ସହସ୍ରାଧିକ ଭକ୍ତ-ଅନୁଗାମୀଙ୍କ ଗହଣରେ ମହୋଦଧିରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜିତ

Advertisment
ସହସ୍ରାଧିକ ଭକ୍ତ-ଅନୁଗାମୀଙ୍କ ଗହଣରେ ମହୋଦଧିରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜିତ

ପୁରୀ : ଆଜି ମହୋଦଧିରେ ‘ସତସଙ୍ଗ’ର ପୂର୍ବତନ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ ତାଙ୍କର କନିଷ୍ଠାତ୍ମଜ ପୂଜ୍ୟପାଦ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ (ପୂଜ୍ୟପାଦ ବିଙ୍କିଦା)ଙ୍କ ଦ୍ବାରା ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସମ୍ପନ୍ନ ହୋଇଛି। ଏହି ଉପଲକ୍ଷେ ପୁରୀସ୍ଥିତ ସତସଙ୍ଗ ଠାକୁରବାଡ଼ିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆଗତ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ହଜାର ହଜାର ଅନୁଗାମୀ ଓ ସତସଙ୍ଗୀ ସମବେତ ହୋଇଥିଲେ। ବୈଦିକ ବିଧି-ବିଧାନ ଓ ଶ୍ରୀଶ୍ରୀଠାକୁରଙ୍କ ଜୟଧ୍ବନି ମଧ୍ୟରେ ଏହି ପବିତ୍ର ପ୍ରକ୍ରିୟା ସମାପନ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏଥିପୂର୍ବରୁ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ଚିତାଭସ୍ମ ଉତ୍ତର  ଓ ଦକ୍ଷିଣ ଭାରତର ବିଭିନ୍ନ ପବିତ୍ରସ୍ଥଳୀରେ ବିସର୍ଜନ କରାଯାଇ ସାରିଛି।

publive-image

ଆଜି ସକାଳ ପ୍ରାୟ ୮ଟା ସମୟରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପୁରୀ ସତସଙ୍ଗ ଠାକୁରବାଡ଼ିରେ ପୂଜ୍ୟପାଦ ବିଙ୍କିଦା ଓ ତାଙ୍କର ପୁତ୍ର ପୂଜ୍ୟ ଅରଣୀବାବୁ ସ୍ଥାନୀୟ ଓ ବହିରାଗତ ସହସ୍ରାଧିକ ଭକ୍ତଙ୍କ ଗହଣରେ ଚିତାଭସ୍ମ କଳସକୁ ସ୍ବତନ୍ତ୍ର  ଶ୍ରାଦ୍ଧବେଦିରେ ଅବସ୍ଥାପିତ କରିଥିଲେ। ଏହାପରେ ବୈଦିକ ମନ୍ତ୍ରୋଚ୍ଚାରଣ ପୂର୍ବକ ଶ୍ରାଦ୍ଧାଦି କ୍ରିୟାକର୍ମ ସଂପନ୍ନ ହୋଇଥିଲା। ତତ୍ପରେ ବନ୍ଦେ ପୁରୁଷୋତ୍ତମମ୍ ଧ୍ବନି ମଧ୍ୟରେ ପୁଷ୍ପଗୁଚ୍ଛ ଦ୍ବାରା ସୁସଜ୍ଜିତ ଚିତାଭସ୍ମ କଳସକୁ ପୂଜ୍ୟପାଦ ବିଙ୍କିଦା ଓ ଅରଣୀବାବୁ ମହୋଦଧି ଅଭିମୁଖେ ନେଇ ଯାଇଥିଲେ। ମହୋଦଧି କୂଳରେ ହଜାର ହଜାର ଭକ୍ତ-ଅନୁରାଗୀ ଓ ଶିଷ୍ୟଙ୍କ ଉପସ୍ଥିତିରେ ଚିତାଭସ୍ମ ବିସର୍ଜନ ହୋଇଥିଲା ।  ବିସର୍ଜନାନ୍ତେ ବହୁ ଭକ୍ତ-ଶିଷ୍ୟ ପବିତ୍ର ମହୋଦଧିରେ ବୁଡ଼ ପକାଇଥିଲେ। ପୁରୀର ପୂଜକ ଶିବ ପ୍ରସାଦ ପ୍ରତିହାରୀ ଏହି କାର୍ଯ୍ୟକ୍ରମ ସଂପାଦନ କରିଥିଲେ।

ଏହାପୂର୍ବରୁ ପୂଜ୍ୟପାଦ ବିଙ୍କିଦା ହରିଦ୍ବାରର ବ୍ରହ୍ମକୁଣ୍ଡରେ, ନୈମିଷାରଣ୍ୟ ବ୍ୟାସଗାଦି-ସ୍ଥିତ ଗୋମତୀ ନଦୀ, ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ମଧ୍ୟ ଶ୍ରୀଶ୍ରୀଦାଦାଙ୍କର ଅସ୍ଥି ଓ ଚିତାଭସ୍ମ ବିସର୍ଜନ କରିଥିଲେ। ଏଥିସହ ସେ କନ୍ୟାକୁମାରୀଠାରେ କାବେରୀ‌ନଦୀରେ ଓ ସାଗର ସଙ୍ଗମରେ, ଓମକାରେଶ୍ବରଠାରେ ନର୍ମଦାରେ, ନାସିକଠାରେ ଗୋଦାବରୀ‌ରେ,ଦ୍ବାରକାଠାରେ ଆରବ ସାଗ‌ରରେ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ ମଧ୍ୟ କରିଛନ୍ତି। ପୂରା ପରିକ୍ରମାରେ ଦେଓଘର ସତସଙ୍ଗ ଆଶ୍ରମର ନିୟତ କର୍ମୀ ବିଶ୍ବଜିତ ଚୌଧୁରୀ ଓ ଗୌରକୃଷ୍ଣ ନାୟକ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

publive-image

ଆଜି ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସ୍ବତନ୍ତ୍ର ବାର୍ତ୍ତା ଜାରି କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ‘ସତସଙ୍ଗ’ର ସହ-ସଂପାଦକ ଡା.ବିନାୟକ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ସହଯୋଗ କରିଥିଲେ। ଆଗତ ସହସ୍ରାଧିକ ଭକ୍ତ-ଅନୁରାଗୀ ପ୍ରସାଦ ସେବନ କରିଥିଲେ।

ସୂଚନାଯୋଗ୍ୟ, ଆସନ୍ତା ୧୩ ତାରିଖରେ ଲେହଠାରେ ସିନ୍ଧୁନଦୀରେ, ୧୬ ତାରିଖରେ ଗୌହ୍ବାଟିଠାରେ ବ୍ରହ୍ମପୁତ୍ର ନଦୀରେ, ୧୮ରେ ବାଂଲାଦେଶରେ ପଦ୍ମାନଦୀରେ ଏବଂ ୨୧ ତାରିଖରେ ପଶ୍ଚିମବଙ୍ଗର ପାଣିହାଟିଠାରେ ଗଙ୍ଗାରେ ଶ୍ରୀଶ୍ରୀଦାଦାଙ୍କ ଚିତାଭସ୍ମ ବିସର୍ଜନ କରାଯାଇ ଏହି କାର୍ଯ୍ୟକ୍ରମ ଉଦଯାପିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe