ଓଡ଼ିଶାର ଖଣି ଲିଜ୍‌ଧାରୀ ଜମାକଲେ ୬୭ଲକ୍ଷ ଟଙ୍କା

Advertisment
ଓଡ଼ିଶାର ଖଣି ଲିଜ୍‌ଧାରୀ ଜମାକଲେ ୬୭ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଖଣିଜ ରିହାତି ଆଇନ୍‌ ୧୯୬୦ର ଧାରା ୩୭ର ଉଲ୍ଲଂଘନ ତଥା ଏମ୍‌ଏମ୍‌ଡିଆର୍‌ ଆଇନ୍‌ର ଧାରା ୬(ଖ)ର ଉଲ୍ଲଂଘନ ସମ୍ବନ୍ଧରେ ଅନୁଧ୍ୟାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଦୁଇଜଣିଆ କମିଟି ନିକଟରେ ଖଣି ଲିଜ୍‌ଧାରୀ ୬୭ଲକ୍ଷ ଟଙ୍କା ଜମା କରିଛନ୍ତି। ଖର୍ଚ୍ଚ ଓ ଆନୁଷଙ୍ଗିକ ବ୍ୟୟ ପାଇଁ ୧୦ ଜଣ ଖଣି ଲିଜ୍‌ଧାରୀ ଏହି ଅର୍ଥ ଜମା କରିଥିବା ଆଜି ରାଜ୍ୟ ସରକାରଙ୍କ ଓକିଲଙ୍କ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠକୁ ଅବଗତ କରାଯାଇଛି। ବୁଧବାର ଶୁଣାଣି ସମୟରେ ଖଣ୍ଡପୀଠଙ୍କ ଦ୍ୱାରା ଖଣିଲିଜଧାରୀମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଟଙ୍କା ଜମା କରାଯାଇଛି କି ନାହିଁ ସେ ସମ୍ପର୍କରେ ଅବଗତ କରାଇବାପାଇଁ ରାଜ୍ୟ ସରକାରଙ୍କ ଓକିଲଙ୍କୁ ପ୍ରଶ୍ନ କରାଯିବା ପରେ ସେ ଏନେଇ ଆଜି କୋର୍ଟକୁ ଅବଗତ କରିଥିଲେ।

ଗତମାସ ୨୨ ତାରିଖରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିୟମ ୩୭ ତଥା ସେକ୍ସନ ୬(ଖ)ର ଉଲ୍ଲଂଘନର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ଦୁଇଜଣ ବିଚାରପତିଙ୍କୁ ନେଇ କମିଟି ଗଠନ କରିବା ସମୟରେ କମିଟିର ସମସ୍ତ ପ୍ରକାର ଖର୍ଚ୍ଚକୁ ଲିଜ୍‌ଧାରୀମାନଙ୍କଦ୍ୱାରା ବହନ କରାଯିବ ବୋଲି ଆଦେଶରେ କହିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଦୁଇଜଣିଆ କମିଟିରେ ସୁପ୍ରମିକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନୀଲ ଆର୍‌ ଡାଭେ ଓ ବିଚାରପତି ବି.ଏସ୍‌.ସିଙ୍ଗଭି ଖଣିଜ ରିହାତି ଆଇନ୍‌ ୧୯୬୦ର ନିୟମ ୩୭ର ଉଲ୍ଲଂଘନ ତଥା ଏମ୍‌ଡିଆର୍‌ ଆଇନ୍‌ର ସେକ୍ସନ ୬(ଖ) ସମ୍ପର୍କରେ ୧୦ଜଣ ଖଣିଲିଜଧାରୀଙ୍କ ଶୁଣାଣୀ କରିବେ। ଶୁଣାଣୀ ଦିଲ୍ଲୀରେ ହେବ। ଯଦି ଆବଶ୍ୟକ ହୁଏ ଏହି ଟିମ୍‌ ଶୁଣାଣୀ ପାଇଁ ଓଡ଼ିଶା ମଧ୍ୟ ଗସ୍ତ କରିବ। ତିନିମାସ ଭିତରେ ଶୁଣାଣୀ ଶେଷକରି ଦୁଇଜଣିଆ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ, ଯାହାର ଆଧାରରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe