Times of India
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଆସନ୍ତାକାଲି ପଶ୍ଚିମ ଉତ୍ତରପ୍ରଦେଶରେ ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଅଛି। ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା। ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ ଉପରୋକ୍ତ ନିର୍ବାଚନମଣ୍ଡଳିଗୁଡ଼ିକରେ ଆସନ୍ତାକାଲି ସକାଳ ୭ଟାରୁ ଭୋଟ୍ ଗ୍ରହଣ ହେବ ଏବଂ ସନ୍ଧ୍ୟା ୬ଟାରେ ଭୋଟ ପ୍ରକ୍ରିୟା ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ କିଛି ମନ୍ତ୍ରୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ମନ୍ତ୍ରୀମାନେ ହେଉଛନ୍ତି ଶ୍ରୀକାନ୍ତ ଶର୍ମା, ସୁରେଶ ରଣା, ସନ୍ଦୀପ ସିଂହ, କପିଳ ଦେବ ଅଗ୍ରୱାଲ୍, ଅତୁଲ ଗାର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣ। ଆସନ୍ତାକାଲି ଶାମ୍ଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ଼, ମଥୁରା ଏବଂ ଆଗ୍ରାରେ ଭୋଟ୍ ଗ୍ରହଣ ଅଛି। ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟ୍ ଗ୍ରହଣ ହେଉଛି। ଏହି ଅଞ୍ଚଳରୁ କୃଷକମାନେ ବ୍ୟାପକ ଭାବେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀ ନିର୍ବାଚନୀ ଦୌଡ଼ରେ ଅଛନ୍ତି। ଏହି ପର୍ଯ୍ୟାୟରେ ୨.୨୭ କୋଟି ଭୋଟର ଭୋଟ୍ ଦେବାପାଇଁ ଯୋଗ୍ୟ। ଉଲ୍ଲେଖଯୋଗ୍ୟ ୨୦୧୭ରେ ବିଜେପି ଏହି ୫୮ ଆସନରୁ ୫୩ଟିରେ ଜିତିଥିଲା। ସମାଜବାଦୀ ପାର୍ଟି ଏବଂ ବିଏସ୍ପି ୨ଟି ଲେଖାଏଁ ଆସନରେ ଜିତିଥିଲେ ଏବଂ ରାଷ୍ଟ୍ରୀୟ ଲୋକ ଦଳ ଗୋଟିଏ ଆସନ ହାସଲ କରିଥିଲା।
Follow Us