୨୦୧୯ ଲୋକସଭା ନିର୍ବାଚନ: ୯୧ ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

Advertisment
୨୦୧୯ ଲୋକସଭା ନିର୍ବାଚନ: ୯୧ ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

Image Courtesy of Zee News

ନୂଆଦିଲ୍ଲୀ: ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି ୭ ପର୍ଯ୍ୟାୟବିଶିଷ୍ଟ ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ଭୋଟ୍‌ ଗ୍ରହଣ। ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନ ଲାଗି ଭୋଟ୍‌ ଗ୍ରହଣ ଚାଲିଛି। ଏହାଛଡ଼ା ଅରୁଣାଚଳ ପ୍ରଦେଶ, ସିକିମ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ବିଧାନସଭା ଆସନଗୁଡ଼ିକ ନିମନ୍ତେ ମଧ୍ୟ ଭୋଟ୍‌ ଗ୍ରହଣ ହେଉଛି।

ଏଇ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି: ୨୦୧୯ ଲୋକସଭା ନିର୍ବାଚନ ଆଜି ଆରମ୍ଭ ହେଉଛି। ପ୍ରଥମ ପର୍ଯ୍ୟାୟରେ ଯେଉଁମାନଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ଚାଲିଛି ସେମାନେ ଆଗେଇ ଆସି ରେକର୍ଡ ସଂଖ୍ୟକ ଭୋଟ୍‌ ଦେବାକୁ ମୁଁ ଆହ୍ଵାନ କରୁଛି। ବିଶେଷକରି ମୁଁ ତରୁଣମାନଙ୍କୁ ଓ ପ୍ରଥମ କରି ଭୋଟ୍‌ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍‌ମାନଙ୍କୁ ବହୁ ସଂଖ୍ୟାରେ ଭୋଟ୍‌ ଦେବାକୁ ନିବେଦନ କରୁଛି।

publive-image Image Credit: ANI

ନାଗପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଦେବା ପରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି: ଭୋଟ୍‌ ଦେବା ଆମର କର୍ତ୍ତବ୍ୟ, ପ୍ରତ୍ୟେକ ବ୍ୟକ୍ତି ଭୋଟ୍‌ ଦେବା ଉଚିତ।

ଓଡ଼ିଶାର ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲୋକେ ଭୋଟ୍‌ ଦେବା ପାଇଁ ବୁଥ୍‌ଗୁଡ଼ିକରେ ପହଞ୍ଚିଛନ୍ତି। ଓଡ଼ିଶାର ମାଲକାନଗିରି ଜିଲ୍ଲା ନବରଙ୍ଗପୁର ସଂସଦୀୟ ନିର୍ବାଚନ ମଣ୍ଡଳୀର ଅଂଶବିଶେଷ।

ତେଲୁଗୁ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶରେ ନୂତନ ବିଧାନସଭା ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଛି।

ପଶ୍ଚିମବଙ୍ଗର କୁଚ୍‌ ବିହାର ୧୭୩, ୧୭୪ ଏବଂ ୧୭୫ ନମ୍ବର ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଲୋକେ ୨୦୧୯ ଲୋକସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଦେବାକୁ ଧାଡ଼ି ବାନ୍ଧିଛନ୍ତି।

ଆସାମର ଡିବ୍ରୁଗଡ଼ ଠାରେ ମଧ୍ୟ ଲୋକେ ଉତ୍ସାହର ସହ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଆସିଛନ୍ତି। ସେଠାରେ ୫ଟି ଲୋକସଭା ଆସନ ନିମନ୍ତେ ଆଜି ଭୋଟ୍‌ ଗ୍ରହଣ କରାଯାଉଛି।

ବିହାରର ୪ଟି ଲୋକସଭା ଆସନରେ ମଧ୍ୟ ଆଜି ଭୋଟ୍‌ ଗ୍ରହଣ ଚାଲିଛି। ଏହି ଚାରିଟି ଆସନ ପାଇଁ ପ୍ରାୟ ୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗୟା, ଜାମୁଇ, ନଓ୍ଵାଡ଼ା ଏବଂ ଔରଙ୍ଗାବାଦ ଆଦି ସ୍ଥାନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଔରଙ୍ଗାବାଦର ସିଲିୟାସ୍ଥିତ ୯ ନମ୍ବର ବୁଥ୍‌ ନିକଟରୁ ଗୋଟାଏ ବିସ୍ଫୋରକ (ଆଇଡି) ମିଳିଥିବା କଥା ଗୟା ଏସ୍‌ଏସ୍‌ପି ରାଜୀବ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe