ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏର ଚିଠି: ହସ୍ପିଟାଲରେ ବିମାନବନ୍ଦର ଭଳି ସୁରକ୍ଷା ମିଳୁ

Advertisment

ମମତା‌ଙ୍କ ଇସ୍ତଫା ଦାବି କ‌ଲେ ନିର୍ଭୟାଙ୍କ ମା’

ମମତା‌ଙ୍କ ଇସ୍ତଫା ଦାବି କ‌ଲେ ନିର୍ଭୟାଙ୍କ ମା’

ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏର ଚିଠି: ହସ୍ପିଟାଲରେ ବିମାନବନ୍ଦର ଭଳି ସୁରକ୍ଷା ମିଳୁ

ନୂଆଦିଲ୍ଲୀ: ‌କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବିରୋଧ କରି ଆଇଏମ୍‌ଏ ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ କରିଛି। ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବାପାଇଁ ଦାବି ରଖିବା ସହ ଆଇଏମ୍‌ଏ ମୋଟ୍‌ ୫ଟି ଦାବି ରଖିଛି। ଇତିମଧ୍ୟରେ ଆଇଏମ୍‌ଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏନେଇ ଚିଠି ଲେଖିଛି। ହସ୍ପିଟାଲ୍‌ରେ ସୁରକ୍ଷା ବ୍ୟବସ୍ଥା ବିମାନବନ୍ଦର ଭଳି ହେବା ଉଚିତ ବୋଲି ଆଇଏମ୍‌ଏ ପକ୍ଷରୁ ଦାବି ହୋଇଛି। ସିସିଟିଭି ସହ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ମୁତୟନ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ସେହିପରି ଅପରାଧ ଘଟଣାର ତୁରନ୍ତ ତଦନ୍ତ ହେବା ଉଚିତ ବୋଲ ଆଇଏମ୍‌ଏ ଦାବି କରିଛି। ଇତିମଧ୍ୟରେ ଆଇଏମ୍‌ଏ ଜାତୀୟ ସଭାପତି ଡା ଆର୍‌ଭି ଅଶୋକାନ କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅଶୋକାନ କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସ ଭାଷଣରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ। ଏବେ କୋଲକାତା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ତାଙ୍କର ହସ୍ତ‌କ୍ଷେପ କରିବାର ସମୟ ଆସିଛି। ସେ କହିଛନ୍ତି, ଆମେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ସାରିଛୁ ଏବଂ ସରକାର ଜବାବ ଦେବାର ସମୟ ଆସିଛି।

କୋଲକାତା: ନିର୍ଭୟାଙ୍କ ମା’ ଆଶା ଦେବୀ ଶନିବାର କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ସଂକ୍ରାନ୍ତରେ ଟିପ୍ପଣୀ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି। ଆଶା ଦେବୀ କହିଛନ୍ତି, ଜଣେ ମହିଳା ଭାବେ ମମତା ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ଦାୟିତ୍ବ ସମ୍ପାଦନ କରିବା ଉଚିତ। ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଏବଂ ଯଥୋଚିତ କର୍ତ୍ତବ୍ୟ ସଂପାଦନରେ ମମତା ବିଫଳ ହୋଇଛନ୍ତି ବୋଲି ଆଶା ଦେବୀ କହିଛନ୍ତି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମମତା ଏହି ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାପାଇଁ ଆନ୍ଦୋଳନ କରୁଛନ୍ତି। ଆଶା ଦେବୀ କହିଛନ୍ତି, ଦୁଷ୍କର୍ମକାରୀଙ୍କୁ କଠିନ ଦଣ୍ଡ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ସଚେତନ ହୋଇନାହାନ୍ତି ସେପର୍ଯ୍ୟନ୍ତ ଏଭଳି ସ୍ଥିତି ବାରମ୍ବାର ଉପୁଜିବ ।

ସୁରକ୍ଷା ପାଇଁ କମିଟି ଗଠନ କରିବ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ବିଷୟରେ ପରାମର୍ଶ ଦେବ। ଦିଲ୍ଲୀର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତର ସଂଘ, ଫୋର୍ଡା, ଆଇଏମ୍‌ଏ ସମେତ ବିଭିନ୍ନ ସ୍ୱାସ୍ଥ୍ୟସେବା ଅଂଶୀଦାରଙ୍କ ଚିନ୍ତାକୁ ବିଚାରକୁ ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ କମିଟି ନିକଟରେ ନିଜର ପରାମର୍ଶ ଉପସ୍ଥାପନ କରିବାକୁ ରାଜ୍ୟ ସରକାରମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଡେଙ୍ଗୁ ଓ ମ୍ୟାଲେରିଆ ମାମଲା ବଢ଼ୁଥିବାରୁ ବ୍ୟାପକ ଜନସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ଶୁକ୍ରବାର କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରି ସ୍ୱାସ୍ଥ୍ୟକର୍ମୀଙ୍କୁ ହେଉଥିବା କୌଣସି ମୌଖିକ ନିର୍ଯାତନା କିମ୍ବା ଶାରୀରିକ ହିଂସା ବିରୋଧରେ ୬ ଘଣ୍ଟା ମଧ୍ୟରେ ଏଫ୍‌ଆଇଆର ରୁଜୁ କରିବାକୁ ସରକାରୀ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe