ଇମ୍ରାନ୍‌ଙ୍କ ଆସନ ଟଳମଳ, ଇସ୍ତଫା ଦାବିରେ ବିଶାଳ ବିକ୍ଷୋଭ

Advertisment
ଇମ୍ରାନ୍‌ଙ୍କ ଆସନ ଟଳମଳ, ଇସ୍ତଫା ଦାବିରେ ବିଶାଳ ବିକ୍ଷୋଭ

ଇସଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ ଏବେ ଟଳମଳ ସ୍ଥିତିରେ ରହିଛି। ତାଙ୍କୁ ଗାଦିଚ୍ୟୁତ କରିବାପାଇଁ ପାକିସ୍ତାନରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଏବଂ ଶୋଭାଯାତ୍ରା ହୋଇଛି। ପାକିସ୍ତାନୀ ମୌଲାନା ତଥା ଦକ୍ଷିଣପନ୍ଥୀ ଜେୟୁଆଇ-ଏଫ୍‌ (ଜାମିଆତ ଉଲେମା ଏ ଇସଲାମ୍‌ ଫଜଲ) ମୁଖ୍ୟ ମୌଲାନା ଫଜ୍‌ଲୁର ରେହମାନ ଇମ୍ରାନ୍‌ଙ୍କ ବିରୋଧରେ ଆଜାଦୀ (ସ୍ବାଧୀନତା) ଶୋଭାଯାତ୍ରା ଆରମ୍ଭ କରିଛନ୍ତି। ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କ ସହ ମୌଲାନା ଫଜଲୁର ରେହମାନ ଅକ୍ଟୋବର ୨୭ ତାରିଖରେ ଦକ୍ଷିଣ ସିନ୍ଧୁ ପ୍ରଦେଶରୁ ଇମ୍ରାନ୍‌ଙ୍କୁ ଗାଦିଚ୍ୟୁତ କରିବା ଦାବିରେ ଶୋଭାଯାତ୍ରା ଆରମ୍ଭ କରିଥିଲେ। ୨୦୧୮ ସାଧାରଣ ନିର୍ବାଚନରେ ଇମ୍ରାନ ଜାଲିଆତି କରି କ୍ଷମତାକୁ ଆସିଥିବା ଅଭିଯୋଗ କରି ସେମାନେ ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି। ଆଜି ସକାଳେ ବିକ୍ଷୋଭକାରୀମାନେ ଇସଲାମାବାଦ୍‌ରେ ଆସି ପହଞ୍ଚିବା ପରେ ଅଣାୟତ୍ତ ସ୍ଥିତି ଉପୁଜିଛି। ସେନା ଓ ପୁଲିସର ବ୍ୟାପକ କଟକଣା ସତ୍ତ୍ବେ ଲକ୍ଷାଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି।

publive-image

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଯୋଗୁଁ ଦେଶର ଅର୍ଥନୀତିର କୁପରିଚାଳନା ହେଉଛି, ଅପାରଗତା ବଢ଼ିଛି ଏବଂ ଦେଶର ଶାସନ ବ୍ୟବସ୍ଥା ବି ଭୁଶୁଡ଼ି ପଡ଼ିଲା‌ଣି। ଏଥିଯୋଗୁଁ ସାଧାରଣ ଲୋକଙ୍କୁ ଅତି ଜଟିଳ ସ୍ଥିତି ଦେଇ ଗତି କରିବାକୁ ପଡ଼ୁଛି। ମୌଲାନା ରେହମାନ୍‌ଙ୍କ ନେତୃତ୍ବରେ ଅନେକ ସଂଖ୍ୟାରେ ମୌଲାନା ଏବଂ ପାକିସ୍ତାନର ପ୍ରମୁଖ ବିରୋଧୀ ଦଳ ନେତାମାନେ ସୁକ୍କୁର, ମୁଲତାନ୍‌, ଲାହୋର ଏବଂ ଗୁର୍ଜନୱାଲା ଦେଇ ଆଜି ଇସଲାମାବାଦ୍‌ରେ ପହଞ୍ଚିଛନ୍ତି। ରେହମାନ ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ଇସ୍ତଫା ନ‌ଦେବେ ତେବେ ଦେଶରେ ଅରାଜକତା ସୃଷ୍ଟି ହେବ। ଏହି ଆନ୍ଦୋଳନ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି। ପାକସ୍ତାନ ମୁସଲିମ୍‌ ଲିଗ୍‌ -ନୱାଜ୍‌ (ପିଏମଏଲ-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସମର୍ଥକମାନେ ଏହି ସରକାର ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ବିକ୍ଷୋଭକାରୀମାନଙ୍କୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପିପିପି ମୁଖ୍ୟ ବିଲୱାଲ ଭୁଟ୍ଟୋ ଜର୍ଦ୍ଦାରି କହିଛନ୍ତି, ଇମ୍ରାନ୍‌ ଖାନ୍‌ଙ୍କୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ଏବଂ ସେ ଗୋଟିଏ ମୁହୂର୍ତ୍ତ ବି କ୍ଷମତାରେ ରହିବା ଉଚିତ ନୁହେଁ। ଗୋଟିଏ ପଟେ ଆନ୍ଦୋଳନ ଜୋରଦାର ହୋଇଥିବାବେଳେ ଅନ୍ୟପକ୍ଷେ ପାକିସ୍ତାନୀ କର୍ତ୍ତୃପକ୍ଷମାନେ ଆନ୍ଦୋଳନକାରୀଙ୍କୁ ରୋକିବାପାଇଁ ବିଶାଳ ସୁରକ୍ଷା ବ‌ନ୍ଦୋବସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe