Business Insider
ନ୍ୟୁୟର୍କ: ସବୁଠୁ ବିକଶିତ ଓ ସବୁଠୁ ଶିକ୍ଷିତ ଲୋକଙ୍କ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ହାହାକାର। କରୋନା ବିଶ୍ୱମହାମାରୀ କବଳରେ ପଡ଼ି ଛାରଖାର ହୋଇଥିବା ଅଞ୍ଚଳରେ ଲୋକେ ଲମ୍ବା ଲକ୍ଡାଉନ୍ ମଧ୍ୟରେ କର୍ମସଂସ୍ଥାନ ହରାଇବା ସହ କ୍ଷୁଧା ଅନାହାରରେ ପଡିଲେଣି। ତେଣୁ ମଙ୍ଗଳବାର ଖାଦ୍ୟବ୍ୟାଙ୍କ୍ ସାମ୍ନାରେ ପ୍ରାୟ ହଜାରେ କାର୍ ଲମ୍ବାଧାଡ଼ିରେ ଥିବା ଦେଖାଯାଇଛି। ଆପଣ ହୁଏତ ଜାଣିଥିବେ ଯେ ବିନା କାର୍ରେ ଆମେରିକାରେ ଜୀବନଯାପନ ଅସମ୍ଭବ। ଆହାର ମୁଠେ ପାଇଁ ଅନ୍ନଛତ୍ରରେ ଭିଡ଼ ଲଗାଇବାଟା ଏକ ଏତିହାସିକ ଦୃଶ୍ୟ ପାଲଟିଛି।
ଗ୍ରେଟର ପିଟ୍ସ୍ବର୍ଗ କମ୍ୟୁନିଟି ଫୁଡ୍ ବ୍ୟାଙ୍କ୍ରେ ଭିଡ଼ ହିଁ ଦେଶର ପରିସ୍ଥିତି ବୟାନ କରିଛି। ବିଭିନ୍ନ ବେପାରବଣିଜ ବନ୍ଦ ହୋଇଯିବାରୁ ଦେଶବାସୀ ଅନ୍ନଛତ୍ର ଉପରେ ଭରସା କରୁଛନ୍ତି। ପ୍ରାୟ ୨୨୭ ଟନ୍ ଖାଦ୍ୟର ପ୍ୟାକେଟ୍ ସବୁ ବଣ୍ଟନ ପରେ କାର୍ରେ ବୋଝେଇ କରି ବିପନ୍ନମାନେ ବୋହି ନେଇଛନ୍ତି। ଖାଦ୍ୟ ବାଣ୍ଟୁଥିବା ଏକ ବଦାନ୍ୟ ସଂସ୍ଥାର ଜଣେ ମୁଖ୍ୟ କହିଛନ୍ତି, ''ବହୁତ ଲୋକ ଆମ ସେବା ପ୍ରଥମ ଥର ବ୍ୟବହାର କରୁଛନ୍ତି। ଏମିତି ଖାଦ୍ୟବ୍ୟାଙ୍କ ଉପରେ ନିର୍ଭରଶୀଳତା ଅତୀତରେ କେବେ ହୋଇନଥିଲା।'' କେବଳ ଦକ୍ଷିଣପଶ୍ଚିମ ପେନ୍ସିଲ୍ଭାନିଆରେ ୩୫୦ଟି ଏଭଳି ବିତରଣ କେନ୍ଦ୍ରରେ ବିପନ୍ନମାନଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଇଦିଆଯାଉଛି।
 ABC News
୨୨୦୦ କୋଟି ଡଲାରର ଆପାତକାଳୀନ ରିଲିଫ୍ ପ୍ୟାକେଜ୍ ଗତମାସରେ ଆମେରିକୀୟ କଂଗ୍ରେସ ମଂଜୁର କରିସାରିଛି। ଯେଉଁଥିରେ ଖାଦ୍ୟବ୍ୟାଙ୍କଗୁଡ଼ିକ ପାଇଁ ୮୫୦୦ ଲକ୍ଷ ଡଲାରର ରିଲିଫ୍ ରାଶି ସାମିଲ ଅଛି। ତେବେ ସମ୍ଭବତଃ ଏପ୍ରିଲ ୯ ତାରିଖରେ ସାନ୍ ଆଣ୍ଟୋନିଓ, ଟେକ୍ସାସ୍ରେ ଖାଦ୍ୟ ଅସୁରକ୍ଷାର ସବୁଠୁ ବଡ଼ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳୁଥିଲା। କାରଣ ସେଦିନ ୧୦ ହଜାର କାର୍ ଏକ ଖାଦ୍ୟ ବ୍ୟାଙ୍କ୍ ସାମ୍ନାରେ ଦେଖିବାକୁ ମିଳିଥିଲା। ଏପରିକି ରାତି ପାହିବା ଆଗରୁ ବି କିଛି ପରିବାର ଧାଡ଼ି ଲଗାଇଥିବା ଦେଖାଯାଇଥିଲା। ଲକ୍ଡାଉନ୍ରେ ସବୁ ରେସ୍ତୋରାଁ ବନ୍ଦ ଥିବାରୁ ବଜାରରୁ କିଣି ଖାଇବାରେ ଅଭ୍ୟସ୍ତ ଆମେରିକୀୟମାନେ ଏବେ ପ୍ରାୟ ଏକ ଶତାବ୍ଦୀ ପଛକୁ ଫେରିଯାଇଛନ୍ତି। ତେଜରାତି ଦୋକାନରେ ବି ମାଲ୍ ସରିଗଲାଣି। ତେବେ ଯୁକ୍ତରାଷ୍ଟ୍ର ଆମେରିକାର ଖାଦ୍ୟ ଶିଳ୍ପୋଦ୍ୟୋଗମାନେ ଦାନ କରୁଥିବାରୁ ଅନେକ ଲୋକଙ୍କ ପେଟରେ ଦାନା ପଡୁଛି।
  
 Follow Us