The Prime Minister, Shri Narendra Modi and the President of Russian Federation, Mr. Vladimir Putin interacting with a group of talented children, in New Delhi on October 05, 2018.
ନୂ୍ଆଦିଲ୍ଲୀ: ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଯଦି ଆକାଶମାର୍ଗରୁ ଆକ୍ରମଣ କରନ୍ତି, ତେବେ ଭାରତ ଏହାର ଉଚିତ ଜବାବ ଦେଇପାରିବ। ଆକାଶମାର୍ଗରୁ ହିଁ ବିଭିନ୍ନ କ୍ଷେପଣାସ୍ତ୍ର, ଯୁଦ୍ଧବିମାନ ଏବଂ ଅନିଷ୍ଟକାରୀ ଡ୍ରୋନ୍ ଆଦିକୁ ଟାର୍ଗେଟ୍ କରି ତଳକୁ ଖସାଇ ଦେଇପାରିବ। ଏସ୍-୪୦୦ ଟ୍ରାୟମ୍ଫ୍ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ବାରା ଭାରତ ଏହି ମୁକାବିଲା କରିବାକୁ ସମର୍ଥ ହେବ। ତେବେ ରୁଷ୍ଠାରୁ ଏହି ଉନ୍ନତ ବିଧ୍ବଂସୀ କ୍ଷେପଣାସ୍ତ୍ର ଆଣିବା ପାଇଁ ଆଜି ଭାରତ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ତାହାକୁ ବାସ୍ତବ ରୂପ ଦେଇଛି। ଆମେରିକାର ସମସ୍ତ ତାଗିଦ୍ ଓ ଧମକକୁ ବେଖାତିର କରି ଆଜି ଭାରତ ରୁଷ୍ ସହିତ ଏସ୍-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଚୁକ୍ତି ସମ୍ପନ୍ନ କରିଛି। ୫.୪୩ ବିଲିୟନ୍ ଡଲାର ବା ପାଖାପାଖି ୪୦,୦୦୦ କୋଟି ଟଙ୍କା ବିନିମୟରେ ଭାରତ ଏହି କ୍ଷେପଣାସ୍ତ୍ର ହାସଲ କରିବ। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିପାକ୍ଷିକ ଆଲୋଚନା ପରେ ଉଭୟ ପକ୍ଷ ମଧ୍ୟରେ ଏସ୍-୪୦୦ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି। ଏହାବ୍ୟତୀତ ଦୁଇରାଷ୍ଟ୍ର ମଧ୍ୟରେ ମହାକାଶ ସହଯୋଗ ସମେତ ଆଉ ୮ଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ୍ ଏକ ମିଳିତ ବିବୃତିରେ ଏସ୍-୪୦୦ ସମେତ ଅନ୍ୟ ୮ଟି ପ୍ରମୁଖ ଚୁକ୍ତି ସମ୍ବନ୍ଧରେ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି, ରୁଷ୍ ସହିତ ସଂପର୍କ ସୁଦୃଢ଼ କରିବା ଲାଗି ଭାରତ ସର୍ବାଧିକ ପ୍ରାଥମିକତା ଦେଇଆସିଛି। କ୍ଷୀପ୍ର ବେଗରେ ବଦଳୁଥିବା ଯୁଗ ସହ ତାଳଦେଇ ନିଜକୁ ପ୍ରସ୍ତୁତ କରିବା ଲାଗି ଭାରତ ରୁଷ୍ ସହିତ ସଂପର୍କ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଇଛି। ଏସ୍-୪୦୦ ଚୁକ୍ତି ତାହାର ଏକ ଅଂଶବିଶେଷ। ଆଜି ରୁଷ୍ ସହ ହୋଇଥିବା ଏହି ଐତିହାସିକ ଚୁକ୍ତି ଦ୍ବାରା ଭାରତ ଅଧିକ ଶକ୍ତିଶାଳୀ ହେବ। ବାୟୁସେନା ଅଧିକ ଶକ୍ତିଶାଳୀ ହୋଇ ଶତ୍ରୁ ପକ୍ଷଙ୍କୁ ମାତ୍ ଦେଇପାରିବ। ରାଷ୍ଟ୍ରପତି ପୁଟିନ୍ଙ୍କୁ ଧନ୍ୟବାଦ ଜଣାଇ ମୋଦୀ କହିଛନ୍ତି, ଦୁଇଦେଶ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବାରେ ପୁଟିନ୍ଙ୍କ ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ। ପୁଟିନ୍ଙ୍କ ପ୍ରତିବଦ୍ଧତା ଦ୍ବାରା ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସଂବନ୍ଧକୁ ନୂଆ ଶକ୍ତି ମିଳିବ। ମୋଦୀ ଆହୁରି କହିଛନ୍ତି, ମାନବସମ୍ବଳଠାରୁ ପ୍ରାକୃତିକ ସମ୍ବଳ, ବ୍ୟବସାୟଠୁ ପୁଞ୍ଜିନିବେଶ, ପ୍ରତିରକ୍ଷା ଶକ୍ତିଠାରୁ ଶାନ୍ତିପୂର୍ଣ୍ଣ ସହଯୋଗ ପର୍ଯ୍ୟନ୍ତ ଭାରତ ଓ ରୁଷ୍ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ଆହୁରି ସୁଦୃଢ଼ ହେବ। ଏହାସହ ପ୍ରଯୁକ୍ତିଠାରୁ ବ୍ୟାଘ୍ର ସଂରକ୍ଷଣ ପର୍ଯ୍ୟନ୍ତ ଏବଂ ସମୁଦ୍ରଠାରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ମଧ୍ୟରେ ସୁସଂପର୍କ ବଜାୟ ରହିବ।
/sambad/media/post_attachments/wp-content/uploads/2018/10/ba892771739c49da9d94010731fd2bf9_18-300x168.jpg)
ଅନ୍ୟପକ୍ଷରେ ମିଳିତ ବିବୃତିରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ କହିଲେ, ଭାରତ ଓ ରୁଷ୍ ମଧ୍ୟରେ ଏଭଳି ଅଭୂତପୂର୍ବ ତଥା ଐତିହାସିକ କଥାବାର୍ତ୍ତା ଏବଂ ଚୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛି। ଦୁଇଦେଶ ମଧ୍ୟରେ ସଂପର୍କ ସୁଦୃଢ଼ କରିବା ପାଇଁ ମୋଦୀ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରି ନିଜ ବୁଦ୍ଧିମତ୍ତାର ପରିଚୟ ଦେଇଛନ୍ତି। ଭାରତ ସହିତ ଏଭଳି ବନ୍ଧୁତା ସ୍ଥାପନ କରି ରୁଷ୍ ଅତ୍ୟନ୍ତ ଆନନ୍ଦିତ ବୋଲି ସେ କହିଛନ୍ତି। ଭାରତ ସହିତ ଆମର ସଂପର୍କ ବେଶ୍ ପୁରୁଣା। ତେଣୁ ଏହି ସଂପର୍କକୁ ଆହୁରି ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ୍କୁ ଆମନ୍ତ୍ରଣ କରିବାକୁ ଚାହୁଛି। ଏମିତି କି ରୁଷ୍ରେ ପୁଞ୍ଜି ଖଟାଇବା ପାଇଁ ଭାରତୀୟ କମ୍ପାନିଗୁଡ଼ିକୁ ଆମନ୍ତ୍ରଣ କରୁଛି ବୋଲି ପୁଟିନ୍ କହିଛନ୍ତି। ଏସ୍-୪୦୦ ଏବଂ ଅନ୍ୟ ୮ଟି ଚୁକ୍ତି ଘୋଷଣା କରାଯିବା ପରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ସଚିବ ବିଜୟ ଗୋଖଲେ ଏବଂ ରୁଷ୍ର ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ବାବଦ ଦସ୍ତାବିଜ ଦିଆନିଆ ହୋଇଥିଲା। ଏହାବ୍ୟତୀତ ଦୁଇ ରାଷ୍ଟ୍ର ମଧ୍ୟରେ ହାଇସ୍ପିଡ୍ ରୁଷୀୟ ଟ୍ରେନ୍, ଟ୍ୟାଙ୍କ୍ ରିକଭରି ଭେଇକିଲ୍, ସଡ଼କ ନିର୍ମାଣ, ରେଳବାଇ ଆଦି ସଂପର୍କରେ କଥାବାର୍ତ୍ତା ହୋଇଥିଲା। ଏସ୍-୪୦୦ ଟ୍ରାୟମ୍ଫ୍ ମିସାଇଲ ସିଷ୍ଟମ୍ ଦ୍ବାରା ଆମେରିକାର ସବୁଠୁ ଶକ୍ତିଶାଳୀ ଏଫ୍-୩୫ ଯୁଦ୍ଧବିମାନକୁ ଭାରତ ମାତ୍ ଦେଇପାରିବ। ୪୦୦ କିମି ଦୂରରୁ ଏହା ଯୁଦ୍ଧବିମାନ ଖସାଇ ପାରିବ।
ଏସ୍-୪୦୦ କ’ଣ: ଏହା ଏକ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବିଧ୍ବଂସକ। ଶତ୍ରୁ ରାଷ୍ଟ୍ର ଯଦି ଆକାଶମାର୍ଗରୁ ଆକ୍ରମଣ କରେ, ତେବେ ଏହି ବ୍ୟବସ୍ଥା ଆକାଶରୁ ହିଁ ଯୁଦ୍ଧବିମାନକୁ ଟାର୍ଗେଟ୍ କରି ତଳକୁ ଖସାଇଦେବ। ଏସ୍-୪୦୦କୁ ରୁଷ୍ର ସବୁଠୁ ବିକଶିତ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବୋଲି ବିବେଚନା କରାଯାଉଛି। ଏହା ଶତ୍ରୁ ରାଷ୍ଟ୍ରର ଯୁଦ୍ଧବିମାନ ଏବଂ ବାଲିଷ୍ଟିକ୍ ମିସାଇଲ୍କୁ ମଧ୍ୟ ଖସାଇ ଦେଇପାରିବ। ରୁଷ୍ର ଏସ୍-୩୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥାର ଏହା ଏକ ବିକଶିତ ଭର୍ସନ୍। ରୁଷ୍ରେ ଏହା ୨୦୦୭ରୁ ରହିଛି। ଏହା ଏକାଥରେ ୩୬ଟି ଆକ୍ରମଣ କରିପାରିବ।
ଭାରତ ପାଇଁ ଜରୁରୀ କାହିଁକି: ବାୟୁେସନା ମୁଖ୍ୟ ବି ଏସ୍ ଧନୋଆଙ୍କ କହିବାନୁସାରେ ଏସ୍-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଭାରତୀୟ ବାୟୁସେନା ପାଇଁ ଏକ ବୁଷ୍ଟର ସଟ୍ ଭଳି ହେବ। ପଡ଼ୋଶୀ ରାଷ୍ଟ୍ର ପକ୍ଷରୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ଏହା ଜରୁରୀ ହୋଇପଡ଼ିଛି। ପାକିସ୍ତାନ ନିକଟରେ ବିକଶିତ ଏଫ୍-୧୬ଠାରୁ ଆରମ୍ଭକରି ଲ୍ୟାସ୍ ୨୦ ଫାଇଟର୍ ସ୍କ୍ବାଡ୍ରନ୍ ରହିଛି। ଏହାବ୍ୟତୀତ ଚୀନ୍ଠାରୁ ପାଇଥିବା ଜେ-୧୭ ମଧ୍ୟ ଏହା ପାଖରେ ଭରପୂର ସଂଖ୍ୟାରେ ରହିଛି। ଅନ୍ୟ ପଡ଼ୋଶୀ ତଥା ପ୍ରତିଦ୍ବନ୍ଦ୍ବୀ ଚୀନ୍ ନିକଟରେ ୧,୭୦୦ ଫାଇଟର୍ ଜେଟ୍ ଅଛି, ଯେଉଁଥିରେ ୮୦୦ ଚତୁର୍ଥ ପିଢ଼ି ଫାଇଟର୍ ଜେଟ୍ ବି ସାମିଲ। ସେହି ଦୃଷ୍ଟିରୁ ଭାରତକୁ ବି ପ୍ରସ୍ତୁତ ରହିବା ଜରୁରୀ।
ଆମେରିକା କ’ଣ ଚାହୁଛି: ବିଗତ କିଛି ବର୍ଷ ହେଲା ରୁଷ ଓ ଇରାନ୍ ସହିତ ଆମେରିକାର ସଂପର୍କ ଖରାପ ହୋଇପଡ଼ିଛି। ତେଣୁ କୌଣସି ରାଷ୍ଟ୍ର େଯମିତି ଏହା ସହିତ ସଂପର୍କ ନରଖନ୍ତି, ତାହା ଆମେରିକା ଚାହୁଛି। ଏଥିପାଇଁ ଏହା ନିୟମିତ ଭାବେ ବିଭିନ୍ନ ରାଷ୍ଟ୍ରକୁ ତାଗିଦ୍ ଓ ଧମକ ଦେଇଆସୁଛି। ନିକଟରେ ଏହା ରୁଷ୍ ସହିତ କୌଣସି ପ୍ରତିରକ୍ଷା କାରବାର ନ କରିବା ଲାଗି ଭାରତ ସମେତ ଅନେକ ରାଷ୍ଟ୍ରକୁ ଚେତାବନୀ ଦେଇଥିଲା। କିନ୍ତୁ ଭାରତ ସେସବୁକୁ ଅଣଦେଖା କରି ରୁଷ୍ ସହିତ ଏସ୍-୪୦୦ ମିସାଇଲ ଚୁକ୍ତି ସ୍ବାକ୍ଷର କରିଛି।ଚୀନ୍ ନିକଟରେ ରହିଛି ଏସ୍-୪୦୦: ପ୍ରଥମ ରାଷ୍ଟ୍ର ଭାବେ ରୁଷଠାରୁ ଚୀନ୍ ଏହି ଏସ୍-୪୦୦ କ୍ଷେପଣାସ୍ତ୍ର ବିଧ୍ବଂସକ ୨୦୧୪ରେ କିଣିଥିଲା। କିନ୍ତୁ ଏହା କେତୋଟି କ୍ଷେପଣାସ୍ତ୍ର କିଣିଥିଲା, ତାହା ନେଇ କୌଣସି ସୂଚନା ଏହା ପ୍ରକାଶ କରିନାହିଁ। ଭାରତ ବ୍ୟତୀତ କତାରକୁ ଏହି କ୍ଷେପଣାସ୍ତ୍ର ବିକ୍ରି କରିବା ଲାଗି ରୁଷ୍ ଏବେ କଥାବାର୍ତ୍ତା ଜାରି ରଖିଛି। ରୁଷ୍ ନିକଟରେ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ୨୦୦୭ ମସିହାରୁ ରହିଛି। ଏହା ହେଉଛି ଏସ୍-୩୦୦ର ବିକଶିତ ଭର୍ସନ୍। ୧୯୬୭ରେ ସୋଭିଏତ୍ ୟୁନିୟନ ଏସ୍-୨୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ତିଆରି କରିଥିଲା।
Follow Us