ନୂଆଦିଲ୍ଲୀ : ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ୧୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦,୬୬୫ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ମାମଲାରେ ୯୪ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦୈନିକ ସଂକ୍ରମଣ ଗତକାଲି ୫୪୮୧ ଥିଲା। ମେ’ ୧୨ ପରେ ଦିଲ୍ଲୀରେ ଆଜି ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ଦିଲ୍ଲୀରେ ପଜିଟିଭ୍ ହାର ୧୦ ପ୍ରତିଶତ ଟପିଯାଇଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦିଲ୍ଲୀର ପଜିଟିଭ୍ ହାର ଏବେ ୧୧.୮୮ ପ୍ରତିଶତ ଥବା ବେଳେ ସକ୍ରିୟ ମାମଲା ୨୩,୩୦୭ ରହିଛି।। ସଂକ୍ରମଣ ବଢ଼ିବାରୁ ଦିଲ୍ଲୀରେ ଖୁବ୍ଶୀଘ୍ର ଲକ୍ଡାଉନ୍ ହୋଇପାରେ।
ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀରେ ଏବେ ପଞ୍ଚମ ଲହର ଚାଲିଛି ଏବଂ ସଂକ୍ରମଣ ଆଗକୁ ଜଟିଳ ରୂପ ନେଇପାରେ। ଦିଲ୍ଲୀରେ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ୫ ପ୍ରତିଶତରୁ କମ୍ ଅଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଦିଲ୍ଲୀ ବାସିନ୍ଦା ଆଦୌ ଅବହେଳା ନକରି କରୋନା କଟକଣା ପାଳନ କରିବା ସହ କରୋନା ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଜୈନ କହିଛନ୍ତି। ସଂକ୍ରମିତ ହେଉଥିବା ନୂଆ କରୋନା ରୋଗୀଙ୍କଠାରେ କୌଣସି ଲକ୍ଷଣ ନାହିଁ। ତେଣୁ ଏଥିରେ ଭୟ କରିବାର କିଛି ନାହିଁ। ଜୈନ କହିଛନ୍ତି, ଦେଶରେ ଏବେ ତୃତୀୟ ଲହର ଚାଲିଥିବା ବେଳେ ଦିଲ୍ଲୀରେ ପଞ୍ଚମ ଲହର ଚାଲିଛି। ଦିଲ୍ଲୀରେ ଘରୋଇ ହସ୍ପିଟାଲମାନଙ୍କରେ ବେଡ୍ ୧୦ ପ୍ରତିଶତରୁ ୪୦ ପ୍ରତିଶତ ବୃଦ୍ଧି କରିବାପାଇଁ କୁହାଯାଇଛି।
Follow Us