‘ସିପିଆର୍‌’, ‘ଅକ୍ସଫାମ୍‌’ ଏବଂ ‘ଆଇପିଏସ୍‌ଏମ୍‌ଏଫ୍‌’ରେ ଆୟକର ବିଭାଗର ଖାନତଲାସ

Advertisment
‘ସିପିଆର୍‌’, ‘ଅକ୍ସଫାମ୍‌’ ଏବଂ ‘ଆଇପିଏସ୍‌ଏମ୍‌ଏଫ୍‌’ରେ ଆୟକର ବିଭାଗର ଖାନତଲାସ

Image Courtesy of NDTV

ନୂଆଦିଲ୍ଲୀ: ‘ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ’ (ସିପିଆର) ନାମକ ସ୍ବାଧୀନ ‘ଥିଙ୍କ୍‌ ଟ୍ୟାଙ୍କ୍‌’, ଦାତବ୍ୟ ସଙ୍ଗଠନ ‘ଅକ୍ସଫାମ୍‌ ଇଣ୍ଡିଆ’ ଏବଂ ‘ଦି କାରାଭାନ୍‌’, ‘ଦି ପ୍ରିଣ୍ଟ୍’ ଏବଂ ‘ସ୍ବରାଜ’ ଭଳି ଡିଜିଟାଲ୍‌ ମିଡିଆକୁ ଆଂଶିକ ଭାବେ ପାଣ୍ଠି ଯୋଗାଉଥିବା ବେଙ୍ଗାଲୁରୁର ‘ଇଣ୍ଡିପେଣ୍ଡାନ୍‌ସ୍‌ ଆଣ୍ଡ୍‌ ପବ୍ଲିକ୍‌-ସ୍ପିରିଟେଡ୍‌ ମିଡିଆ ଫାଉଣ୍ଡେସନ୍‌’ର (ଆଇପିଏସ୍‌ଏମ୍‌ଏଫ୍‌) ଦିଲ୍ଲୀ କାର୍ଯ୍ୟାଳୟରେ ବୁଧବାର ଦିନ ଆୟକର ବିଭାଗ ଖାନତଲାସ କରିଛି।

ଉପରୋକ୍ତ ପ୍ରତିଷ୍ଠାନ ସବୁ ‘ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ (ରେଗୁଲେସନ୍‌) ଆମେଣ୍ଡ୍‌ମେଣ୍ଟ୍‌ ଆକ୍ଟ୍‌, ୨୦୨୦ ଉଲ୍ଲଂଘନ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ‘ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ (ରେଗୁଲେସନ୍‌) ଆମେଣ୍ଡ୍‌ମେଣ୍ଟ୍‌ ଆକ୍ଟ୍‌, ଜରିଆରେ ଉପରୋକ୍ତ ପ୍ରତିଷ୍ଠାନ ସବୁ ଗ୍ରହଣ କରିଥିବା ପାଣ୍ଠି ଓ ସେମାନଙ୍କର ‘ବାଲାନ୍‌ସ୍ ସିଟ୍‌’ ଯାଞ୍ଚ କରୁଛନ୍ତି।

publive-image Image Courtesy of NDTV

କିନ୍ତୁ, ଖାନତଲାସ ଚାଲିଥିବା ଉପରୋକ୍ତ ସଙ୍ଗଠନଗୁଡ଼ିକରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନାହିଁ। ଆୟକର ବିଭାଗ ମଧ୍ୟ କୌଣସି ବିବୃତି ଜାରି କରିନାହିଁ।

ସୂଚନାଯୋଗ୍ୟ ୧୯୭୩ରେ ସଂସ୍ଥାପିତ ‘ସିପିଆର୍’ ନାମକ , ‘ଥିଙ୍କ୍‌ ଟ୍ୟାଙ୍କ୍‌’ ସରକାରୀ ଯୋଜନାଗୁଡ଼ିକୁ ସମୀକ୍ଷାମୂଳକ ଦୃଷ୍ଟିରେ ପରୀକ୍ଷା କରେ। ଏକଦା ଏହାର ମୁଖ୍ୟ ଥିଲେ ଶିକ୍ଷାବିତ୍‌ ତଥା ‘ବିଜେପି’ ସରକାରର ସମାଲୋଚକ ପ୍ରତାପ ଭାନୁ ମେହେଟ୍ଟା। ଏବେ ଏହି ପ୍ରତିଷ୍ଠାନର ଅଧ୍ୟକ୍ଷତା କରୁଛନ୍ତି ଜବାହରଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିବା ଏବଂ ‘ଲେଡି ଶ୍ରୀରାମ କଲେଜ’ର ଅଧ୍ୟକ୍ଷା ଥିବା ମୀନାକ୍ଷି ଗୋପୀନାଥ।

ସେହିପରି, ବେଙ୍ଗାଲୁରୁର ଟ୍ରଷ୍ଟ୍‌ ‘ଆଇପିଏସ୍‌ଏମ୍‌ଏଫ୍‌’ ସାମ୍ପ୍ରତିକ ସରକାରଙ୍କ ପ୍ରତି ସନ୍ଦେହ ସୃଷ୍ଟି କରୁଥିବା ଲୁକ୍କାୟିତ ଘଟଣା ଲୋକଲୋଚନକୁ ଆଣୁଥିବା କେତେକ ପ୍ରତିଷ୍ଠାନକୁ ପାଣ୍ଠି ଯୋଗାଏ।

ଏହାଛଡ଼ା, ‘ଅକ୍ସଫାମ୍‌’ ନାମକ ‘ଏନ୍‌ଜିଓ’ ଜନକଲ୍ୟାଣ ନିମନ୍ତେ ଅନେକ ଯୋଜନା କରିବା ସହ ସରକାରଙ୍କ ନିକଟରେ ନୀତି ପରିବର୍ତ୍ତନ ପାଇଁ ଦାବି କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe