Image Courtesy of India Today
ଜାତିସଂଘ: ଗାଜାରେ ସାଧାରଣ ନାଗରିକଙ୍କ ସୁରକ୍ଷା ନିମନ୍ତେ ଜାତିସଂଘରେ ଆରବ ପ୍ରସ୍ତୁତ କରିଥିବା ଚିଠା-ପ୍ରସ୍ତାବନା ଉପରେ ଭୋଟ୍ ଦେବାରୁ ଭାରତ ଆଜି ବିରତ ରହିଛି।
ଜାତିସଂଘସ୍ଥିତ ଭାରତର ସ୍ଥାୟୀ ଉପ-ପ୍ରତିନିଧି ରାଷ୍ଟ୍ରଦୂତ ଯୋଜନା ପଟେଲ୍ କହିଛନ୍ତି, ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ୍ରେ ଆତଙ୍କବାଦୀ ଆକ୍ରମଣ ଥିଲା ହୃଦୟବିଦାରକ। ପଣବନ୍ଦୀ ରଖାଯାଇଥିବା ଲୋକମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଗାଜାରେ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ। ଏହି ସଙ୍କଟର ସମାଧାନ ଆବଶ୍ୟକ।
ଏଥିପାଇଁ ଚାଲିଥିବା ଉଦ୍ୟମକୁ ସ୍ବାଗତ କରି ସେ ପୁଣି ଥରେ ଦୁଇ-ରାଷ୍ଟ୍ର ସମାଧାନକୁ (ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଦୁଇଟି ସ୍ବାଧୀନ ରାଷ୍ଟ୍ର ଭାବେ ରହିବା) ସମର୍ଥନ କରିଥିଲେ। ହିଂସା ପରିହାର କରି ଶାନ୍ତି ରାଜିନାମା ପାଇଁ ସେ ଉଭୟ ପକ୍ଷଙ୍କୁ ଅନୁରୋଧ କରିଛନ୍ତି।
Image Courtesy of Times Nowଜୋର୍ଡାନ୍ ଆଗତ କରିଥିବା ଏହି ଚିଠା-ପ୍ରସ୍ତାବନାରେ ମାନବୀୟ ଦୃଷ୍ଟିକୋଣ ପ୍ରତି ଧ୍ୟାନ ଦେଇ ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଉଦ୍ୟମ କରାଯିବା ପାଇଁ ଆହ୍ବାନ ଦିଆଯାଇଛି।
ଏହାଛଡ଼ା, ବାଂଲାଦେଶ, ମାଳଦ୍ବୀପ, ପାକିସ୍ତାନ, ରୁଷ୍ ଓ ଦକ୍ଷିଣ ଆଫ୍ରିକା ସମତେ ୪୦ରୁ ଅଧିକ ରାଷ୍ଟ୍ର ପଠାଉଥିବା ମାନବୀୟ ସହାୟତା ଅବାଧରେ ସମସ୍ତଙ୍କ ପାଖରେ ପହଞ୍ଚିବା ପ୍ରସଙ୍ଗରେ ମଧ୍ୟ ଏହି ପ୍ରସ୍ତାବନାରେ ଆହ୍ବାନ ଦିଆଯାଇଛି।
‘ସାଧାରଣ ନାଗରିକମାନଙ୍କର ସୁରକ୍ଷା ଏବଂ ଆଇନଗତ ଓ ମାନବୀୟ ପ୍ରତିବଦ୍ଧତା ସୁଦୃଢ଼ ରଖିବା’ ଶୀର୍ଷକ ଏହି ପ୍ରସ୍ତାବନା ସପକ୍ଷରେ ୧୨୦ଟି ରାଷ୍ଟ୍ର ଭୋଟ୍ ଦେଇଥିବା ବେଳେ ୧୪ଟି ରାଷ୍ଟ୍ର ଏହା ବିପକ୍ଷରେ ଭୋଟ୍ ଦେଇଥିଲେ। ସେହିପରି, ୪୫ଟି ରାଷ୍ଟ୍ର ଭୋଟ୍ ଦେବାରୁ ବିରତ ଥିଲେ।
ଭରତ ଛଡ଼ା ଏହି ପ୍ରସ୍ତାବନା ଭୋଟ୍ରୁ ବିରତ ରହିଥିବା ଅନ୍ୟାନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଛନ୍ତି ଅଷ୍ଟ୍ରେଲିଆ, କାନାଡା, ଜର୍ମାନି, ଜାପାନ, ୟୁକ୍ରେନ୍ ଓ ଇଂଲଣ୍ଡ୍।
Follow Us