ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ମରିସସ୍ ମଧ୍ୟ ଶୋକ ପାଳନ କରିଛି। ଡ. ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମରିସସରେ ଶନିବାର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ନିଜର ଜାତୀୟ ପତାକା ଅର୍ଦ୍ଧନିମିତ୍ତ ରଖାଯାଇଥିଲା । ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ବିଜ୍ଞପ୍ତିଜାରି କରି ଘରୋଇ କ୍ଷେତ୍ରକୁ ଜାତୀୟ ପତାକା ଅର୍ଦ୍ଧନିମିତ୍ତ କରିବାକୁ ଅନୁରୋଧ କରିଥିଲା ।
ମରିସସ୍ ବୈଦେଶିକ ମନ୍ତ୍ରୀ ଧନଞ୍ଜୟ ରାମଫୁଲ ଶନିବାର ଦିଲ୍ଲୀ ଆସି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗ ପରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ଅନ୍ତିମ ସଂସ୍କାର ଦିନ ଶନିବାର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମସ୍ତ ସରକାରୀ କୋଠାରେ ମରିସସର ପତାକା ଅର୍ଦ୍ଧନିମିତ୍ତ ରହିବ। ଏହାପରେ ଦେଶର ବିଭିନ୍ନ ପ୍ରତିଷ୍ଠାନରେ ପତାକା ଅର୍ଦ୍ଧନିମିତ୍ତ ଥିବା ଦେଖାଯାଇଥିଲା ।
ସୂଚନାଯୋଗ୍ୟ ଯେ ହିନ୍ଦୁବହୁଳ ମରିସସ ସହ ଭାରତର ଉତ୍ତମ କୂଟନୈତିକ ଓ ସାଂସ୍କୃତିକ ସଂପର୍କ ରହିଛି ।
Follow Us