Image Courtsy: News18
ଇସଲାମାବାଦ: ବେଆଇନ ବିବାହ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ ପାର୍ଟି (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାଁଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଣ-ଇସଲାମିକ ବିବାହ ମାମଲାରେ ଇମ୍ରାନ୍ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଶନିବାର କୋର୍ଟ ଦୋଷମୁକ୍ତ କରିଛନ୍ତି। ଏହା ଏକମାତ୍ର ଘଟଣା ଥିଲା, ଯେଉଁଥିପାଇଁ ସେ ଗତ ବର୍ଷ ଅଗଷ୍ଟ ମାସରୁ ଜେଲରେ ଅଛନ୍ତି। ତେବେ ଏହି ମାମଲାରେ ଦୋଷମୁକ୍ତ ହେବାର ମାତ୍ର ଏକ ଘଣ୍ଟା ପରେ ଲାହୋରର ଏକ ଆତଙ୍କବାଦ ନିରୋଧୀ ଅଦାଲତ ଗତ ବର୍ଷ ମେ ୯ ତାରିଖରେ ହୋଇଥିବା ହିଂସା ସଂକ୍ରାନ୍ତ ତିନୋଟି ମାମଲାରେ ତାଙ୍କୁ ଗିରଫ କରିବାକୁ ଅନୁମତି ଦେଇଦେଇଛନ୍ତି। ଏହି କାରଣରୁ ସେ ଏବେ ଜେଲରୁ ବାହାରିପାରିବେ ନାହିଁ ।
ଇମ୍ରାନଙ୍କ ଦଳ ପିଟିଆଇ ତାଙ୍କ ଗିରଫଦାରୀ ଆଦେଶକୁ ବେଆଇନ ଭାବେ ଜେଲରେ ରଖିବା ପାଇଁ ଏକ କୌଶଳ ବୋଲି କହିଛି। ଗତ ଫେବ୍ରୁଆରି ୮ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଇସଲାମାବାଦର ଏକ ଅଦାଲତ ଫେବ୍ରୁଆରି ୩ ତାରିଖରେ ବୁଶରା ବିବିଙ୍କ ପୂର୍ବତନ ସ୍ୱାମୀ ଖାଓ୍ଵାର ଫରିଦଙ୍କ ଅଭିଯୋଗ ଆଧାରରେ ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଇସଲାମ ଧର୍ମରେ ସ୍ୱାମୀଙ୍କ ଛାଡ଼ପତ୍ର କିମ୍ବା ମୃତ୍ୟୁ ପରେ ଜଣେ ମହିଳା ୪ ମାସ ପର୍ଯ୍ୟନ୍ତ ପୁନଃବିବାହ କରିପାରିବେ ନାହିଁ।
Follow Us