ସଂସଦ ଭଙ୍ଗ ପାଇଁ ପ୍ରସ୍ତାବ ଦେଲେ ଇମ୍ରାନ୍‌: ‘ଷଡ଼ଯନ୍ତ୍ର’ ଅଭିଯୋଗକୁ ଆମେରିକାର ଖଣ୍ଡନ

Advertisment

ଅନାସ୍ଥା ବିତର୍କ ପୂର୍ବରୁ ଏପ୍ରିଲ ୩ ପର୍ଯ୍ୟନ୍ତ ସଂସଦ ମୁଲତବୀ, କାହା ଆଗରେ ମୁଣ୍ଡ ନୁଆଁଇବିନି: ଇମ୍ରାନ୍

ଅନାସ୍ଥା ବିତର୍କ ପୂର୍ବରୁ ଏପ୍ରିଲ ୩ ପର୍ଯ୍ୟନ୍ତ ସଂସଦ ମୁଲତବୀ, କାହା ଆଗରେ ମୁଣ୍ଡ ନୁଆଁଇବିନି: ଇମ୍ରାନ୍

ପାକିସ୍ତାନର ବିଭାଜନ ହୋଇପାରେ : ଇମ୍ରାନ ଖାଁଙ୍କ ଆଶଙ୍କା

civicus.org

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଆସନ ବଞ୍ଚାଇବା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି। ପିଟିଆଇ ମେଣ୍ଟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଟାଳିବା ଏବଂ ଏଥିରୁ ବର୍ତ୍ତିବା ପାଇଁ ଇମ୍ରାନ୍‌ ଶେଷ ଚାଲ୍‌ ଖେଳିଛନ୍ତି। ବିରୋଧୀ ନେତାଙ୍କୁ ଇମ୍ରାନ୍‌ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଯଦି ସେମାନେ ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରିନିଅନ୍ତି ତା’ହେଲେ ସେ ତୁରନ୍ତ ସଂସଦକୁ ଭଙ୍ଗ ପାଇଁ ସୁପାରିସ କରିବେ ଏବଂ ଆଗୁଆ ନିର୍ବାଚନ ହେବ। ତେବେ ବିରୋଧୀ ଦଳ ନେତାମାନେ ଇମ୍ରାନ୍‌ଙ୍କୁ ଅପମାନିତ କରି ବିଦା କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁନାହାନ୍ତି। ବିରୋଧୀ ଦଳ ନେତା ଶାହବାଜ ସରିଫ୍‌ଙ୍କୁ ଅନାସ୍ଥା ପ୍ରତ୍ୟାହାର ପାଇଁ ଇମ୍ରାନ୍‌ ପ୍ରସ୍ତାବ ଦେବାପରେ ଆଜି ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି)ର ଜରୁରୀ ବୈଠକ ଡକାଇଥିଲେ। ତେବେ ଅନ୍ତରୀଣ ସୁରକ୍ଷା ଆଳରେ ଇମ୍ରାନ୍‌ କୌଣସି ଚାଲ୍‌ ଖେଳିଲେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ବିରୋଧୀ ଦଳ ନେତାମାନେ ଚେତାବନୀ ଦେଇଛନ୍ତି। ସରିଫ୍‌ ପାକିସ୍ତାନ ସମ୍ବିଧନାର ଧାରା ଏ-୯୫ ଅଧୀନରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ଏବଂ ଏଥିରେ ୧୬୧ ଜଣ ସଦସ୍ୟଙ୍କ ଦସ୍ତଖତ ଥିଲା। ଏହା ଉପରେ ମତଦାନ ଆସନ୍ତା ୩ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଥିବା ବେଳେ ଆଜି ଏହା ଉପରେ ବିତର୍କ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଗୃହକୁ ୩ ତାରିଖ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ଇମ୍ରାନଙ୍କ ଦୁଇ ଘନିଷ୍ଠ ସହଯୋଗୀ ମୁତ୍ତାହିଦା କ୍ବାମି ମୁଭ୍‌ମେଣ୍ଟ (ଏମ୍‌କ୍ୟୁଏମ୍‌) ଏବଂ ବଲୁଚିସ୍ତାନ ଅୱାମି ପାର୍ଟି (ବିଏପି) ବିରୋଧୀ ମେଣ୍ଟରେ ସାମିଲ ହୋଇଯାଇଛି। ୩୪୨ ସଦସ୍ୟ ବିଶିଷ୍ଟ ତଳ ସଦନରେ ସରକାର ବଞ୍ଚାଇବା ପାଇଁ ୧୭୨ ଭୋଟ୍‌ ଆବଶ୍ୟକ ଥିବା ବେଳେ ଏବେ ଇମ୍ରାନ୍‌ଙ୍କ ପାଖରେ ତାହା ନାହିଁ। ଅନ୍ୟପକ୍ଷରେ ବିରୋଧୀ ଦଳ ପକ୍ଷରୁ ଆଜି ମେଣ୍ଟର ୧୭୫ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ସରକାର ହଟାଇବାକୁ ବିଦେଶୀ ରାଷ୍ଟ୍ର (ଆମେରିକା) ଷଡ଼ଯନ୍ତ୍ର କରୁଥିବା ନେଇ ଇମ୍ରାନ୍‌ଙ୍କ ଅଭିଯୋଗ ଏବଂ ପ୍ରମାଣ ଭାବେ ଏକ ଚିଠି ଦେଖାଇବାକୁ ବିରୋଧୀ ଦଳ ନେତାମାନେ ନିନ୍ଦା କରିଛନ୍ତି। ଆଭ୍ୟନ୍ତରୀଣ ପତ୍ରାଳାପକୁ ଷଡ଼ଯନ୍ତ୍ରପୂର୍ଣ୍ଣ ଭାବେ ଉପସ୍ଥାପନ କରି ଇମ୍ରାନ୍‌ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଇସ୍‌ଲାମାବାଦ ହାଇକୋର୍ଟ ମଧ୍ୟ ଏଭଳି ଚିଠି ସାର୍ବଜନୀନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ବିଦେଶ ବିଭାଗ ପକ୍ଷରୁ ଆଜି ବିବୃତି ଜାରି କରି କୁହାଯାଇଛି ଯେ ଇମ୍ରାନ୍‌ ଖାନ୍‌ଙ୍କ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଆମେରିକାର କୌଣସି ସଂପୃକ୍ତି ନାହିଁ କିମ୍ବା ଏ ନେଇ ଆମେରିକାର କୌଣସି ଅଧିକାରୀ କାହାକୁ କିଛି ପତ୍ର ଲେଖିନାହାନ୍ତି। ସୂଚନାଯୋଗ୍ୟ, ଇମ୍ରାନ୍‌ ଅଭିଯୋଗ କରିଥିଲେ ଯେ ତାଙ୍କର ରୁଷ୍‌ ଗସ୍ତ ଯୋଗୁଁ ସରକାର ହଟାଇବାକୁ ବହୁତ ବଡ଼ ଷଡ଼ଯନ୍ତ୍ର ହୋଇଛି ଏବଂ ଏଥିପାଇଁ ବିରୋଧୀ ଦଳ ନେତାମାନଙ୍କୁ ଏକ ବିଦେଶୀ ରାଷ୍ଟ୍ର (ଆମେରିକା) ଅର୍ଥ ‌ଯୋଗାଇଛି।

କାହା ଆଗରେ ମୁଣ୍ଡ ନୁଆଁଇବିନି: ଇମ୍ରାନ୍
ଇସଲାମାବାଦ: ଇମ୍ରାନ୍‌ ଖାନ୍‌ଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ନିମନ୍ତେ ପାକିସ୍ତାନ ସଂସଦ ରବିବାର ଯାଏ ମୁଲତବୀ ରହିବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ଖାନ୍ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ଇମ୍ରାନ୍ କହିଲେ ଯେ, ସେ ଦେଶସେବା କରିବା ପାଇଁ ରାଜନୀତିକୁ ଆସିଥିଲେ। କାହା ଆଗରେ ମୁଣ୍ଡ ନୁଆଁଇବେ ନାହିଁ। ସେ ହେଉଛନ୍ତି ଜଣେ ଭାଗ୍ୟବାନ୍ ବ୍ୟକ୍ତି ଯାହାଙ୍କୁ ଆଲ୍ଲା ନାମ, ଯଶ ଓ ସମ୍ପଦ ସହ ସବୁ ଦେଇଛନ୍ତି। ସେ ହେଉଛନ୍ତି ଏକ ସ୍ବାଧୀନ ଦେଶରେ ଜନ୍ମଗ୍ରହଣ କରିଥିବା ପ୍ରଥମ ପିଢ଼ିର ନାଗରିକ। କେବଳ ଷଡ଼ଯନ୍ତ୍ର କରି ସରକାର ପତନ ପାଇଁ ହେଉଥିବା ଉଦ୍ୟମକୁ ଦେଶବାସୀ କ୍ଷମା ଦେବେନାହିଁ ବୋଲି ସେ କହିଛନ୍ତି। ଇମ୍ରାନ ତାଙ୍କ ଉଦ୍‌ବୋଧନରେ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସରିଫ ନେପାଳରେ ଗୁପ୍ତରେ ଭେଟୁଥିଲେ ବୋଲି ଇମ୍ରାନ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ସଂସଦ ରବିବାର ଦିନ ୧୧ଟା ଯାଏ ମୁଲତବି ରହିଛି ଏବଂ ସେହି ଦିନ ୧୧ଟାରେ ହିଁ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବ। ଇମ୍ରାନ୍ ଖାନ୍‌ଙ୍କ ସରକାର ୩୪୨-ସଦସ୍ୟ ବିଶିଷ୍ଟ ସଂସଦରେ ଏବେ ମାତ୍ର ୧୬୪ ସଦସ୍ୟଙ୍କୁ ନେଇ ସଂଖ୍ୟାଲଘୁ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe