ରାଜନୈତିକ ଦଳଙ୍କ କଳା କାରନାମା: ପଦାକୁ ଆଣିଲା ଆୟକର ବିଭାଗ

କୋଟି କୋଟି ଟଙ୍କା ବେଆଇନ ଚାନ୍ଦା ନେଇଛନ୍ତି, ଦୋକାନ, ବସ୍ତିରୁ ପରିଚାଳିତ ହେଉଛି

ଜବତ ୭୫ ଲକ୍ଷର ହିସାବ ମାଗିଲା ଆୟକର ବିଭାଗ

Image Courtesy of India Today

ନୂଆଦିଲ୍ଲୀ: ଦେଶରେ ଏକାଧିକ ରାଜନୈତିକ ଦଳଙ୍କ କଳା କାରନାମାକୁ ଆୟକର ବିଭାଗ ପଦାରେ ପକାଇଛି। କୋଟି କୋଟି ଟଙ୍କାର ଚାନ୍ଦା ନେଇଥିବା ଏଭଳି ରାଜନୈତିକ ଦଳଗୁଡ଼ିକ ବସ୍ତି, ଦୋକାନ ଏବଂ ଫ୍ଲାଟରୁ ପରିଚାଳିତ ହେଉଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିବା ପରେ ଏହା ଜାଣିବାକୁ ପାଇଛି। ପଞ୍ଜୀକୃତ ହୋଇଥିବା କିନ୍ତୁ ସ୍ବୀକୃତି ପାଇ ନଥିବା ଏଭଳି ଏକ ରାଜନୈତିକ ଦଳକୁ ଉତ୍ତର ପ୍ରଦେଶର ସୁଲତାନପୁରରୁ ଆୟକର ବିଭାଗ ଠାବ କରିଛି ଯିଏକି ଏକ ଘଣ୍ଟା ମରାମତି ଦୋକାନରୁ ପରିଚାଳିତ ହେଉଥିଲା। ଗତ ତିନି ବର୍ଷ ମଧ୍ୟରେ ଏହି ଦଳ ୩୭୦ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଛି। ଘଣ୍ଟା ମରାମତି ଦେକାନ ଚଳାଉଥିବା ବ୍ୟକ୍ତିଜଣକ କହିଛନ୍ତି ସେ ଦଳର ସଭାପତି ଥିବା ଜାଣିଛନ୍ତି, କିନ୍ତୁ ଚାନ୍ଦା ଗ୍ରହଣ କରିବା କିମ୍ବା ଚାନ୍ଦା ବଦଳରେ ସାର୍ଟିଫିକେଟ ପ୍ରଦାନ ସଂପର୍କରେ ସେ କିଛି ଜାଣିନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି, ଦଳର ରାଜ୍ୟ ସଭାପତି ଗୁଜରାଟର ଅହମଦାବାଦରେ ରହୁଛନ୍ତି। ସେ ଏହି କାର୍ଯ୍ୟରେ ସଂଶ୍ଳି‌ଷ୍ଟ ଥାଇପାରନ୍ତି। ଅହମଦାବାଦରେ ସଂପୃକ୍ତ ବ୍ୟକ୍ତିକୁ ଆୟକର ବିଭାଗ ଧରିବା ପରେ ସେ ଏହା ସ୍ବୀକାର କରିଛନ୍ତି ଯେ ୩ ପ୍ରତିଶତ କମିସନ ନେଇ ସେ ଏଭଳି ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଅବଶିଷ୍ଟ ଟଙ୍କା ସ୍ତର ସ୍ତର ହୋଇ ଫେରସ୍ତ ହେଉଥିଲା। ନଗଦ ଆକାରରେ ଯେଉଁମାନେ ଚାନ୍ଦା ଦେଉଥିଲେ ସେମାନଙ୍କ ପାଖକୁ ଏହି ଟଙ୍କା ଫେରୁଥିଲା।

କୋଟି କୋଟି ଟଙ୍କା ବେଆଇନ ଚାନ୍ଦା ନେଇଛନ୍ତି
ଦୋକାନ, ବସ୍ତିରୁ ପରିଚାଳିତ ହେଉଛି

ଆୟକର ବିଭାଗର ଅଧିକାରୀମାନେ ମୁମ୍ବାଇର ଏକ ବସ୍ତିରେ ମଧ୍ୟ ଏଭଳି ଏକ ରାଜନୈତିକ ଦଳକୁ ଠାବ କରିଛନ୍ତି। ୧୦୦ ବର୍ଗଫୁଟର ଝୁମ୍ପୁଡ଼ି ଘରେ ଏହି ଦଳ ଚାଲୁଛି। ଗତ ଦୁଇବର୍ଷ ମଧ୍ୟରେ ପାଖାପାଖି ୧୦୦ କୋଟି ଟଙ୍କା ଏହି ଦଳ ଚାନ୍ଦା ଆକାରରେ ପାଇଛି ବୋଲି ବ୍ୟାଙ୍କ ରେକର୍ଡରୁ ଜଣାଯାଇଛି। ନିର୍ବାଚନ କମିସନରେ ଏହି ଦଳ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସ୍ବୀକୃତି ପାଇନାହିଁ। ଦଳର ସଭାପତିଙ୍କୁ ଏ ସଂପର୍କରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ ସେ ସଭାପତି ମାନ୍ୟତା ପାଇଛନ୍ତି। କିନ୍ତୁ ଚାନ୍ଦା ଓ ଅନ୍ୟାନ୍ୟ କାର୍ଯ୍ୟ ଅହମଦାବାଦରେ ଅବସ୍ଥିତ ଅଡିଟରଙ୍କ ଦ୍ବାରା ଚାଲିଥିଲା। ଦଳ ପକ୍ଷରୁ ଦିଆଯାଇଥିବା ଚାନ୍ଦା ସାର୍ଟିଫିକେଟକୁ ବ୍ୟବହାର କରି ଅନେକ ଲୋକ ଟିକସ ରିହାତି ଦାବି କରିଛନ୍ତି। ସେହିଭଳି ମୁମ୍ବାଇର ବୋରିଭାଲିରେ ଏକ ଛୋଟ ଫ୍ଲାଟରୁ ମଧ୍ୟ ଏକ ରାଜନୈତିକ ଦଳ ପରିଚାଳିତ ହେଉଛି ଏବଂ ଏହି ଦଳ ୫୦ କୋଟି ଟଙ୍କା ଚାନ୍ଦା ନେଇ ବିଭିନ୍ନ ସଂସ୍ଥାକୁ ସାର୍ଟିଫିକେଟ ପ୍ରଦାନ କରିଛି। ମୁମ୍ବାଇ ଏବଂ ଗୁଜରାଟରେ ରହିଥିବା ଏଭଳି ରାଜନୈତିକ ଦଳ ୨୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ୨୦୪୪ଟି ରାଜନୈତିକ ଦଳ ପଞ୍ଜୀକୃତ ହୋଇଛନ୍ତି। କିନ୍ତୁ ଏଥିରୁ ମାତ୍ର ୫୫ଟି ଦଳ ସ୍ବୀକୃତି ପାଇଛନ୍ତି।

ବିରୋଧୀଙ୍କ ସମାଲୋଚନା
ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ବୁଧବାର ଦେଶର ଏକାଧିକ ସ୍ଥାନରେ ଟିକସ ଫାଙ୍କି, ଏଫସିଆରଏ ଉଲ୍ଲଂଘନ, ଅଣସ୍ବୀକୃତ ରାଜନୈତିକ ଦଳଙ୍କୁ ଚାନ୍ଦା ପ୍ରଦାନ ଆଦି ପ୍ରସଙ୍ଗରେ ଚଢ଼ଉ ହୋଇଥିଲା। ଏହି ଚଢ଼ଉକୁ ବିରୋଧୀ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଦେଶରେ ସ୍ବାଧୀନ ଗଣମାଧ୍ୟମକୁ ହଟାଇବା ପାଇଁ ଏହା କରାଯାଇଛି ବୋଲି ସେମାନେ କହିଛନ୍ତି। କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି ସ୍ବାଧୀନ ମିଡିଆକୁ ପାଣ୍ଠି ପ୍ରଦାନ କରୁଥିବା ଦାତବ୍ୟ ସଂସ୍ଥାଗୁଡ଼ିକ ଉପରେ ଚଢ଼ଉ ହେବା ଘଟଣା ତାଙ୍କୁ ବିସ୍ମିତ କରିଛି। ସ୍ବାଧୀନ ମିଡିଆକୁ ମୂଳପୋଛ କରିବା ଲାଗି ଏହା କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe