India-Bangladesh: ଭାରତ-ବାଂଲାଦେଶ ସମ୍ପର୍କ କୂଟନୈତିକ ସଙ୍କଟ ଚରମରେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ  ବାଂଲାଦେଶ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇବା ପରେ ବାଂଲାଦେଶ-ଭାରତ ସଂପର୍କ ହଠାତ୍‌ ଏକ ଜଟିଳ କୂଟନୈତିକ ସଙ୍କଟର ବଳୟ....

Untitled-5

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ  ବାଂଲାଦେଶ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇବା ପରେ ବାଂଲାଦେଶ-ଭାରତ ସଂପର୍କ ହଠାତ୍‌ ଏକ ଜଟିଳ କୂଟନୈତିକ ସଙ୍କଟର ବଳୟ ଭିତରକୁ ଆସିଛି। ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଆଜି  ଘୋଷଣା କରିଛି ଯେ ନୂଆଦିଲ୍ଲୀରେ ଆଶ୍ରୟ ନେଇଥିବା ନିର୍ବାସିତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ପ୍ରତ୍ୟର୍ପଣ ନକଲେ ଦ୍ୱିପାକ୍ଷିକ ସମ୍ପର୍କ ଗଭୀର ସଙ୍କଟରେ ପଡ଼ିଯିବ। ତେବେ ଭାରତ ଏଭଳି ବୟାନକୁ ଆଦୌ ଗୁରୁତ୍ବ ଦେଇନାହିଁ  ଏବଂ ବାଂଲାଦେଶ ସହ ସ୍ବାଭାବିକ ସପର୍କ ରକ୍ଷା ପାଇଁ ସର୍ବଦା ଆଗ୍ରହୀ ବୋଲି ଜଣାଇଦେଇଛି। 
ଆଜି  ହସିନାଙ୍କୁ ନେଇ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ) ରାୟ ଆସିବା ମାତ୍ରେ ବାଂଲାଦେଶ ଦୃଢ଼ ଦାବି ଉପସ୍ଥାପନ କରିଛି। ବାଂଲାଦେଶ ବିଦେଶ ମନ୍ତ୍ରାଳୟ ଏକ ବିବୃତି ଜାରି କରି ପୂର୍ବତନ ପ୍ରଧାନମନ୍ତ୍ରୀ  ତଥା ‘ପଳାତକ ଅଭିଯୁକ୍ତ’ ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ କହିଛି।  ବାଂଲାଦେଶ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତ ପାଇଁ ଏନେଇ ଏକ ଚିଠି ଜାରି ହୋଇଛି।  ଚିଠିରେ ଦର୍ଶାଯାଇଛି ଯେ ଭାରତ ସହ ଯେଉଁ ପ୍ରତ୍ୟର୍ପଣ ଚୁକ୍ତି ରହିଛି ତାହାକୁ ସମ୍ମାନ ଦେଇ ହସିନାଙ୍କୁ ବାଂଲାଦେଶକୁ ଫେରାଇବା ଭାରତର ଏକ ଅନିବାର୍ଯ୍ୟ ବା ବାଧ୍ୟତାମୂଳକ ଦାୟିତ୍ବ।    ଚିଠିରେ ଦର୍ଶାଯାଇଛି ଯେ ମାନବତା ବିରୋଧୀ ଅପରାଧ ପାଇଁ ଜଣେ ଦୋଷୀସାବ୍ୟସ୍ତ ‌ହେବା ପରେ ବି ଜଣଙ୍କୁ ଆଶ୍ରୟ ଦେବା ହେଉଛି ମିତ୍ରତାବିରୋଧୀ ଆଚରଣ ଏବଂ ଏହା ନ୍ୟାୟର ଅବହେଳା।  

ଅନ୍ୟପ‌କ୍ଷେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ଆଇସିଟି ମୃତ୍ୟୁ ଦଣ୍ଡାଦେଶ ଦେବା ଉପରେ ଭାରତ ପ୍ରତିକ୍ରିୟା ରଖିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି ଯେ  ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ବିରୋଧରେ ଆସିଥିବା ରାୟକୁ ଧ୍ୟାନ ଦେଇଛି। ଏକ ନିକଟତମ ପଡ଼ୋଶୀ ଭାବେ ଭାରତ ବାଂଲାଦେଶର ଲୋକଙ୍କ ‌ସର୍ବୋତ୍ତମ ସ୍ବାର୍ଥ ପ୍ରତି ପ୍ରତିବଦ୍ଧ। ଯେଉଁଥିରେ ଶାନ୍ତି, ଗଣତନ୍ତ୍ର, ଅନ୍ତର୍ଭୁକ୍ତି ଏବଂ ସ୍ଥିରତା ଅନ୍ତର୍ଭୁକ୍ତ। ଆମେ ସର୍ବଦା ଏଥିପାଇଁ ସମସ୍ତ ଅଂଶୀଦାରଙ୍କ ସହିତ ଗଠନମୂଳକ ଭାବରେ କାର୍ଯ୍ୟ କରିବୁ ବୋଲି ବିବୃତିରେ କୁହାଯାଇଛି। 
ଅନ୍ୟପକ୍ଷରେ ଆଜି ବାଂଲାଦେଶ ଭାରତ ନିକଟରେ ତିନୋଟି ନିର୍ଦ୍ଦିଷ୍ଟ ଦାବି ରଖିଛି। ସେଗୁଡ଼ିକ ହେଲା-

 ଶେଖ୍‌ ହସିନାଙ୍କୁ ୩୦ ଦିନ ଭିତରେ ପ୍ରତ୍ୟର୍ପଣ କରାଯାଉ।

 ତାଙ୍କୁ ଭାରତରେ ରାଜନୈତିକ କାର୍ଯ୍ୟକଳାପ ଓ ଗଣମାଧ୍ୟମରେ ବୟାନ ଦେବାରୁ ସମ୍ପୂର୍ଣ୍ଣ ନିଷେଧ କରାଯାଉ।

 ୨୦୧୩ ପ୍ରତ୍ୟର୍ପଣ ଚୁକ୍ତିର ଧାରା ୬ ଓ ୮ ଅନୁଯାୟୀ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।

ବାଂଲାଦେଶର ଆଇନ ଉପଦେଷ୍ଟା ଆସିଫ୍ ନଜରୁଲ   କହିଛନ୍ତି, ‘ଯଦି ଭାରତ ଏହି ଦାବି ପୂରଣ ନକରେ, ଆମେ ଏହାକୁ ଦ୍ୱିପାକ୍ଷିକ ସମ୍ପର୍କରେ ଗମ୍ଭୀର ବିଶ୍ୱାସଘାତ ଭାବେ ବିବେଚନା କରିବୁ।’ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ଦୁଇ ଥର ପଠାଇଥିବା ପ୍ରତ୍ୟର୍ପଣ ଅନୁରୋଧକୁ ଭାରତ ଉପେକ୍ଷା କରିଥିବାରୁ ଏଥର ଅଧିକ କଡ଼ା ଭାଷା ବ୍ୟବହାର କରାଯାଇଛି। ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି, ଆଇନର ଊର୍ଦ୍ଧ୍ବରେ କେହି ନାହାନ୍ତି ଏବଂ ହସିନାଙ୍କ ବିରୋଧରେ ଆସିଥିବା ରାୟ ଯଥାର୍ଥ।  ଏଭଳି ପରିସ୍ଥିତିରେ ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି ଯେ, ହସିନାଙ୍କୁ ଯଦି ଭାରତ ପ୍ରତ୍ୟର୍ପଣ କରିବାକୁ ନିଷ୍ପତ୍ତି ନେବ, ତା’ହେଲେ ଦକ୍ଷିଣ ଏସିଆରେ ଭାରତର ପ୍ରଭାବ କ୍ଷତିଗ୍ରସ୍ତ ହେବ ଏବଂ ବାଂଲାଦେଶରେ ଚୀନ୍‌ର ପ୍ରବେଶ ସହଜ ହୋଇଯିବ।

ବାଂଲାଦେଶରେ ହିଂସାତ୍ମକ ବିକ୍ଷୋଭ,ଢାକାରେ ବିସ୍ଫୋରଣ ବ୍ୟାପକ ପୋଡ଼ାଜଳା

 ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି)  ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଶୁଣାଇବାର   କିଛି ଘଣ୍ଟା ପରେ ଦେଶରେ ଭୀଷଣ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ରାଜଧାନୀ ଢାକାରେ ହିଂସାତ୍ମକ ବିକ୍ଷୋଭ ଜାରି ରହିଥିବା ବେଳେ ଦେଶବ୍ୟାପୀ  ଅନ୍ତରୀଣ ସରକାର ବିରୋଧରେ ଅସନ୍ତୋଷର ନିଆଁ ଜଳୁଛି।   ଢାକା ସମେତ ଅନ୍ୟାନ୍ୟ ଅଞ୍ଚଳରୁ ବିସ୍ଫୋରଣ, ସରକାରୀ ସମ୍ପତ୍ତି ପୋଡ଼ାଜଳା ଏବଂ ସଂଘର୍ଷର ରିପୋର୍ଟ ମିଳିଛି। ପ୍ରାରମ୍ଭିକ ସଂଘର୍ଷରେ  ଅନେକ ଆହତ ହୋଇଥିବା ବେଳେ ସୁରକ୍ଷା ବାହିନୀ ହିଂସା ନିୟନ୍ତ୍ରଣ କରିବାକୁ ଗୁଳିଚାଳନା କରିଛି। ପୁଲିସ ଗୁଳିରେ ୫ ଜଣ ଆହତ ହୋଇଥିବା ବେଳେ ବିଭିନ୍ନ ଅଂଚଳରେ କର୍ଫ୍ୟୁ ଲାଗୁ ହୋଇଛି। ବାଂଲାଦେଶର ଜାତୀୟ ଟେଲିଭିଜନରେ ଆଜି ଆଇସିଟି ରାୟ ପ୍ରସାରିତ ହେବା ମାତ୍ରେ ଆଵାମୀ ଲିଗ୍‌ ସମର୍ଥକମାନେ ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇଥିଲେ ଏବଂ ହିଂସାତ୍ମକ ବିକ୍ଷୋଭ ଆରମ୍ଭ କରିଥିଲେ। ବିକ୍ଷୋଭକାରୀମାନେ ପୁଲିସ ଭ୍ୟାନ୍‌ଗୁଡ଼ିକୁ ପେଟ୍ରୋଲ ବୋମା ମାଡ଼ କରିଥିଲେ।  ତିନୋଟି ବସ୍‌ ଜଳିଯାଇଥିବା ବେଳେ ଶତାଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଆନ୍ଦୋଳନକାରୀମାନେ ଟାୟାର ଜାଳି ମୁଖ୍ୟ ରାସ୍ତାଗୁଡ଼ିକୁ ବନ୍ଦ ରଖିଛନ୍ତି। ଅନ୍ୟପକ୍ଷରେ ଅନ୍ତରୀଣ ସରକାରର ସମର୍ଥକ ଗୋଷ୍ଠୀ ପକ୍ଷରୁ  ଆଵାମୀ ଲିଗ୍‌ ଅଫିସ୍‌ଗୁଡ଼ିକ ଉପରେ ଆକ୍ରମଣ ହୋଇଛି।  ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ  ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦାୟିତ୍ବ ସେନା ନିଜ ହାତକୁ ନେଇଛି। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି। ବାଂଲାଦେଶରେ ପୁଣି ଘୋର ଅରାଜକତା ସ୍ଥିତି ଯୋଗୁଁ ମାନବାଧିକାର ସଂଗଠନଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିଛନ୍ତି।  

Untitled-6

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe