ରେଳଷ୍ଟେସନ୍‌ ନବୀକରଣରେ ଓଡ଼ିଶାକୁ ଅଣଦେଖା!

ରେଳଷ୍ଟେସନ୍‌ ନବୀକରଣରେ ଓଡ଼ିଶାକୁ ଅଣଦେଖା!

Telegraph India

ନୂଆଦିଲ୍ଲୀ : ଦେଶତମାମ ରେଳଷ୍ଟେସନ୍‌ଗୁଡିକର ନବୀକରଣ କାର୍ଯ୍ୟ ରେଳ ମନ୍ତ୍ରାଳୟ ଦ୍ବାରା କରାଯାଉଛି। ଗୁଜରାଟର ଗାନ୍ଧୀନଗର ରେଳଷ୍ଟେସନର ପୁନଃବିକାଶ କାର୍ଯ୍ୟ ସଂପୂର୍ଣ୍ଣ ହେବାପରେ ଶୁକ୍ରବାର ଏହାର ଉଦ୍‌ଘାଟନ କରାଯାଇଛି। ଏହିକ୍ରମରେ ଭୋପାଳର ହବିବଗଂଜ ଓ ବେଙ୍ଗାଲୁରୁ ରେଳଷ୍ଟେସନକୁ ମଧ୍ୟ ବିକଶିତ କରାଯିବ। ବର୍ତ୍ତମାନ ରେଲୱେର ଧ୍ୟାନ ଦିଲ୍ଲୀର ବିଜୱାସନ ଏବଂ ସଫଦରଜଙ୍ଗ ରେଳଷ୍ଟେସନ, ଉତ୍ତର ପ୍ରଦେଶର ଗୋମତି ନଗର, ଅଯୋଧ୍ୟା ରେଳଷ୍ଟେସନ ଓ ନାଗପୁରର ଅଜନୀ ରେଳଷ୍ଟେସନକୁ ବିକଶିତ କରିବାର ଯୋଜନା ରହିଛି। ପ୍ରମୁଖ ଏବଂ ବଡ଼ ରେଳ ଷ୍ଟେସନ୍‌ଗୁଡିକୁ ସହରର କେନ୍ଦ୍ରବିନ୍ଦୁ କରିବା ରେଲୱେର ପ୍ରୟାସ ଅନ୍ତର୍ଗତ ଏସବୁ ଷ୍ଟେସନଗୁଡିକର ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରାଳୟ ଦ୍ବାରା କେବଳ ୫ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଅଗ୍ରଗତି ଥିବା କୁହାଯାଉଥିବାବେଳେ ଏଥିରେ ଓଡ଼ିଶାର କୌଣସି ରେଳ ଷ୍ଟେସନର ନାମ ନାହିଁ।

publive-image

ଗତ ବଜେଟ ଅଧିବେଶନରେ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ତତ୍କାଳୀନ ରେଳମନ୍ତ୍ରୀ ପୀୟୂଷ ଗୋଏଲ ୨୦୧୭ରୁ ପଡ଼ିରହିଥିବା ଭୁବନେଶ୍ବର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ରେଳବାଇ ଓ ଓଡ଼ିଶା ସରକାର ମିଳିତ ଭାବେ ଗ୍ରହଣ କରିଥିବାର କହିଥିଲେ। ରେଳବାଇ ଓ ଓଡ଼ିଶା ସରକାରଙ୍କ ଜମିରେ ସମନ୍ବିତ ଭାବେ ନୂଆ ଷ୍ଟେସନ ବିଲଡିଂ ଏବଂ ପ୍ଳାଟଫର୍ମ ସହ ନୂଆ ଲାଇନ ନିର୍ମାଣ ଲାଗି ଯୋଜନା କରାଯାଉଥିବା ସେ ସୂଚିତ କରିଥିଲେ। ଏଥିନିମନ୍ତେ, ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୂର୍ବତଟ ରେଳବାଇ ମଧ୍ୟରେ ସେପ୍ଟେମ୍ବର ୧୯, ୨୦୧୯ରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ସ୍ମାର୍ଟସିଟି ପାରିପାର୍ଶ୍ବିକ ବିକାଶ ସହ ଭୁବନେଶ୍ବର ଷ୍ଟେସନକୁ ମଲ୍‌ଟି ମୋଡାଲ୍‌ ହବ୍ କରିବା ନିମନ୍ତେ ନକ୍ସା ପ୍ରସ୍ତୁତି କରିବା ଲାଗି ବିଡିଏ ଜଣେ କନସଲ୍‌ଟାଣ୍ଟ ନିଯୁକ୍ତି କରିଥିବା ତତ୍କାଳୀନ ରେଳମନ୍ତ୍ରୀ ସୂଚନା ଦେଇଥିଲେ।

ଅପରପକ୍ଷେ, ଇଣ୍ଡିଆନ୍‌ ରେଲୱେ ଷ୍ଟେସନସ୍ ଡେଭଲପମେଣ୍ଟ୍‌ କର୍ପୋରେସନ ଲିମିଟେଡ (ଆଇଆର୍‌ଏସ୍‌ଡିସି)ର ସୂଚନା ଅନୁସାରେ ନାଗପୁର, ଗୋଆଲିୟର, ଅମୃତସର, ସାବରମତୀ, ଶିବାଜୀ ନଗର, ସୁରତ, ବାୟାପାନରହାଲି, ଗାନ୍ଧୀନଗର (ଜୟପୁର), କାନପୁର ଓ ଥାକୁର୍ଲିର ରେଳଷ୍ଟେସନ ପୁନର୍ବିକାଶ କରାଯିବାର ଯୋଜନା ରହିଛି। ହେଲେ ଏଥିରେ ମଧ୍ୟ ଓଡ଼ିଶାର କୌଣସି ରେଳ ଷ୍ଟେସନର ନାମ ଉଲ୍ଲେଖ ନାହିଁ। ଅକ୍ଟୋବର ୩, ୨୦୧୮ରେ କେନ୍ଦ୍ର କ୍ୟାବିନେଟ୍‌ ଦେଶର ସମସ୍ତ ରେଳ ଷ୍ଟେସନଗୁଡିକର ପୁନର୍ବିକାଶ ତଥା ବିକଶିତ ପାଇଁ ଆଇଆର୍‌ଏସ୍‌ଡିସିକୁ ନୋଡାଲ ଏଜେନ୍ସି ରୂପେ ଚୟନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe