳା ପ୍ରଦର୍ଶନ କରନ୍ତି, ତେବେ ସେ କ୍ଷେତ୍ରରେ ସନ୍ତାନସନ୍ତତିଙ୍କ ନାମରେ କରିଦେଇଥିବା ସଂପତ୍ତିକୁ ସେମାନଙ୍କ ନିକଟରୁ ଆଉଥରେ ସେମାନେ ଫେରାଇ ଆଣି ପାରିବେ ବୋଲି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ମୁମ୍ବାଇରେ ଜନୈକ ବୃଦ୍ଧ ବ୍ୟକ୍ତି ନିଜ ନାମରେ କିଣିଥିବା ଏକ ଫ୍ଲାଟକୁ ତାଙ୍କ ପୁଅ ବୋହୂଙ୍କ ଅନୁରୋଧ କ୍ରମେ ସେମାନଙ୍କ ନାମରେ କରି ଦେଇଥିଲେ। ସର୍ତ୍ତ ଥିଲା ଫ୍ଲାଟ୍‌ଟି ସେମାନଙ୍କ ନାମରେ ହୋଇଯିବା ପରେ ସେମାନେ ବୃଦ୍ଧ ପିତା ଓ ତାଙ୍କର ଦ୍ୱିତୀୟ ପତ୍ନୀଙ୍କର ଭରଣପୋଷଣର ସମସ୍ତ ଦାୟିତ୍ୱ ବହନ କରିବେ। ହେଲେ, ବୃଦ୍ଧ ଜଣକ ଫ୍ଲାଟ୍‌ଟିକୁ ସେମାନଙ୍କ ନାମରେ କରିଦେବା ପରେ ପୁଅ ବୋହୂ କେବଳ ବୃଦ୍ଧ ପିତାଙ୍କ ଦାୟିତ୍ୱ ନେବା ସହ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଦାୟିତ୍ୱ ନେବାକୁ ମନା କରି ଦେଇଥିଲେ। ଏହା ବିରୋଧରେ ବୃଦ୍ଧ ଜଣକ ଟ୍ରିବ୍ୟୁନାଲ କୋର୍ଟରେ ଏକ ମାମଲା ଆଗତ କଲାପରେ ଟ୍ରିବ୍ୟୁନାଲ କୋର୍ଟ ବୃଦ୍ଧଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ, ଟ୍ରିବ୍ୟୁନାଲ କୋର୍ଟର ରାୟ ବିରୋଧରେ ପୁତ୍ର ଜଣକ ବମ୍ବେ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ୍‌ ଆଗତ କରିଥିଲେ।

publive-image

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରଞ୍ଜିତ୍‌ ମୋରେ ଓ ଜଷ୍ଟିସ୍‌ ଅନୁଜା ପ୍ରଭୁଦେଶାଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ରିଭ୍ୟୁ ପିଟିସନ୍‌ର ଶୁଣାଣି କରି ଏହି ମାମଲାରେ ଟ୍ରିବ୍ୟୁନାଲ କୋର୍ଟ ଦେଇଥିବା ରାୟକୁ କାଏମ୍‌ ରଖିବା ସହ କହିଛନ୍ତି ଯେ ବରିଷ୍ଠ ନାଗରିକ ଆଇନ୍‌ ୨୦୦୭ ଅନୁଯାୟୀ ଯଦି ବୃଦ୍ଧ, ଅସହାୟ ପିତାମାତାଙ୍କର ଭରଣପୋଷଣ କ୍ଷେତ୍ରରେ ସନ୍ତାନସନ୍ତତିମାନେ ଅବହେଳା ପ୍ରଦର୍ଶନ କରନ୍ତି, ତେବେ ସେ କ୍ଷେତ୍ରରେ ସନ୍ତାନସନ୍ତତିଙ୍କ ନାମରେ କରିଦେଇଥିବା ସଂପତ୍ତିକୁ ସେମାନଙ୍କ ନିକଟରୁ ଆଉଥରେ ବୃଦ୍ଧ ପିତାମାତାମାନେ ଫେରାଇ ଆଣି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe