ଡାଭୋସ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବରେ ସାରା ବିଶ୍ବରେ ୪୦ ପ୍ରତିଶତ ଓ ବିକଶିତ ଦେଶଗୁଡ଼ିକରେ ୬୦ ପ୍ରତିଶତ ଚାକିରି ଲୋପ ପାଇବ। ଏଆଇକୁ ସେ ଶ୍ରମ ବଜାରରେ ମାଡ଼ ହେବାକୁ ଥିବା ସୁନାମି ସହ ତୁଳନା କରିଛନ୍ତି। କିନ୍ତୁ ଏହି ପ୍ରଯୁକ୍ତି ଉତ୍ପାଦକତା ବଢ଼ାଇବ। ଏହାର ପରୋକ୍ଷ ଲାଭ ମିଳିବ ବୋଲି ଜୋର୍ଜିଭା କହିଛନ୍ତି। ତାଙ୍କ ମତରେ ଏଆଇ ଦ୍ବାରା ଅଧିକ ଉପାର୍ଜନ କରୁଥିବା ଲୋକମାନେ ଉପକୃତ ହେବେ। ସେମାନଙ୍କ ପାଖରେ ଯେଉଁ ଅଧିକ ଅର୍ଥରାଶି ପହଞ୍ଚିବ ତାହାର ଲାଭ ସ୍ବଳ୍ପ ଆୟକାରୀ ବର୍ଗଙ୍କୁ ମିଳିବ। ସେମାନେ ଯେଉଁ ଖର୍ଚ୍ଚ କରିବେ ସେଥିରୁ ରେସ୍ତୋରାଁ, ରିଟେଲ ଷ୍ଟୋର୍ ଓ ସ୍ବାସ୍ଥ୍ୟସେବା କ୍ଷେତ୍ର ଉପକୃତ ହେବ।
ଏଆଇ ଦକ୍ଷତା ଥିବା ପ୍ରତି ୧୦ ଜଣରୁ ଜଣେ ଅଧିକ ଆୟ କରୁଛନ୍ତି। ସେମାନେ ସେହି ବର୍ଦ୍ଧିତ ରାଶିକୁ ସ୍ଥାନୀୟ ଅଞ୍ଚଳରେ ଖର୍ଚ୍ଚ କରୁଛନ୍ତି। ତାହାର ପ୍ରଭାବରେ ଅଳ୍ପ କୁଶଳୀ ନିଯୁକ୍ତିର ଚାହିଦା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସାନ ଫ୍ରାନ୍ସିସ୍କୋରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତି ନୂଆ ପ୍ରଯୁକ୍ତି ନିଯୁକ୍ତି ପ୍ରଭାବରେ ରୋଷେୟା, ଶିକ୍ଷକ ଭଳି ୪.୪ଟି ନୂଆ ସ୍ଥାନୀୟ ଚାକିରି ସୃଷ୍ଟି ହୋଇଥାଏ।
ଏଆଇ ଦ୍ବାରା ମଧ୍ୟବିତ୍ତ ବର୍ଗ ମଧ୍ୟ ପ୍ରଭାବିତ ହେବେ ବୋଲି ଜୋର୍ଜିଭା କହିଛନ୍ତି। ଏଆଇ ମାଧ୍ୟମରେ ନିଜ ଦକ୍ଷତା ବଢ଼ାଇ ନ ପାରିଲେ ମଧ୍ୟବିତ୍ତ ବର୍ଗଙ୍କ ଆୟ ବଢ଼ିବ ନାହିଁ। ଅନ୍ୟ ପକ୍ଷରେ ଅଟୋମେସନ ହେଲେ ଆଉ ପ୍ରାରମ୍ଭିକ ପର୍ଯ୍ୟାୟର ଚାକିରି ସୃଷ୍ଟି ହେବ ନାହିଁ। ତେଣୁ ଶ୍ରମଶକ୍ତିରେ ପ୍ରବେଶ କରୁଥିବା ଯୁବକଯୁବତୀମାନଙ୍କୁ କାମ ମିଳିବା କଷ୍ଟକର ହୋଇପଡ଼ିବ। ଏଆଇ କିଛି ଲୋକଙ୍କ ପାଇଁ ଲାଭଦାୟକ ଓ ଅନ୍ୟମାନଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।
ଏଆଇ ବିପ୍ଳବ ଦ୍ରୁତ ଗତିରେ ଘଟୁଥିବାରୁ ମଧ୍ୟବିତ୍ତ ଓ ବିକାଶଶୀଳ ଦେଶଗୁଡ଼ିକର ସୁରକ୍ଷା ପାଇଁ ସରକାର ଓ ଅନୁଷ୍ଠାନଗୁଡ଼ିକୁ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ଆଇଏମ୍ଏଫ୍ ପକ୍ଷରୁ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ଆକଳନକୁ ବଢ଼ାଇ ୩.୩ ପ୍ରତିଶତ କରାଯାଇଛି। କିନ୍ତୁ ଜୋର୍ଜିଭା ସତର୍କ କରିଛନ୍ତି ଯେ ବିଭିନ୍ନ ଦେଶର ଋଣ ସେମାନଙ୍କ ଜିଡିପିର ୧୦୦ ପ୍ରତିଶତ ସ୍ତରରେ ରହିଥିବାରୁ ଏଆଇ କ୍ଷେତ୍ର ଆବଶ୍ୟକ କରୁଥିବା ବିପୁଳ ନିବେଶ ସଂଗ୍ରହ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇଯିବ। ତେଣୁ ଅଭିବୃଦ୍ଧିର ଯେଉଁ ଆକଳନ କରାଯାଇଛି ତାହା ଏତେ ବଡ଼ ବିପ୍ଳବ ଲାଗି ପାଣ୍ଠି ସଂଗ୍ରହ କରିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି।
Follow Us