ସାଢ଼େ ୩ ବର୍ଷରେ ବିଦାହେଲେ ଇମ୍ରାନ

Advertisment
ସାଢ଼େ ୩ ବର୍ଷରେ ବିଦାହେଲେ ଇମ୍ରାନ

Image Courtesy of India Today

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଗତରାତିରେ ୬୯ ବର୍ଷୀୟ ଇମ୍ରାନ ଖାନ୍‌ ବିଦା ହୋଇଛନ୍ତି। ଅନାସ୍ଥା ଭୋଟରେ ସରକାର ପରାଜିତ ହେବା ପରେ ଇମ୍ରାନଙ୍କର ପ୍ରାୟ ସାଢ଼େ ୩ ବର୍ଷ ଶାସନର ଅନ୍ତ ଘଟିଛି। ପାକିସ୍ତାନର ୭୫ ବର୍ଷ ଇତିହାସରେ ଇମ୍ରାନ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯେ କି ଅନାସ୍ଥା ଭୋଟରେ ହାରି ଗାଦିଚ୍ୟୁତ ହୋଇଛନ୍ତି। ନିର୍ବାଚନ ସମୟରେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ଅଭିଯୋଗ ତାଙ୍କ ବିରୋଧରେ ସହଯୋଗୀ ଦଳଗୁଡ଼ିକ ପ୍ରଥମେ ଆଣିଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୭୪ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ଇମ୍ରାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନସାଫ (ପିଟିଆଇ) ଦଳ ଭୋଟିଂ ବେଳେ ସଂସଦରେ ଅନୁପସ୍ଥିତ ଥିଲେ। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ପାକିସ୍ତାନରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କାର୍ଯ୍ୟକାଳ କ୍ଷମତାରେ ରହିପାରି ନାହାନ୍ତି। ସେହିଭଳି ୭୫ ବର୍ଷରୁ ପାଖାପାଖି ଅଧା ସମୟ ଏଠାରେ ସେନା କ୍ଷମତାରେ ରହିଛି। ଇମ୍ରାନଙ୍କ ଅନାସ୍ଥା ପ୍ରସ୍ତାବର ଘଟଣାକ୍ରମ ଏହିଭଳି ରହିଥିଲା।

ନଭେମ୍ବର-ଡିସେମ୍ବର: ପିପିପି ନେତା ଖୁର୍ସିଦ ଶାହ ପ୍ରଥମ ଥର ଲାଗି କହିଥିଲେ ଯେ ଇମ୍ରାନ ଖାନ୍‌ଙ୍କୁ ବିଦା କରିବା ଲାଗି ବିରୋଧୀଙ୍କ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟା ରହିଛି। ସରକାର ପରିବର୍ତ୍ତନ ପାଇଁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି ବୋଲି ଏହାର ମାସକ ପରେ ପିଏମଏଲ-ଏନର ଆୟାଜ ସାଦିକ୍‌ ଆଭାସ ଦେଇଥିଲେ।

ଜାନୁଆରି: ପିପିପି ପକ୍ଷରୁ କୁହାଯାଇଥିଲା ବିରୋଧୀ ଇମ୍ରାନଙ୍କୁ ବିଦା କରିବାକୁ ଚାହୁଛନ୍ତି। ଏହାର ମାସକ ପରେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମଧ୍ୟରେ ଅନାସ୍ଥା ପ୍ରସ୍ତାବ ସଂପର୍କରେ ଆଲୋଚନା କରିଥିଲେ। ନ୍ୟାସନାଲ ଆସେମ୍ବ୍ଲିର ବିରୋଧୀ ଦଳ ନେତା ଶାହବାଜ ସରିଫ ଇମ୍ରାନଙ୍କ ପ୍ରମୁଖ ସହଯୋଗୀ ମୁତ୍ତାହିଦା କ୍ବାମି ‌ମୁଭମେଣ୍ଟ (ପାକିସ୍ତାନ) ସହ ଏ ନେଇ ଆଲୋଚନା କରିଥିଲେ।

ଫେବ୍ରୁଆରି: ଏସବୁ ମଧ୍ୟରେ ଏମକ୍ୟୁଏମ-ପି ସରକାରଙ୍କ ନୀତି ବିରୋଧରେ ଗମ୍ଭୀର ପ୍ରସଙ୍ଗ ଉଠାଇଥିଲା। ଦେଶରେ ଇନ୍ଧନ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି ଏବଂ ଦୁର୍ବଳ ଅର୍ଥନୈତିକ ପରିଚାଳନା ପାଇଁ ଏହି ଦଳ ସରକାରଙ୍କ ନୀତିକୁ ଦାୟୀ କରିଥିଲା।

ଫେବ୍ରୁଆରି ୧୧: ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ମୁଖ୍ୟ ମୌଲାନା ଫଜଲୁର ରହେମାନ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଇମ୍ରାନ୍‌ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ଘୋଷଣା କଲେ।

ମାର୍ଚ୍ଚ ୮: ନ୍ୟାସନାଲ ଆସେମ୍ବ୍ଲିର ସଚିବାଳୟରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ ହେଲା। ବାଚସ୍ପତି କାର୍ଯ୍ୟାଳୟରେ ନଥିବା ଯୋଗୁ ସଚିବାଳୟରେ ପ୍ରସ୍ତାବକୁ ଦାଖଲ କରାଯାଇଥିଲା।

ମାର୍ଚ୍ଚ ୧୨: ପିଏମଏଲ-ଏନ ସୁପ୍ରିମୋ ନୱାଜ ସରିଫ ଏବଂ ଅସନ୍ତୁଷ୍ଟ ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଅଲିମ ଖାନ ଲଣ୍ଡନରେ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ନେଇ ଆଲୋଚନା କଲେ।

ମାର୍ଚ୍ଚ ୨୧: ଦଳବଦଳ ‌ଅଭିଯୋଗରେ ସମ୍ବିଧାନର ଧାରା ୬୩(କ)ର ବ୍ୟାଖ୍ୟା କରିବା ପାଇଁ ପାକିସ୍ତାନ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା।

ମାର୍ଚ୍ଚ ୨୭: ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବ ବିଦେଶରୁ ଏକ ଷଡ଼୍‌ଯନ୍ତ୍ର ବୋଲି ଇମ୍ରାନ ଖାନ ଦାବି କରିଥିଲେ।

ମାର୍ଚ୍ଚ ୨୮: ଶାହବାଜ ସରିଫ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

ମାର୍ଚ୍ଚ ୩୧: ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିକୁ ଏପ୍ରିଲ ୩ ପର୍ଯ୍ୟନ୍ତ ମୁଲତବୀ ‌ଘୋଷଣା କରାଗଲା।

ଏପ୍ରିଲ ୩: ସୁରକ୍ଷା ଦୃଷ୍ଟିରୁ ନ୍ୟାସନାଲ ଆସେମ୍ବ୍ଲିରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ। ‌ଅସାମ୍ବିଧାନିକ କହି ଉପବାଚସ୍ପତି କାସିମ ସୁରୀ ଅନାସ୍ଥା ଭୋଟକୁ ପ୍ରତ୍ୟାଖ୍ୟାନ କରିଥିଲେ। ଇମ୍ରାନ ଖାନ୍ ଆଗୁଆ ନିର୍ବାଚନ ପାଇଁ ସୁପାରିସ କରିଥିଲେ।

ଏପ୍ରିଲ ୭: ଭଙ୍ଗ ସଂସଦକୁ ପୁନଃ କାର୍ଯ୍ୟକ୍ଷମ କରିବା ସହିତ ଏପ୍ରିଲ ୯ରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏପ୍ରିଲ ୮: ଅନାସ୍ଥା ଭୋଟ ହେବାର ଦିନକ ପୂର୍ବରୁ ଇମ୍ରାନ ପାକିସ୍ତାନ ରାଜନୀତିରେ ଆମେରିକାର ହସ୍ତକ୍ଷେପ ପ୍ରସଙ୍ଗ ଉଠାଇଥିଲେ।

ଏପ୍ରିଲ ୯: ଦିନସାରା ରାଜନୈତିକ ଛକାପଞ୍ଝା ଓ ବଡ଼ ଧରଣର ନାଟକ ପରେ ମଧ୍ୟରାତ୍ରିରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହୋଇଥିଲା। ଏଥିରେ ଇମ୍ରାନ ହାରିବା ସହିତ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe