‘ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ବିଲ୍ ଅଟକାଇଲେ ବିଧାନସଭା ଅଚଳ ହୋଇଯିବ’

ବିଲ୍‌ଗୁଡ଼ିକର ଅନୁମୋଦନ ସମ୍ବନ୍ଧୀୟ ପ୍ରସଙ୍ଗରେ ପ୍ରେସିଡେନ୍ସିଆଲ୍ ରେଫରେନ୍ସର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଗୁରୁବାର ମୌଖିକ ଭାବେ ମନ୍ତବ୍ୟ ଦେଇଥିଲେ ଯେ ଯଦି ରାଜ୍ୟପାଳମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍‌କୁ ଅଟକାଇ ରଖନ୍ତି, ତେବେ ଏହା ବିଧାନସଭାକୁ ଅଚଳ କରିଦେବ।

ddggdcvcvvc

ନୂଆଦିଲ୍ଲୀ: ବିଲ୍‌ଗୁଡ଼ିକର ଅନୁମୋଦନ ସମ୍ବନ୍ଧୀୟ ପ୍ରସଙ୍ଗରେ ପ୍ରେସିଡେନ୍ସିଆଲ୍ ରେଫରେନ୍ସର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ ଗୁରୁବାର ମୌଖିକ ଭାବେ ମନ୍ତବ୍ୟ ଦେଇଥିଲେ ଯେ ଯଦି ରାଜ୍ୟପାଳମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍‌କୁ ଅଟକାଇ ରଖନ୍ତି, ତେବେ ଏହା ବିଧାନସଭାକୁ ଅଚଳ କରିଦେବ। ଏଭଳି ପରିସ୍ଥିତିରେ ହସ୍ତକ୍ଷେପ କରିବାର ଅଧିକାର କ’ଣ ଅଦାଲତଙ୍କର ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ବିଆର୍ ଗୱାଇ, ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ପିଏସ୍ ନରସିଂହ ଓ ଜଷ୍ଟିସ୍‌ ଏଏସ୍ ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ନ୍ୟାୟପାଳିକା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସଲିସିଟର ଜେନେରାଲ (ଏସ୍‌ଜି)ଙ୍କ ଯୁକ୍ତି ଉପରେ ପ୍ରତିକ୍ରିୟା ରଖି ପ୍ରଧାନ ବିଚାରପତି ବିଆର୍ ଗୱାଇ ଏହି ପ୍ରଶ୍ନ କରିଛନ୍ତି।

ଏସ୍‌ଜି ତୁଷାର ମେହେଟା କହିଲେ ଯେ ସର୍ବୋଚ୍ଚ ନ୍ୟାୟାଳୟ ଚରମ ପରିସ୍ଥିତିକୁ ଆଧାର କରି ଏକ ଉଦାହରଣ ସୃଷ୍ଟି କରିବା ଉଚିତ ନୁହେଁ। ଏଭଳି ପରିସ୍ଥିତିରେ ସମାଧାନ ନ୍ୟାୟିକ ନୁହେଁ, ରାଜନୈତିକ ବୋଲି ସେ ନିଜର ପୂର୍ବ ଯୁକ୍ତିକୁ ଦୋହରାଇଥିଲେ। ଏହି ଅଦାଲତ ହେଉଛି ସମ୍ବିଧାନର ରକ୍ଷକ, କିନ୍ତୁ ଏପରି କିଛି ସମସ୍ୟା ଅଛି ଯାହାର ସମାଧାନ ଅଦାଲତ ଦ୍ୱାରା କରାଯାଇପାରିବ ନାହିଁ। ଯେତେବେଳେ ଏଭଳି ଘଟଣା ଘଟେ, ଆମକୁ ଆଶା କରିବାକୁ ପଡ଼ିବ ଯେ ସାମ୍ବିଧାନିକ ଅଧିକାରୀମାନେ ଦାୟିତ୍ୱବାନ। କାରଣ ସେମାନେ ଲୋକଙ୍କ ପ୍ରତି ଉତ୍ତରଦାୟୀ ଅଟନ୍ତି। ରାଜ୍ୟପାଳ ଲୋକଙ୍କ ପ୍ରତି ଉତ୍ତରଦାୟୀ ନୁହନ୍ତି ବୋଲି ପ୍ରଧାନ ବିଚାରପତି କହିଥିଲେ।  ଜଷ୍ଟିସ୍‌ ନରସିଂହ ପ୍ରଶ୍ନ କରିଥିଲେ, ରାଜ୍ୟପାଳ କାହିଁକି ଅନୁମୋଦନ ଦେଲେ, କାହିଁକି ଦେଲେ ନାହିଁ କିମ୍ବା କାହିଁକି ରାଷ୍ଟ୍ରପତିଙ୍କ ପାଖକୁ ଗଲେ, ସେ ନେଇ ସାମ୍ବିଧାନିକ ସୁରକ୍ଷା (ଇମ୍ୟୁନିଟି) ପ୍ରଦାନ କରାଯାଇଛି। କିନ୍ତୁ ଆଜି ଆମେ ଏହି ମାମଲାରେ ନିର୍ଦ୍ଧାରିତ ପଦ୍ଧତି ବିଷୟରେ ଉଲ୍ଲେଖ କରୁଛୁ, ଏଥିରେ ସାମ୍ବିଧାନିକ ସୁରକ୍ଷା କେଉଁଠାରେ ଅଛି? ଉତ୍ତରରେ ଏସ୍‌ଜି କହିଥିଲେ, ସାମ୍ବିଧାନିକ ସୁରକ୍ଷା ଆଧାରରେ ସେ କୌଣସି ଯୁକ୍ତି ଉପସ୍ଥାପନ କରୁନାହାନ୍ତି। ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବି ଅଦାଲତ ହସ୍ତକ୍ଷେପ କରିଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରିପାରିବେ କି ନାହିଁ ତାହା ଉପରେ ତାଙ୍କର ଯୁକ୍ତି ଆଧାରିତ ବୋଲି ସେ କହିଛନ୍ତି।

ଏହାପରେ ଜଣେ ରାଜ୍ୟପାଳ ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଳମ୍ବ କରୁଥିବା ବେଳେ ଉପଲବ୍ଧ ପ୍ରତିକାର ସମ୍ପର୍କରେ ଖଣ୍ଡପୀଠ ପ୍ରଶ୍ନ ଉଠାଇଥିଲେ। ଯଦି ରାଜ୍ୟପାଳ କୌଣସି ବିଲ୍‌କୁ ଧାରା ୨୦୦ର ପ୍ରଥମ ବ୍ୟବସ୍ଥା ଅନୁଯାୟୀ ବିଧାନସଭାକୁ ଫେରାଇବାର ବିକଳ୍ପ ବ୍ୟବହାର ନ କରି ଅଟକାଇ ରଖନ୍ତି, ତେବେ ବିଧାନସଭା ଅଚଳ ହୋଇଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଏହାର ଉତ୍ତରରେ ନ୍ୟାୟିକ ମଞ୍ଚ ସମାଧାନ ନୁହେଁ ବୋଲି ଏସ୍‌ଜି କହିଥିଲେ। ହୁଏତ ସଂସଦ ସମ୍ବିଧାନରେ ସଂଶୋଧନ କରି ସମୟସୀମା ଧାର୍ଯ୍ୟ କରିବା ଦରକାର, ନଚେତ୍ ଏହି ସମସ୍ୟାର ରାଜନୈତିକ ସମାଧାନ ହେବା ଉଚିତ ବୋଲି ସେ ଦୋହରାଇଥିଲେ। ଏଭଳି ପରିସ୍ଥିତିରେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଏସ୍‌ଜି ସ୍ପଷ୍ଟ କରିଛନ୍ତି। ଆସନ୍ତା ମଙ୍ଗଳବାର ଏହି ଶୁଣାଣି ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe