କ୍ୟାବିନେଟ ବୈଠକରେ ଲଫାଫା ଖୋଲି ବିଭାଗ ଜାଣିଥିଲେ ମନ୍ତ୍ରୀ

କ୍ୟାବିନେଟ ବୈଠକରେ ଲଫାଫା ଖୋଲି ବିଭାଗ ଜାଣିଥିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଜୁନ୍‌ ୯ ତାରିଖ ସନ୍ଧ୍ୟାରେ ଶପଥ ନେଇଥିଲେ। ଶପଥ ଗ୍ରହଣର ୨୦ ଘଣ୍ଟା ପର୍ଯ୍ୟନ୍ତ ବି ମନ୍ତ୍ରୀମାନେ ସେମାନଙ୍କ ବିଭାଗ ସମ୍ପର୍କରେ କିଛି ଜାଣିନଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ବିଭାଗ ବଣ୍ଟନ ସଂକ୍ରାନ୍ତରେ କେତେବେଳେ ବିଜ୍ଞପ୍ତି ଜାରି ହେବ ତାହା ଜାଣିବାପାଇଁ ମନ୍ତ୍ରୀ ଏବଂ ତାଙ୍କ କର୍ମଚାରୀମାନେ ଟିଭି ଏବଂ ୱେବସାଇଟ୍‌‌ରେ ବାରମ୍ବାର ଦେଖୁଥିବାବେଳେ ସେମାନଙ୍କ ଅପେକ୍ଷାର ଅନ୍ତ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂଆ‌ ସରକାରର ପ୍ରଥମ କ୍ୟାବିନେଟ୍‌ ବୈଠକରେ ‌ଶେଷ ହୋଇଥିଲା।

ବୈଠକରେ ପହଞ୍ଚିବା ସମୟରେ ସେମାନଙ୍କ ଆସନରେ ଏକ ଲଫାଫା ସେମାନଙ୍କୁ ସ୍ବାଗତ କରିଥିଲା। ଏହି ଲଫାଫାରେ ମନ୍ତ୍ରୀଙ୍କ ନାଁ ଏବଂ ତାଙ୍କୁ କେଉଁ ବିଭାଗ ମିଳିଛି ତାହା ଲେଖାଥିଲା‌। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ୨ଟି କାର୍ଯ୍ୟକାଳରେ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ବିଭାଗ ବଣ୍ଟନ ‌ନେଇ ବିଜ୍ଞପ୍ତି ଶୀଘ୍ର ଜାରି ହୋଇଥିଲା। କିନ୍ତୁ ଚଳିତ ଥର ତାହା ବିଳମ୍ବ ହୋଇଥିଲା। ୨୦୧୪‌ରେ ଶପଥ ଗ୍ରହଣ ଦିନ ହିଁ କାହାକୁ କେଉଁ ବିଭାଗ ମିଳିଛି ଜଣାପଡ଼ିଯାଇଥିଲା। କିନ୍ତୁ ଚଳିତ ଥର ଗଣମାଧ୍ୟମ ନିକଟରେ କିଛି ବି ଖବର ନଥିଲା। ଶେଷରେ ୧୦ ତାରିଖ ସନ୍ଧ୍ୟା ୬.୩୦ ପ‌ରେ କ୍ୟାବିନେଟ୍‌ ବୈଠକ ଶେଷ ହେବାପରେ ଟିଭି ସ୍କ୍ରିନ୍‌ ଏବଂ ୱେବସାଇଟ୍‌‌ରେ ମନ୍ତ୍ରୀମାନଙ୍କୁ କେଉଁ ବିଭାଗ ମିଳିଛି ଜଣାପଡ଼ିଥିଲା। ସନ୍ଧ୍ୟା ୭.୩୦ ବେଳକୁ ପୂରା ତାଲିକା ଆସିଥିଲା। ତେବେ କୁହାଯାଉଛି ଯେ ପ୍ରଥମ ଥର ପାଇଁ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ସଂକ୍ରାନ୍ତରେ କାଗଜରେ ଲେଖି ଲଫାଫାରେ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe