India TV News
ମୁମ୍ବାଇ: ଏନସିପି ନେତା ଦିଲୀପ ୱାଲସେ ପାଟିଲ ହେବେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ। ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେବା ପରେ ଏନସିପି ନେତା ଦିଲୀପ ୱାଲସେ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚାର ଜୋର ଧରିଛି। ଦିଲୀପ ୱାଲସେ ପାଟିଲ ବର୍ତ୍ତମାନ ଶ୍ରମ ଏବଂ ଅବକାରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି। ତେବେ ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ଅଧିକାରୀକ ଘୋଷଣା କରିନାହାନ୍ତି।
ସୂଚନା ମୁତାବକ, ଆଜି ଅନୀଲ ଦେଶମୁଖଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ଦେଖା କରିଥିଲେ । ସେଠାରୁ ଫେରି ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପଠାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ ଅନୀଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କି ଅନୀଲ ତାଙ୍କୁ ଏବଂ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାକୁ ଚାପ ପକାଉଥିଲେ । ଏନେଇ ପରମବୀର ସିଂ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ପ୍ରାଥମିକ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Follow Us