ନୂଆଦିଲ୍ଲୀ: ଆଗାମୀ ଦିନରେ ମହାକାଶ ଯୁଦ୍ଧର ଗୁରୁତ୍ବ ବଢ଼ିବାକୁ ଥିବାରୁ ଚୀନ୍ ଏବଂ ଆମେରିକା ପରି ବିକଶିତ ରାଷ୍ଟ୍ରଗୁଡ଼ିକ ଏବେଠାରୁ ସୋମନଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିକଟରେ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସଲ୍ ଭି.ଆର ଚୌଧୁରୀ କହିଛନ୍ତି ଯେ ଭବିଷ୍ୟତରେ ଭାରତକୁ ମହାକାଶଭିତ୍ତିକ ଆକ୍ରମଣାତ୍ମକ ଅସ୍ତ୍ର ଆବଶ୍ୟକ ପଡ଼ିବ। ଏଥିପାଇଁ ସେ ଦେଶର ନାଗରିକଙ୍କୁ ସାମରିକ ମହାକାଶ ଶିକ୍ଷା ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି।
ବାୟୁସେନା ମୁଖ୍ୟ ଆହୁରି ବି କହିଛନ୍ତି ଯେ କେତେକ ବିକଶିତ ରାଷ୍ଟ୍ର ‘ସ୍ପେସ୍ ଡୋମେନ’କୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚୀନ୍ ଏପରି ମହାକାଶ କ୍ଷମତା ବିକଶିତ କରିଛି, ଯାହାକୁ ଦେଖି ଆମେରିକା ମଧ୍ୟ ଭୟଭୀତ।
ଏକ କନକ୍ଲେଭରେ ବାୟୁସେନା ମୁଖ୍ୟ ମାର୍ସଲ ଚୌଧୁରୀ କହିଛନ୍ତି କି 'ମିଶନ ଶକ୍ତି'ର ସଫଳତାକୁ ନେଇ ଭାରତ ଆଗେଇ ଚାଲିବା ଉଚିତ। ଭବିଷ୍ୟତରେ ଆମ ନିକଟରେ ମହାକାଶ ଯୁଦ୍ଧ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ରହିବା ଉଚିତ ବୋଲି ସେ ଉଲ୍ଲେଖ କରଛନ୍ତି।
ଆଗାମୀ ସମୟରେ ମହାକାଶର କ୍ଷେତ୍ର ବିସ୍ତାର ହେବ। ଯୁଦ୍ଧର ଅନ୍ୟ ସମସ୍ତ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ। ଆମେରିକା ଏବଂ ଫ୍ରାନ୍ସର ବାୟୁସେନାର ଉଦାହରଣ ଦେଇ ମାର୍ସାଲ୍ ଚୌଧୁରୀ କହିଛନ୍ତି ଯେ ଆଗାମୀ ଦିନରେ ଭାରତୀୟ ବାୟୁସେନାକୁ 'ବାୟୁ ଶକ୍ତି' ରୁ 'ଏରୋସ୍ପେସ୍ ଶକ୍ତି'ରେ ପରିବର୍ତ୍ତନ କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ଭାରତୀୟ ବାୟୁସେନାକୁ ମହାକାଶ ପରିସ୍ଥିତି ସଚେତନତା, ସ୍ପେସ୍ ଡିନାଏଲ୍ ଏର୍କ୍ସସାଇଜ୍ କିମ୍ବା ସ୍ପେସ୍ କଣ୍ଟ୍ରୋଲ୍ ଏର୍କ୍ସସାଇଜ୍ରେ ଭାଗ ନେବାକୁ କୁହାଯିବ।
Follow Us