Image Courtesy of India Today
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୁରୁବାର ଦିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସମାଲୋଚନା କରିବା ସହିତ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।
ଇମ୍ରାନ୍ କହିଛନ୍ତି, ଯଦି ଗୋଟିଏ ଦେଶରେ ଆଇନ ବ୍ୟବସ୍ଥା ରହିବ ନାହିଁ ସେଠି ଦୁର୍ନୀତି ହେବ। ବିଶ୍ବରେ ଏଭଳି ଗୋଟିଏ ରାଷ୍ଟ୍ର ନାହିଁ ଯାହାର ନେତାଙ୍କର ଦେଶ ବାହାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବ। ଏପରିକି ଆମ ପଡ଼ୋଶୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାରତ ବାହାରେ କେତେ ସମ୍ପତ୍ତି ଅଛି ? ଗୋଟିଏ ପଟେ ଇମ୍ରାନ ମୋଦୀଙ୍କ ଦୁର୍ନୀତି ବିରୋଧୀ ନୀତିକୁ ପ୍ରଶଂସା କରିଥିବା ବେଳେ ଅନ୍ୟପଟେ ନୱାଜଙ୍କର ଦେଶ ବାହାରେ ଯେତିକି ସମ୍ପତ୍ତି ଅଛି ତାହା କେହି କଳ୍ପନା କରିପାରିବେନି ବୋଲି କହିଛନ୍ତି।
ପୂର୍ବରୁ ମଧ୍ୟ ଇମ୍ରାନ ଭାରତର ସ୍ବାଧୀନ ବିଦେଶ ନୀତିକୁ ଭୂୟସୀ ପ୍ରଶଂସା କରିଥିଲେ। ପାଶ୍ଚାତ୍ୟ ରାଷ୍ଟ୍ରର ଚାପ ସତ୍ତ୍ବେ ଭାରତ ରୁଷ୍ଠାରୁ ରିହାତି ଦରରେ ତୈଳ କିଣିବା ପ୍ରସଙ୍ଗରେ ଇମ୍ରାନ ଭାରତକୁ ପ୍ରଶଂସା କରିଥିଲେ। ଇମ୍ରାନ କହିଛନ୍ତି, କୌଣସି ମହାଶକ୍ତି ବି ଭାରତ ଉପରେ ସେମାନଙ୍କ ଇଚ୍ଛାକୁ ଲଦି ଦେଇପାରିବେନି।
Follow Us