ଭଗବାନ ବୁଦ୍ଧଙ୍କ ପ୍ରତି ଥିବା ଭକ୍ତି ଭାରତ ଏବଂ ନେପାଳକୁ ଏକତ୍ର କରିରଖିଛି: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଭଗବାନ ବୁଦ୍ଧଙ୍କ ପ୍ରତି ଥିବା ଭକ୍ତି ଭାରତ ଏବଂ ନେପାଳକୁ ଏକତ୍ର କରିରଖିଛି: ପ୍ରଧାନମନ୍ତ୍ରୀ ମୋଦୀ

ସାଂକେତିକ ଫଟୋ

ନୂଅ‌ାଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳ ଗସ୍ତ ସମୟରେ ତାଙ୍କର ପ୍ରତିପକ୍ଷ ସେର୍‌ ବାହାଦୁର ଦେଉବାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ ବୌଦ୍ଧ ଧର୍ମର ପ୍ରଚାରକ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି ମନ୍ଦିର ପରିଦର୍ଶନ କରିଛନ୍ତି।

ସେ ସେଠାରେ ଭାରତ ଓ ନେପାଳର ମଜବୁତ୍‌ ସଂପର୍କକୁ ନେଇ ନିଜର ମତ ରଖିଥିବା ବେଳେ ଦୁଇ ଦେଶର ଘନିଷ୍ଠତା ସମଗ୍ର ମାନବିକତାକୁ ସେବା ଯୋଗାଇବ ବୋଲି କହିଛନ୍ତି। ଭାରତ-ନେପାଳ ସମ୍ପର୍କ ଉପରେ ସେ କହିଛନ୍ତି, ଭାରତ ଏବଂ ନେପାଳ ମଧ୍ୟରେ ବଢ଼ୁଥିବା ତଥା ଦୃଢ଼ ହେଉଥିବା ବନ୍ଧୁତା ସମଗ୍ର ମାନବିକତାର ହିତ ପାଇଁ କାର୍ଯ୍ୟ କରିବ। ଭଗବାନ ବୁଦ୍ଧଙ୍କ ପ୍ରତି ଭକ୍ତି ଆମକୁ ଏପର୍ଯ୍ୟନ୍ତ ଏକତ୍ର କରିରଖିଛି।

ସେ ସେଠାରେ ଆହୁରି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ବି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ମୁଁ ଜାଣେ ଭାରତରେ ଯେତେବେଳେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ହେବ, ସେତେବେଳେ ନେପାଳର ଲୋକମାନେ ବି ସମାନ ପରିମାଣରେ ଆନନ୍ଦିତ ହେବେ।’

ଏହାଛଡ଼ା ମୋଦୀ ଓ ଦେଉବା ସେମାନଙ୍କ ଦ୍ବିପାକ୍ଷିକ ଆଲୋଚନା ସମୟ‌ରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗିତାକୁ ମଜବୁତ୍‌ କରିବା ସହ ବହୁମୁଖୀ ଦ୍ବିପାକ୍ଷିକ ସହଭାଗିତାର ବିକାଶ ଦିଗ‌ରେ କଥା ହୋଇଛନ୍ତି।

ସଂସ୍କୃତିକ ଓ ଶିକ୍ଷାଗତ କ୍ଷେତ୍ରରେ ସହଯୋଗିତାକୁ ନେଇ ଭାରତ ଓ ନେପାଳ ମଧ୍ୟରେ ୬ଟି ସ୍ମାରକ ସ୍ବାକ୍ଷରିତ ହୋଇଛି। ଏହା ମଧ୍ୟରେ ନେପାଳର ଲୁମ୍ବିନି ସଂଗ୍ରହାଳୟ ନିର୍ମାଣ ଅନ୍ତର୍ଭୁକ୍ତ ଅଛି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳୁ ଲୁମ୍ବିନିର ପ୍ରସିଦ୍ଧ ମାୟା ଦେବୀ ମନ୍ଦିର ଯାଇ ପ୍ରାର୍ଥନା କରିଥିଲେ। ତାଙ୍କ ସହ ନେପାଳର ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀ ଡକ୍ଟର ଅର୍ଜୁ ରାଣା ଦେଉବା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe