ଘନଉଛି ଆପ୍‌ ବିବାଦ

ଅଳକାଙ୍କୁ ଇସ୍ତଫା ଦେବାକୁ କୁହାଯାଇନି: ସିସୋଦିଆ, ଦିଲ୍ଲୀରେ କଂଗ୍ରେସ-ଆପ୍‌ ମେଣ୍ଟ ନେଇ ଅନିଶ୍ଚିତତା

ଘନଉଛି ଆପ୍‌ ବିବାଦ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭାରତ ରତ୍ନ ଉପାଧିକୁ ପ୍ରତ୍ୟାହାର କରିନେବା ପାଇଁ ଦିଲ୍ଲୀ ବିଧାନସଭାରେ ଗତକାଲି ଏକ ପ୍ରସ୍ତାବ ଗୃହୀତ ହେବା ପରେ ଏହାକୁ କେନ୍ଦ୍ରକରି ଆମ୍‌ ଆଦ୍‌ମି ପାର୍ଟି (ଆପ୍‌)ରେ କନ୍ଦଳ ଘନୀଭୂତ ହେଉଛି। ଦିଲ୍ଲୀରେ ଆଗାମୀ ନିର୍ବାଚନରେ କଂଗ୍ରେସ-ଆପ୍‌ ମେଣ୍ଟ ନେଇ ଯେଉଁ ଭିତିରିଆ ପ୍ରସ୍ତୁତି ଚାଲିଥିଲା, ତାହାକୁ ମଧ୍ୟ ଏବେ ଶକ୍ତ ଆଘାତ ଲାଗିଛି। ଅନ୍ୟପକ୍ଷରେ ରାଜୀବଙ୍କ ଭାରତ ରତ୍ନ ଉପାଧି ପ୍ରତ୍ୟାହାର ପ୍ରସଙ୍ଗକୁ ସମର୍ଥନ ନ କରିବାରୁ ଦଳର ବିଧାୟିକା ଅଳକା ଲାମ୍ବାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଇସ୍ତଫା ଦେବା ପାଇଁ କହିବା କର୍ମୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏ ପ୍ରସଙ୍ଗରେ ଅଳକା ଗଣମାଧ୍ୟମକୁ ଜଣାଇବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ମନୀଷ ସି‌ସୋଦିଆ କହିଛନ୍ତି ଯେ ଅଳକାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇ ନାହିଁ କି ସେ ଇସ୍ତଫା ଦେଇନାହାନ୍ତି। ଗତକାଲି ରାଜୀବଙ୍କ ଭାରତ ରତ୍ନ ପ୍ରତ୍ୟାହାର ଦାବିରେ ଗୃହୀତ ହୋଇଥିବା ପ୍ରସ୍ତାବ ସରକାରଙ୍କ ମୂଳ ପ୍ରସ୍ତାବରେ ନଥିଲା ଏବଂ ଜଣେ ବିଧାୟକ ବ୍ୟକ୍ତିଗତ ଭାବେ ଏ ପ୍ରସ୍ତାବ ରଖିଥିଲେ ବୋଲି ସେ କହିଛନ୍ତି। ସରକାର କେବଳ ୧୯୮୪ ଦଙ୍ଗା ପୀଡ଼ିତଙ୍କୁ ନ୍ୟାୟ ଦେବା ସପକ୍ଷରେ ଆସିଥିବା ପ୍ରସ୍ତାବ ଗୃହୀତ କରିବାକୁ ଚାହୁଥିଲେ ବୋଲି ସେ କହିଛନ୍ତି। ୧୯୮୪ ଶିଖ୍‌ବିରୋଧୀ ଦଙ୍ଗା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଦାୟୀ କରି ତାଙ୍କର ଭାରତ ରତ୍ନ ଉପାଧି ପ୍ରତ୍ୟାହାର କରିନିଆଯିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ବିଧାୟକ ଜର୍ଣ୍ଣାଲ୍‌ ସିଂହ ପ୍ରସ୍ତାବ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe