Image Source: The Indian Express
ନୂଆଦିଲ୍ଲୀ: ପାଟିକୁ ରାଗୁଆ ନ ଲାଗୁଥିବାରୁ ତୁର୍କୀ ଓ ମିଶର ଭଳି ଦେଶରୁ ଆମଦାନି କରାଯାଇଥିବା ପ୍ରାୟ ୩୪୦୦୦ ଟନ୍ ପିଆଜକୁ ସରକାର ଅଭାବୀ ବିକ୍ରୀ କରିବେ ବୋଲି ଜଣାପଡ଼ିଛି।
ଆମଦାନି କରାଯାଇଥିବା ପିଆଜଗୁଡ଼ିକୁ ବିନା ଲାଭ-କ୍ଷତିରେ କିଲୋ ପିଛା ୫୫ ଟଙ୍କାରେ ବିକ୍ରୟ କରିବାକୁ ସରକାର ପ୍ରଥମେ ଯୋଜନା କରିଥିଲେ। କିନ୍ତୁ, ଲୋକେ ତାହା କିଣିବାକୁ ଆଗ୍ରହ ଦେଖାଉ ନ ଥିବାରୁ ସରକାର ଏବେ ସେଗୁଡ଼ିକୁ କିଲୋ ପିଛା ୨୫ ଟଙ୍କା ଦରରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି।
ଆର୍ଦ୍ରତା ପାଇଲେ ସହଜରେ ପଚିଶଢ଼ି ଯାଉଥିବାରୁ ପିଆଜକୁ ନିୟନ୍ତ୍ରିତ ପରିବେଶ ମଧ୍ୟରେ ରଖାଯିବା କଥା। ଏଗୁଡ଼ିକ ବିଦେଶୀ ପିଆଜ ହୋଇଥିବାରୁ ଖୁବ୍ ଶୀଘ୍ର ନଷ୍ଟ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆ ନ ଯାଇ ପାରେ। ତେଣୁ ଏଗୁଡ଼ିକୁ ଶେଷ କରିବାକୁ ସରକାର ବିଭିନ୍ନ ଉପାୟ କରୁଛନ୍ତି। ଶସ୍ତାରେ ବିକ୍ରୟ କରିବା ଛଡ଼ା ଏହି ପିଆଜଗୁଡ଼ିକୁ ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଏବଂ ମାଳଦ୍ୱୀପକୁ ରପ୍ତାନି କରିବାକୁ ସ୍ଥିର କରାଯାଇଛି।
Image Source: The Indian Expressଜାନୁଆରି ୧୬ ତାରିଖ ସୁଦ୍ଧା ସରକାରଙ୍କ ପାଖରେ ୨୨୦୦୦ ଟନ୍ ବିଦେଶୀ ପିଆଜ ଗଚ୍ଛିତ ଥିଲା। ଜାନୁଆରି ୨୫ ତାରିଖରେ ଆଉ ୮୦୦୦ ରୁ ୯୦୦୦ ଟନ୍ ବିଦେଶୀ ପିଆଜ ଆସି ପହଞ୍ଚିବ। ଏହାଛଡ଼ା ଜାନୁଆରି ଶେଷ ବେଳକୁ ଆହୁରି ୫୦୦୦ ରୁ ୬୦୦୦ ଟନ୍ ବିଦେଶୀ ପିଆଜ ଆସିବ।
ଏ ପର୍ଯ୍ୟନ୍ତ ସରକାର ‘ନାଫେଡ୍’କୁ ୨୦୦୦ ଟନ୍, ଆନ୍ଧ୍ରପ୍ରଦେଶକୁ ୯୦୦ ଟନ୍, ଉତ୍ତରପ୍ରଦେଶକୁ ୨୨୦ ଟନ୍, ତେଲେଙ୍ଗାନାକୁ ୧୨୦ ଟନ୍, ପଶ୍ଚିମବଙ୍ଗକୁ ୧୨୫ ଟନ୍ ଏବଂ ଉତ୍ତରାଖଣ୍ଡକୁ ୨୬୫ ଟନ୍ ବିଦେଶୀ ପିଆଜ ବିକ୍ରୟ କରିବାରେ ସମର୍ଥ ହୋଇଛନ୍ତି।
ଭାରତରେ ପିଆଜ ଅମଳ ଆରମ୍ଭ ହୋଇଥିଲେ ମଧ୍ୟ ଦର ବିଶେଷ ହ୍ରାସ ପାଇନାହିଁ। ତୁର୍କୀ ପିଆଜର ଆକାର ଖୁବ୍ ବଡ଼ ଏବଂ କଡ଼ା ସ୍ୱାଦ ନ ଥିବାରୁ ଚାହିଦା ନ ଥିବା କହି ବିଭିନ୍ନ ରାଜ୍ୟ ଏହକୁ ଖରିଦ କରିବାକୁ ଅରାଜି ହେଉଛନ୍ତି। କିନ୍ତୁ, ରିହାତି ମୂଲ୍ୟରେ ଏହି ପିଆଜ ଖରିଦ କରିବାକୁ ବାଂଲାଦେଶ ଆଗ୍ରହ ପ୍ରକାଶ କରିଛି।
Follow Us