ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟରେ ଶନିବାର କେତେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି ଯାହା ମଧ୍ୟରେ ରହିଛି ଗୁରୁତ୍ବପୂର୍ଣ୍ଣ ତିସ୍ତା ଜଳପ୍ରକଳ୍ପ । ଏହାଛଡ଼ା ଡିଜିଟାଲ କ୍ଷେତ୍ର, ସାମୁଦ୍ରିକ କ୍ଷେତ୍ର, ସାମୁଦ୍ରିକ ଅର୍ଥନୀତି, ରେଳବାଇ, ମହାକାଶ, ସବୁଜ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ ଏବଂ ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷ ୧୦ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି ।
ତେବେ ଆଜିର ରାଜିନାମାର ମୁଖ୍ୟ ଫୋକସ ଥିଲା ତିସ୍ତା ନଦୀ ପ୍ରକଳ୍ପ । ବାଂଲାଦେଶରେ ତିସ୍ତା ନଦୀର ସଂରକ୍ଷଣ ଓ ପରିଚାଳନା ଉପରେ ଏକ ବୈଷୟିକ ଟିମ୍ ଖୁବ୍ ଶୀଘ୍ର ଆଲୋଚନା ପାଇଁ ବାଂଲାଦେଶ ଗସ୍ତ କରିବ। ଚୀନ୍ ମଧ୍ୟ ପରୋକ୍ଷରେ ଏହି ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଏହି ମେଗା ପ୍ରକଳ୍ପର ମହତ୍ତ୍ୱ ବୃଦ୍ଧି ପାଇଛି। ଏହାକୁ ଭାରତର କୂଟନୈତିକ ବିଜୟ ବୋଲି କୁହାଯାଉଛି । ଏହି ପ୍ରକଳ୍ପରେ ତିସ୍ତା ନଦୀ ଜଳର ପରିଚାଳନା ଏବଂ ସଂରକ୍ଷଣ ପାଇଁ ଏକ ବୃହତ ଜଳଭଣ୍ଡାର ନିର୍ମାଣ ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତିସ୍ତା ଜଳ ବଣ୍ଟନ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଅଟକି ରହିଥିବା ପ୍ରସ୍ତାବ ମଧ୍ୟରେ ଏହି ପ୍ରକଳ୍ପ ଉପରେ ଏହି ପଦକ୍ଷେପ ନିଆଯାଇଛି।
ସେହିପରି ୧୯୯୬ ଗଙ୍ଗା ଜଳ ଚୁକ୍ତିର ନବୀକରଣ ପାଇଁ ଦୁଇଦେଶ ବୈଷୟିକ ସ୍ତରରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ମୋଦୀ ତାଙ୍କ ଗଣମାଧ୍ୟମ ବିବୃତିରେ କହିଛନ୍ତି ।
Follow Us