କୋଲ୍କାତା: ଆଜି ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଏକ ପୂଜା ପେଣ୍ଡାଲ୍ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଦୁର୍ଗାପୂଜା ଉତ୍ସବରେ ଯୋଗ ଦେଇଛନ୍ତି।
କୋଲ୍କାତାସ୍ଥିତ ‘ଇଷ୍ଟର୍ଣ୍ଣ ଜୋନାଲ୍ କଲ୍ଚୁରାଲ୍ ସେଣ୍ଟର୍’ରେ ଏକ ପେଣ୍ଡାଲ୍ ଉନ୍ମୋଚନ କରିବା ପରେ ପ୍ରଧାନମନ୍ତ୍ରୀ ବଙ୍ଗଳାରେ ଭର୍ଚ୍ୟୁଆଲ୍ ଅଭିଭାଷଣ ଆରମ୍ଭ କରି ବଙ୍ଗବାସୀଙ୍କୁ ସମ୍ବୋଧନ କରିଥିଲେ। ସେ କହିଲେ, ଆପଣମାନଙ୍କ ଗହଣରେ ବଙ୍ଗରେ ଥିବା ପରି ମୋର ମନେହେଉଛି। ଆପଣମାନଙ୍କ ସହ ପୂଜା ପାଳନ କରି ମୁଁ କୃତାର୍ଥ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, କୋଭିଡ୍-୧୯ ସମୟରେ ଆମେ ଦୁର୍ଗାପୂଜା ପାଳନ କରୁଥିବାରୁ ଭକ୍ତବୃନ୍ଦ ଉତ୍ତମରୂପେ ଭାବାବେଗ ଦମନ କରି ରଖିଛନ୍ତି। ପୂଜାରେ ଜନସମାଗମ କମି ଯାଇଥାଇ ପାରେ କିନ୍ତୁ, ବର୍ଣ୍ଣାଢ଼୍ୟତା ଓ ଅଧ୍ୟାତ୍ମିକତାରେ ପରିବର୍ତ୍ତନ ହୋଇନାହିଁ। ସୁଖ ଓ ଆନନ୍ଦର ସୀମାନାହିଁ। ଏହା ହିଁ ହେଉଛି ବାସ୍ତବ ବଙ୍ଗ। ଦୁର୍ଗାପୂଜା ଭାରତର ଏକତା ଓ ଶକ୍ତି ଏବଂ ବଙ୍ଗର ପରମ୍ପରା ଓ ସଂସ୍କୃତିର ପ୍ରତିଫଳନ କରେ।
Image Courtesy of Zee Newsଲୋକମାନଙ୍କୁ କୋଭିଡ୍-୧୯ ନିୟମ ପାଳନ କରିବା କଥା କହି ପ୍ରଧାନମନ୍ତ୍ରୀ କହିଲେ, ଉତ୍ସବ ପାଳନ ବେଳେ ଦୁଇ ଗଜର ଦୂରତା ଓ ମାସ୍କ ପରିଧାନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
ବଙ୍ଗର ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, ବଙ୍ଗ ସବୁ କ୍ଷେତ୍ରରେ ଭାରତ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଓ ପଥ ପ୍ରଦର୍ଶନ କରିଛି। ବଙ୍ଗର ଅନେକ ବ୍ୟକ୍ତି ଜାତିକୁ ଉଚିତ ମାର୍ଗରେ ପରିଚାଳିତ କରିଛନ୍ତି। ବଙ୍ଗବାସୀ ଭାରତକୁ ଗୌରବାନ୍ବିତ କରିଛନ୍ତି।
ପଶ୍ଚିମବଙ୍ଗର ୨୯୪ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପୋଲିଙ୍ଗ୍ ବୁଥ୍ରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭର୍ଚ୍ୟୁଆଲ୍ ଭାଷଣର ସିଧା ପ୍ରସାରଣ ବ୍ୟବସ୍ଥା କରିଥିଲା। ୨୪୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାର୍ଟିଦ୍ବାରା ଚିହ୍ନିତ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
Follow Us