କେରଳ, ତାମିଲନାଡ଼ୁରେ ସଂକ୍ରମଣରେଖା ତଳମୁହାଁ

Advertisment
କେରଳରୁ ମେଘାଳୟ, ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଲାଣି କରୋନା

The Hindu

ଚେନ୍ନାଇ: ଭାରତରେ ଅଧିକ ସଂକ୍ରମିତ ଇଲାକା ରୂପେ ଚର୍ଚାରେ ଥିବା କେରଳ ଓ ତାମିଲନାଡୁ ରାଜ୍ୟରେ ଏବେ କୋଭିଡ୍‌-୧୯ ମାମଲାର ସ୍ଥିତି ବଦଳିବାରେ ଲାଗିଛି। କେରଳରେ ପ୍ରତିଦିନ ନୂଆ ନୂଆ ମାମଲା ଯୋଗ ହେଉଥିଲା, ଏବେ ତାହା ଏକଅଙ୍କବିଶିଷ୍ଟ ସଂଖ୍ୟାକୁ ଖସିଆସିଛି। ସେହିଭଳି ତାମିଲନାଡୁରେ ଗତ ଏକ ସପ୍ତାହରେ ଯେତିକି ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି ତାହା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ରୋଗୀଙ୍କୁ ହସପିଟାଲରୁ ଖଲାସ କରାଯାଇଛି। କେରଳରେ ଏପ୍ରିଲ୍‌ ୧୧ରୁ ୧୭ ମଧ୍ୟରେ ୩୨ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨୯ ଜଣ ରୋଗୀ ଏ ସଂକ୍ରମଣରୁ ମୁକ୍ତି ପାଇଛନ୍ତି। ମୋଟ ମାମଲା ୩୯୫ ଥିଲା। କିଛି ଦିନ ତଳେ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଶଙ୍କା ପ୍ରକାଶ କରିଥିଲେ ଯେ ଏପ୍ରିଲ୍‌ ମଧ୍ୟଭାଗକୁ ଏ ସଂଖ୍ୟା ୫୦୦ ଛୁଇଁବ। ହେଲେ ଏବେ କେବଳ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କୋଭିଡ୍‌ ପଜିଟିଭ୍‌ ବାହାରୁଛନ୍ତି। ଅସଲରେ ଦେଶ ବାହାରୁ ଆସିଥିବା ନାଗରିକମାନଙ୍କ ମଧ୍ୟରୁ ସେମାନେ ବେଶି ବାହାରୁଛନ୍ତି। ଯେଉଁ ସଂଖ୍ୟା ୨୭୭ ରହିଛି। ଠିକ୍‌ ସମୟରେ ସଙ୍ଗରୋଧ କରି ଏହି ସଫଳତା ମିଳିଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୪ ଦିନିଆ ସଙ୍ଗରୋଧ ସୁପାରିଶ କରିଥିବା ବେଳେ ଅଧିକ ସଂକ୍ରମଣପ୍ରବଣ ଦେଶରୁ ଆଗତ ନାଗରିକମାନଙ୍କ ପାଇଁ କେରଳ ପ୍ରଶାସନ ୨୮ଦିନିଆ ସଙ୍ଗରୋଧ ଲାଗୁ କରିଥିଲା। ଏହା ହିଁ ସଂସ୍ପର୍ଶକୁ କମ୍‌ କରିଥିଲା। ତେବେ ମେ ୩ ପରେ ଯଦି ରାଜ୍ୟର ସୀମାକୁ ମୁକୁଳା କରି ଦିଆଯାଏ, ତେବେ ତାହା ରାଜ୍ୟର ସ୍ୱାସ୍ଥ୍ୟସେବା କଳକୁ ଚିନ୍ତାରେ ପକାଇବ ବେଲି କେରଳ ଡାକ୍ତର ସଂଘର ସମ୍ପାଦକ ଡା. ଜିଏସ୍‌ ବିଜୟକ୍ରିଷ୍ଣନ୍‌ ଆଶଙ୍କା ବ୍ୟକ୍ତ କରିଛନ୍ତି। ତାମିଲନାଡୁରେ ଗବେଷକ ଓ ମହାମାରୀତତ୍ତ୍ୱବିଦ୍‌ମାନେ କହିଛନ୍ତି ଯେ କୋଭିଡ୍‌-୧୯ ସଂକ୍ରମଣରେ ପୂର୍ଣଛେଦ ପଡ଼ିବାକୁ ଯାଉଛି। ଅଧିକରୁ ଅ଼ଧିକ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାରେ ଲାଗିଛନ୍ତି। ୫୬ଟି ନୂଆ ମାମଲା ଆସିଥିବା ବେଳେ ୧୦୩ ଜଣ ହସପିଟାଲରୁ ନିଜ ଘରକୁ ବାହୁଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe