୩ ଉଷ୍ମତମ ବର୍ଷ ଭିତରେ ୨୦୨୦ ଚିନ୍ତାଜନକ ଥିଲା

Advertisment
ଅଂଶୁଘାତଜନିତ ମୃତ୍ୟୁ ପାଇଁ ତୁରନ୍ତ ସହାୟତା

ଜେନେଭା: ବିଶ୍ବରେ ସାମ୍ପ୍ରତିକ ହାରାହାରି ତାପମାତ୍ରା ପ୍ରାକ୍‌ ଶିଳ୍ପାୟନ ସମୟ (୧୮୫୦-୧୯୦୦)ସ୍ତର ଠାରୁ ୧.୨ ଡିଗ୍ରି ସେଲସିଅସ୍‌ ଅଧିକ ରହିଛି ଏବଂ ଏହି କ୍ରମରେ ଗତ ଛଅ ବର୍ଷ ଭିତରେ ଅନୁଭୂତ ୩ଟି ଉଷ୍ମତମ ବର୍ଷ ଭିତରେ ୨୦୨୦ ମସିହା ସବୁଠୁ ଚିନ୍ତାଜନକ ବୋଲି ବିଶ୍ବ ପାଣିପାଗ ସଂସ୍ଥା(ଡବ୍‌ଲ୍ୟୁଏମ୍‌ଓ) ଦ୍ବାରା ଏକ ଅନୁଧ୍ୟାନରୁ ଜଣାଯାଇଛି। ଏଭଳି ଅସ୍ବାଭାବିକ ପାଗ ସାଙ୍ଗକୁ କୋଭିଡ୍‌-୧୯ର ପରାକ୍ରମ ବିଶ୍ବ ବ୍ୟାପୀ କୋଟି କୋଟି ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ସୂଚନାନୁଯାୟୀ, ୨୦୧୫ ମସିହା ପରଠାରୁ ୨୦୨୦ ଯାଏ ବିଗତ ଛଅ ବର୍ଷ ହିଁ ମାତ୍ରାଧିକ ଉଷ୍ମତା ଅନୁଭୂତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୦୧୬, ୨୦୧୯ ଓ ୨୦୨୦ ଉଷ୍ମତମ ବର୍ଷ ରହିଥିଲା। ସେହିପରି ୨୦୧୧-୨୦ ହେଉଛି ସବୁଠୁ ଉଷ୍ମ ଦଶକ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଏଲ ନିନୋ ପରି ଉଷ୍ମୀକରଣ ପ୍ରକ୍ରିୟା ଯୋଗୁଁ ୨୦୧୬ ମସିହା ସବୁଠୁ ଉତ୍ତପ୍ତ ରହିଥିବା ବେଳେ ଲା ନିନା ପରି ପ୍ରାକୃତିକ ଶୀତଳୀକରଣ ପ୍ରକ୍ରିୟା ସତ୍ତ୍ବେ ୨୦୨୦ ମସିହା ଅସ୍ବାଭାବିକ ଭାବେ ତାହାର ବରାବର ସ୍ଥିତିରେ ରହିବା ପରିବେଶବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି। ସୁତରାଂ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ପ୍ରାକୃତିକ ପରିବର୍ତ୍ତନ ଠାରୁ ଆହୁରି ଶକ୍ତିଶାଳୀ ବୋଲି ସ୍ପଷ୍ଟ ହୋଇଛି।

ସୂଚନା ଥାଉ କି, ବିଶ୍ବ ପାଣିପାଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଜଣାପଡ଼ିବା ପରଠାରୁ ୧୯୯୩ ମସିହା ପରଠାରୁ ଦୀର୍ଘ ୨୮ ବର୍ଷ ଧରି ଡବ୍‌ଲ୍ୟୁଏମ୍‌ଓ ପକ୍ଷରୁ ଏପରି ତଥ୍ୟ ସଂଗୃହୀତ ହୋଇ ଆସିଛି। ସେବେଠାରୁ ସ୍ଥଳଭାଗ ଓ ସମୁଦ୍ର ତାପମାତ୍ରାରେ ବୃଦ୍ଧି ସମେତ ବରଫ ଓ ହିମଶୈଳ ତରଳିବା, ସମୁଦ୍ର ପତ୍ତନରେ ବୃଦ୍ଧି ଓ ବାଷ୍ପୀକରଣ ପ୍ରକ୍ରିୟାରେ ପରିବର୍ତ୍ତନ ଆଦି ଘଟଣା ଲକ୍ଷ୍ୟ କରାଯାଇଛି ବୋଲି ସଂସ୍ଥାର ମହାସଚିବ ପ୍ରଫେସର ପେଟ୍ଟେରି ତଲାସ କହିଛନ୍ତି। ଆସନ୍ତା ୨୨ରୁ ୨୩ ଯାଏ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଦ୍ବାରା ଆହୂତ ବିଶ୍ବସ୍ତରୀୟ ଜଳବାୟୁ ସମ୍ମିଳନୀରେ ବୃହତ୍‌ ଅର୍ଥନୀତି ସଂପନ୍ନ ରାଷ୍ଟ୍ରମାନଙ୍କୁ ସବୁଜଗୃହ ବାଷ୍ପ ନିର୍ଗମନ କମାଇବା ପାଇଁ ତାଗିଦ କରିବା ପୂର୍ବରୁ ଏହି ରିପୋର୍ଟ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe