କେରଳ ଗାଁରେ ମଲା ବିଲାତି ଚାକୁଣ୍ଡା ଗଛକୁ ବଞ୍ଚାଇବା ଲାଗି ୧୫ ହଜାର ଟଙ୍କାରେ ଆୟୁର୍ବେଦ ଚିକିତ୍ସା

କେରଳ ଗାଁରେ ମଲା ବିଲାତି ଚାକୁଣ୍ଡା ଗଛକୁ ବଞ୍ଚାଇବା ଲାଗି ୧୫ ହଜାର ଟଙ୍କାରେ ଆୟୁର୍ବେଦ ଚିକିତ୍ସା

Image Courtesy of The Times of India

କୋଟ୍ଟାୟାମ: କୋଟ୍ଟାୟାମର ଏକ ଗାଁରେ ଡାଳ କଟା ଯାଇଥିବା ଗୋଟାଏ ମୃତ ୬୭ ବର୍ଷର ବିଲାତି ଚାକୁଣ୍ଡାଗଛକୁ ଜୀବନ୍ୟାସ ଦେବା ଲାଗି ଆୟୁର୍ବେଦ ଚିକିତ୍ସା କରାଯାଉଛି।

ତିଦାନାଡ଼ ଗାଁକୁ ଚିହ୍ନାଉ ଥିବା ଏହି ବିଲାତି ଚାକୁଣ୍ଡାଗଛଟି ଗାଁମୁଣ୍ଡ ଛକକୁ ଛାଇ ପ୍ରଦାନ କରୁଥିଲା। ଏହା ମୂଳରେ ପିଣ୍ଡି ମଧ୍ୟ ନିର୍ମାଣ କରାଯାଇଥିଲା। କିନ୍ତୁ, ଏହି ଗଛର ଡାଳ ସବୁ ମଣିଷ ଜୀବନ ପ୍ରତି ବିପଦର କାରଣ ବୋଲି ଦର୍ଶାଇବା ସହ ଡାଳଗୁଡ଼ିକୁ କାଟି ପକାଇବାକୁ ପଞ୍ଚାୟତ ସଚିବ ଜିଲ୍ଲାପାଳଙ୍କୁ ଆବେଦନ କଲେ।

ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ‘ପିଡବ୍ଲୁଡି’କୁ ନିର୍ଦେଶ ଦେଲେ। ସ୍ଥାନୀୟ ଲୋକେ ଏ କଥା ଜାଣିବା ପୂର୍ବରୁ ‘ପିଡବ୍ଲୁଡି’ ଜିଲ୍ଲାପାଳଙ୍କ ଆଦେଶ କାର୍ଯ୍ୟକାରୀ କଲେ। ସେମାନେ ବିଲାତି ଚାକୁଣ୍ଡା ଗଛର ଡାଳଗୁଡ଼ିକୁ କାଟି ପକାଇଲେ। ଏହାପରେ ସେମାନେ ଗଛର ଗଣ୍ଡି କାଟିବାକୁ ପ୍ରସ୍ତୁତି କରୁଥିବା ବେଳେ ବୃକ୍ଷପ୍ରେମୀମାନେ ଘେରି ଆସିଲେ।

publive-image Representative Image Courtesy of NSS IIT Bombay- Wordpress.com

‘କୋଟ୍ଟାୟାମ୍ ନେଚର୍ ସୋସାଇଟି’, ‘ମୀନାଚିଲ୍ ରିଭର୍ ପ୍ରୋଟେକ୍ସନ୍ ଫୋରମ୍’ ଏବଂ ସମ୍ମିଳିତ କୃଷକ ଓ ତିଦାନାଡ଼ର ପ୍ରକୃତିପ୍ରେମୀ ସାମାଜିକ ଗଣମାଧ୍ୟମରେ ଏକତ୍ର ହେଲେ ଓ ଚିକିତ୍ସା କରି ଗଛର ଜୀବନ ଫେରାଇ ଆଣିବାକୁ ନିୟମ କଲେ। ଏହାପରେ ସେମାନେ ବୃକ୍ଷ ଡାକ୍ତର ଓକେ ବିନୁଙ୍କୁ ପରାମର୍ଶ କଲେ। ବିନୁ ତୁରନ୍ତ କାମରେ ଲାଗି ପଡ଼ିଲେ। ପ୍ରଥମେ ସେ ଅଦାଲତରୁ ରହିତାଦେଶ ଆଣି ଗଛର ବାକି ଅଂଶ କଟା ବନ୍ଦ କରାଇଲେ।

ବିନୁଙ୍କ ତତ୍ତ୍ବାବଧାନରେ ଏହି ସପ୍ତାହ ପ୍ରାରମ୍ଭରେ ଗଛର ଚିକିତ୍ସା ଆରମ୍ଭ ହେଲା। ପ୍ରଥମେ କଟା ଗଛଟିକୁ ଧୋଇ ପରିଷ୍କାର କରାଯିବା ପରେ ଏହା ଉପରେ ଆୟୁର୍ବେଦିକ ବାଟଣ ବୋଳାଗଲା। ଏହି ବାଟଣରେ ମିଶିଥିଲା ୧୪ଟି ସାମଗ୍ରୀ। ସେଗୁଡ଼ିକ ହେଉଛି ବିଲାତି ଚାକୁଣ୍ଡା ଗଛ ମୂଳର ମାଟି, ଧାନ ବିଲ ମାଟି, ଗୋଦୁଗ୍ଧ, ଘିଅ, ଗୋବର, କଦଳୀ, ମହୁ, ଖସା, ଯାଷ୍ଟିମଧୁ, ବିରି, କୁଶଚୂର୍ଣ୍ଣ, ଭାତ ଓ ମୁଗ। ଏହି ବାଟଣ ଲେପ ଦିଆଯିବା ପରେ ଗଛଟିକୁ କପଡ଼ାରେ ଗୁଡ଼ାଇ ଦିଆଯାଇଥିଲା। ଏଥିପାଇଁ ଖର୍ଚ୍ଚ ହୋଇଛି ୧୫ ହଜାର ଟଙ୍କା।

୪୩ଟି ଅସୁସ୍ଥ ବୃକ୍ଷ ବଞ୍ଚାଇ ଥିବା ବିନୁ କହନ୍ତି, ଛଅ ମାସ ମଧ୍ୟରେ ଗଛ ଗଣ୍ଡିରୁ ପୁଣି ଡାଳ କୁଆଁ ଦେବ। ବୃକ୍ଷ ଚିକିତ୍ସା ପଦ୍ଧତି ବିଭିନ୍ନ ହିନ୍ଦୁ ପୁରାଣରୁ ସେ ଶିଖିଛନ୍ତି। ଅନେକ ସଂସ୍କୃତ ବହିରେ ମଧ୍ୟ ବୃକ୍ଷ ଚିକିତ୍ସା କୌଶଳ ରହିଛି। ଏ ସବୁ ବୃକ୍ଷ ଆୟୁର୍ବେଦ ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe