The Cheat Sheet
ନୂଆଦିଲ୍ଲୀ: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ୧୩.୯ ଲକ୍ଷ ରହିଛି। ତେବେ ୨୦୨୫ ବେଳକୁ ଏହି ସଂଖ୍ୟା ୧୫.୭ ଲକ୍ଷ ହୋଇଯିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଓ ବେଙ୍ଗାଲୁରୁ ସ୍ଥିତ ଜାତୀୟ ରୋଗ ସୂଚନା ଓ ଗବେଷଣା କେନ୍ଦ୍ର(ଏନ୍ସିଡିଆଇଆର୍) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ବର୍ତ୍ତମାନ ଜାରି ରହିଥିବା କର୍କଟ ରୋଗୀଙ୍କ ବୃଦ୍ଧିହାରକୁ ଭିତ୍ତି କରି ଆଇସିଏମ୍ଆର୍ ଏପରି ଆକଳନ କରିଛି। ବିଶେଷ କରି ଜନସଂଖ୍ୟା ଉପରେ ପର୍ଯ୍ୟବସିତ ୨୮ଟି କର୍କଟ ପଞ୍ଜୀକରଣ କେନ୍ଦ୍ର ଓ ୫୮ଟି ଡାକ୍ତରଖାନାର ପଞ୍ଜୀକରଣରୁ ସଂଗୃହୀତ ତଥ୍ୟକୁ ଜାତୀୟ କର୍କଟ ପଞ୍ଜିକା ଯୋଜନା ରିପୋର୍ଟ-୨୦୨୦ ହିସାବରେ ପ୍ରକାଶିତ ହୋଇଛି।
ସେହିପରି ବର୍ତ୍ତମାନ ଦେଖାଦେଇଥିବା ମୋଟ କର୍କଟ ମାମଲା ମଧ୍ୟରେ ୩.୭ ଲକ୍ଷ ବା ୨୭.୧ ପ୍ରତିଶତ ହେଉଛନ୍ତି କେବଳ ତମାଖୁ ଜନିତ ବୋଲି ଏଥିରେ କୁହାଯାଇଛି। ମୋଟାମୋଟି ଭାବେ ପୁରୁଷ ରୋଗୀଙ୍କ କ୍ଷେତ୍ରରେ ସାଧାରଣତଃ ଫୁସ୍ଫୁସ୍, ମୁଖଗହ୍ବର, ପାକସ୍ଥଳୀ ଓ ନିଗଳ(ଓସୋଫାଗସ) ପରି ପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ କେବଳ ୨ ଲକ୍ଷ ବା ୧୪.୮ ପ୍ରତିଶତ ହେଉଛନ୍ତି ସ୍ତନକର୍କଟରେ ଆକ୍ରାନ୍ତ। ସେହିପରି ୭୫ ହଜାର ବା ୫.୪ ପ୍ରତିଶତ ପୀ଼ଡ଼ିତ ମହିଳାଙ୍କ ଠାରେ ଗର୍ଭାଶୟ କର୍କଟ ଦେଖାଦେଇଛି। ତେବେ ଉଭୟ ପୁରୁଷ ଓ ମହିଳା ରୋଗୀମାନଙ୍କ ମଧ୍ୟରୁ ୨.୭ ଲକ୍ଷ ବା ୧୯.୭ ପ୍ରତିଶତଙ୍କ ଠାରେ ଅନ୍ତ୍ରାଶୟ କର୍କଟ ହୋଇଥିବା ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି।
Follow Us