ନେହରୁଙ୍କ ସପକ୍ଷରେ ମଧ୍ୟ ପାଲଟା ଆକ୍ରମଣ ହେଲାଣି

ନେହରୁଙ୍କ ସପକ୍ଷରେ ମଧ୍ୟ ପାଲଟା ଆକ୍ରମଣ ହେଲାଣି

୨୦୧୪ ପରଠାରୁ ଯଦି କଂଗ୍ରେସର ସବୁଠୁ ବଡ଼ ଅପାରଗତା କ’ଣ ବୋଲି ପ୍ରଶ୍ନ ହୁଏ, ବିଭିନ୍ନ ଉତ୍ତର ମଧ୍ୟରେ ଏହା ମଧ୍ୟ ଆସିବ ଯେ, ସ୍ବାଧୀନତା ପରବର୍ତ୍ତୀ ଭାରତର ସବୁଠୁ ବଡ଼ କଂଗ୍ରେସ ନେତା ନେହରୁଙ୍କୁ ଖଳନାୟକ ଚିତ୍ରଣ କରାଯିବା ପ୍ରକ୍ରିୟାକୁ କଂଗ୍ରେସ ଅଟକାଇପାରିଲା ନାହିଁ। ନେହରୁଙ୍କୁ ସୁରକ୍ଷା ଦେବାରେ କଂଗ୍ରେସ ବିଫଳ ହେବା ଦେଖି, ହାତ ପୂରାଉପୂରାଉ କହୁଣୀ ପୂରେଇବା ନ୍ୟାୟରେ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ କିଛି ଦକ୍ଷିଣପନ୍ଥୀ ମୌଳବାଦୀ ନୀଚା ଦେଖାଇବାରେ ଲାଗିପଡ଼ିଲେଣି। ବେଶ୍ କିଛି ପରିମାଣରେ ସଫଳ ବି ହେଲେଣି। ସମସ୍ତେ ଜାଣନ୍ତି, ମୋଦୀଙ୍କ ପରି ନେହରୁଙ୍କୁ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ କଡ଼ା ଭାଷାରେ ଖୋଲା ସମାଲୋଚନା କରିନଥିବେ। ନଭେମ୍ବର ୧୪ ନେହରୁ ଜୟନ୍ତୀରେ କିମ୍ବା ୨୭ ମେ’ ନେହରୁଙ୍କ ଶ୍ରାଦ୍ଧ ଦିବସରେ ଶାନ୍ତିବନକୁ ଯାଇ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଇବା ତ ଦୂରର କଥା, ସାମାଜିକ ଗଣମାଧ୍ୟମରେ ଧାଡ଼ିଏ ଔପଚାରିକତା କରିବା ଛଡ଼ା ମୋଦୀ ଆଉ କିଛି କରନ୍ତି ନାହିଁ।

publive-image

ଏଥର ମଧ୍ୟ ବ୍ୟତିକ୍ରମ ନ ଥିଲା। ଟ୍ବିଟ୍‌ କରି (ସାବରକର ଓ ନେହରୁଙ୍କ ପ୍ରତି ମୋଦୀଙ୍କ ଦୁଇଟି ଲେଖାଏଁ ଶ୍ରଦ୍ଧାଞ୍ଜଳି ଟ୍ବିଟ୍‌କୁ ଲୋକେ ପୋଷ୍ଟ କରିଛନ୍ତି) ସେଇ ଧାଡ଼ିଏରେ କାମ ସାରିଦେବାରୁ ଲୋକେ କିନ୍ତୁ ଏଥର କିଛିଟା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ‌ ବେଳକୁ ପାରାଗ୍ରାଫଟିଏ ଲେଖିପାରୁଛନ୍ତି, ଅଥଚ ଆଧୁନିକ ଭାରତର ନିର୍ମାତାଙ୍କ ପାଇଁ ଆପଣଙ୍କ କଲମ ଧାଡ଼ିଏରୁ ଅଧିକ ଚାଲୁନାହିଁ! ବରଂ ମୂଳରୁ ଟ୍ବିଟ୍ କରିନଥାନ୍ତେ ନାହିଁ, ଏମିତି ମନରେ ଗୋଟିଏ ଓ ବାହାରେ ଅଲଗା ଭାବ ଦେଖାଇବାର କିଛି ମାନେ ନାହିଁ। ବିଦେଶରେ ଯାଇ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରୁଛ, ଅଥଚ ନିଜ ଦଳର କାର୍ଯ୍ୟକର୍ତ୍ତା ବାପୁଙ୍କ ବିରୋଧରେ ବିଷୋଦ୍‌ଗାର କଲାବେଳେ ନଜାଣିଲା ପରି ହେଉଛ! (ବିଦେଶରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମୋଦୀ ଉନ୍ମୋଚନ କରୁଥିବା ଭିଡିଓ ମଧ୍ୟ ପୋଷ୍ଟ ହୋଇଛି) ଜଣେ ଲେଖିଛନ୍ତି, ମୁଁ ନିକଟରେ ସ୍ଲୋଭାକିଆ ଯାଇଥିଲି। ଆମ ଗାଇଡ୍ ଉଭୟ ନେହରୁ ଓ ଇନ୍ଦିରାଙ୍କ ପ୍ରଶଂସାରେ ଶତମୁଖ ହୋଇଉଠୁଥିଲା। ଅଥଚ ଆପଣ ସେମାନଙ୍କୁ ଗାଳିଦେଇଚାଲିଛନ୍ତି। ଯଦି ସବରକରଙ୍କୁ ଏତେ ପ୍ରଶଂସା କରିବାର ଅଛି, ତାଙ୍କ ଜୟନ୍ତୀରେ ନୂଆ ସଂସଦ ଭବନ ଉଦ୍‌ଘାଟନ କରୁଛୁ ବୋଲି ନିଜ ୫୬ ଇଞ୍ଚ୍‌ ଛାତିରେ ହାତ ରଖି ଆପଣ ଖୋଲାଖୋଲି କହୁନାହାନ୍ତି କାହିଁକି? ଏତେ ସବୁ ଲୁକ୍କାୟିତ ଏଜେଣ୍ଡା କାହିଁକି? ଏହି ପୋଷ୍ଟରେ ଏକାଧିକ ପ୍ରତିକ୍ରିୟାରେ ଏହା ମଧ୍ୟ କୁହାଯାଇଛି:- ଜଣେ ମହିଳା ଥରେ ପ୍ରଧାନମନ୍ତ୍ରୀ ନେହରୁଙ୍କ କଲର୍‌ ଭିଡ଼ି ସ୍ବାଧୀନତାରୁ ଆମେ ପାଇଲୁ କ’ଣ ବୋଲି ପ୍ରଶ୍ନ କଲାରୁ ନେହରୁଙ୍କ ଉତ୍ତର ଥିଲା, ପ୍ରଧାନମନ୍ତ୍ରୀଙ୍କ କଲର୍ ଭିଡ଼ିବାର ସ୍ବାଧୀନତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe