ଗ୍ରାମବାସୀଙ୍କ କାନ୍ଧରେ ବସି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ସାଂସଦ

ବିହାରର କଂଗ୍ରେସ ସାଂସଦ ତାରିକ ଅନୱର ଗ୍ରାମବାସୀଙ୍କ କାନ୍ଧରେ ବସି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର ଭିହିଓ ଭାଇରାଲ । ତୀବ୍ର ସାମାଲୋଚନା କରୁଛନ୍ତି ବିରୋଧୀ।

New Project (8) (1)

ପାଟନା: ବିହାରର କଂଗ୍ରେସ ସାଂସଦ ତାରିକ ଅନୱରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସାଂସଦ ଗ୍ରାମବାସୀଙ୍କ କାନ୍ଧରେ ବସି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ବିରୋଧୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

କଟିହାର ସାଂସଦ ତାରିକ ଅନୱର ଦୁଇ ଦିନିଆ ଗସ୍ତରେ ତାଙ୍କ ସଂସଦୀୟ କ୍ଷେତ୍ର କଟିହାର ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ସାଂସଦ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ପ୍ରଥମେ ଟ୍ରାକ୍ଟରରେ ଚଢ଼ି ଦୁର୍ଗମ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହାପରେ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବା ପାଇଁ  ମାଟି ରାସ୍ତା ପଡ଼ିଥିଲା। ଏହି ରାସ୍ତା ବନ୍ୟାପାଣି ହେତୁ କାଦୁଅରେ ଭର୍ତ୍ତି ଥିଲା। ସେ ଏହି କାଦୁଆ ରାସ୍ତାରେ ଚାଲି ପାରି ନଥିଲେ। ଶେଷରେ ଗ୍ରାମବାସୀମାନେ ସାଂସଦଙ୍କୁ କାନ୍ଧରେ ବସାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରାଇଥିଲେ।

କଟିହାର ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ ଯାଦବ କହିଛନ୍ତି,‘ ସାଂସଦ ତାରିକ ଅନୱର ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝିବା ପାଇଁ ପହଞ୍ଚିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଠିକ୍ ଭାବରେ ଚାଲିପାରି ନଥିଲେ। ଯାହାଫଳରେ ଗ୍ରାମବାସୀମାନେ ଅନୱରଙ୍କୁ କାନ୍ଧରେ ବସାଇ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲାଇଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe