ନୂଆ ଦଶନ୍ଧିରେ ବ୍ରାଣ୍ଡ୍ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଦାୟିତ୍ୱ ଆଇଆଇଏମ୍ ଛାତ୍ରଛାତ୍ରୀଙ୍କର : ପ୍ରଧାନମନ୍ତ୍ରୀ ମୋଦୀ

Advertisment

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ

ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ

ନୂଆ ଦଶନ୍ଧିରେ ବ୍ରାଣ୍ଡ୍ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଦାୟିତ୍ୱ ଆଇଆଇଏମ୍ ଛାତ୍ରଛାତ୍ରୀଙ୍କର : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଷ୍ଟାର୍ଟଅପଗୁଡ଼ିକ ମୁଣ୍ଡ ଟେକୁଥିବା ବେଳେ ଭାରତରେ ସଙ୍କଟଜନକ ପରିସ୍ଥିତି ସତ୍ୱେ ଅଧିକ ‘ୟୁନିକର୍ଣ୍ଣ’ଗୁଡ଼ିକୁ ଦେଖିବାକୁ ମିଳିଛି । କୃଷି କ୍ଷେତ୍ରରେ ଦ୍ରୁତ ସଂସ୍କାର ଜାରି ରହିଛି । ଏପରି ପରିସ୍ଥିତିରେ ଦେଶର ଆଶାଆକାଂକ୍ଷା ସହିତ ନିଜର କ୍ୟାରିୟରକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଏହି ନୂଆ ଦଶନ୍ଧିରେ, ବ୍ରାଣ୍ଡ ଇଣ୍ଡିଆକୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଆପଣମାନଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରକୁ ନେଇଯିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ବଲପୁର ଅଂଚଳରେ ରହିଥିବା ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନର ଉନ୍ନତି ନିମନ୍ତେ ଅଭିନବ ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ହସ୍ତଶିଳ୍ପ, ବୟନ ଏବଂ ଜନଜାତି କଳା ଆଦିରେ ରହିଥିବା ଅପାର ସମ୍ଭାବନା ଯୋଗୁ ଏସବୁ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ । ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଗଦାନ କରିବା ଲାଗି ସ୍ଥାନୀୟ ଅଂଚଳରେ ରହିଥିବା ପ୍ରଚୁର ଖଣିଜ ସମ୍ପଦ ଏବଂ ଅନ୍ୟ ସମ୍ବଳର ଉନ୍ନତ ପରିଚାଳନା ଦିଗରେ କାର୍ଯ୍ୟ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଆଇଆଇଏମ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭର ଭାରତ ମିଶନ, ସ୍ଥାନୀୟ ଉତ୍ପାଦ ଏବଂ ଅନ୍ତର୍ଜାତୀୟ ସହଭାଗିତା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିପାରିବେ । ତେଣୁ ସେମାନେ ଲୋକାଲକୁ ଗ୍ଲୋବାଲରେ ପରିଣତ କରିବା ଲାଗି ଅଭିନବ ଉପାୟ ସନ୍ଧାନ କରିବାର ଆବଶ୍ୟକତା ରହିଛି । “ଅଭିନବତାର ମିଶ୍ରଣ ଏବଂ ସମାବେଶୀକରଣ”ର ମନ୍ତ୍ର ସହିତ ଆପଣମାନଙ୍କୁ ନିଜର ପରିଚାଳନା ଦକ୍ଷତା ପ୍ରଦର୍ଶିତ କରିବାର ଆବଶ୍ୟକତା ରହିଛି” ଶ୍ରୀ ମୋଦୀ କହିଥିଲେ ।

ଭଲ ମ୍ୟାନେଜର ହେବାକୁ ହେଲେ ଦେଶରେ ରହିଥିବା ସମସ୍ୟାଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି କାରଣରୁ, ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକରେ ବ୍ୟାପକ ସୁଯୋଗ ରହିବା ଜରୁରି ଏବଂ ସେମାନେ କେବଳ ନିଜର ବିଶେଷଜ୍ଞତା ମଧ୍ୟରେ ସୀମିତ ରହିବା ଅନୁଚିତ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତୀୟ ଶିକ୍ଷାନୀତିରେ ଏକ ବିସ୍ତୃତ, ବହୁବିଷୟକ ଏବଂ ସାମଗ୍ରିକ ଦୃଷ୍ଟିକୋଣ ନେଇ ସମୟ ସହ ବଦଳୁଥିବା ପେସାଦାର ଶିକ୍ଷା ବ୍ୟବସ୍ଥାରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe