Image Courtesy of India Today
ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’କୁ (ଆର୍ଏସ୍ଏସ୍) ଭାରତର କୌଣସି ପ୍ରତିଷ୍ଠାନ ଉପରେ ନିୟନ୍ତ୍ରଣ ଜାହିର କରିବାକୁ ଛାଡ଼ିବ ନାହିଁ କି, ଗଣତନ୍ତ୍ରର ହତ୍ୟାକୁ ସହ୍ୟ କରିବ ନାହିଁ ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ନର୍ୱେର ‘ଅଜ୍ଲୋ ବିଶ୍ବବିଦ୍ୟାଳୟ’ରେ ଉଦ୍ବୋଧନ ଦେବା ବେଳେ କହିଛନ୍ତି।
ଚଳିତ ମାସ ପ୍ରାରମ୍ଭରେ ରାହୁଲ୍ ଗାନ୍ଧୀ ଉକ୍ତ ପ୍ରତିଷ୍ଠାନକୁ ଗସ୍ତ କରିଥିବା ସମୟର ଯେଉଁ ଭିଡିଓ କ୍ଲିପ୍ କଂଗ୍ରେସ ସେୟାର୍ କରିଛି ସେଥିରେ ରାହୁଲ୍ ଗାନ୍ଧୀ ଉପରୋକ୍ତ କଥା କହିଛନ୍ତି। ସେଥିରେ ସେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଉଦ୍ଦେଶ୍ୟଗୁଡ଼ିକ ଉପରେ ବି ଗୁରୁତ୍ବାରୋପ କରିଛନ୍ତି।
ରାହୁଲ୍ କହିଛନ୍ତି, ଯେଉଁ ଦଳର ହୋଇ ଥାଆନ୍ତୁ ନା କାହିଁକି, ଆମେ ଗଣତନ୍ତ୍ରର ହତ୍ୟା ସହ୍ୟ କରିବୁ ନାହିଁ ବୋଲି ମେଣ୍ଟର ପ୍ରତ୍ୟେକ ବ୍ୟକ୍ତି ସମ୍ମତି ଦେଇଛନ୍ତି। ଦ୍ବିତୀୟତଃ, ‘ଆର୍ଏସ୍ଏସ୍’କୁ ଦେଶର ପ୍ରତିଷ୍ଠାନିକ ବ୍ୟବସ୍ଥା ଉପରେ ପ୍ରଭୁତ୍ବ ବିସ୍ତାର କରାଇ ଦେବୁ ନାହିଁ ବୋଲି ମଧ୍ୟ ସଭିଏଁ ମତବ୍ୟକ୍ତ କରିଛନ୍ତି।
Image Courtesy of Deccan Heraldରାହୁଲ୍ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭାରତରେ ୨/୩ଟି ବ୍ୟାବସାୟିକ ପ୍ରତିଷ୍ଠାନର ଏକଚାଟିଆ ବ୍ୟବସାୟ ଚାଲିଛି ଏବଂ ଗତ ୯ ବର୍ଷ ହେବ ୨୦୦ ନିୟୁତ ଜନତା ଦରିଦ୍ର ହୋଇଯାଇଛନ୍ତି।
ତୃତୀୟତଃ, ସରକାର ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଅଧିକ ବ୍ୟୟ କରିବା ସହିତ ସେଥିରେ ସମ୍ପୃକ୍ତ ରହିବ ବୋଲି ଆମେ ସମସ୍ତେ ଏକମତ ହୋଇଛୁ। ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଭଳି କେତେକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କୁ ଭାରତର ଅଭିବୃଦ୍ଧିରେ ସାମିଲ କରାଯାଇନାହିଁ।
ସେହିପରି, ସେ ମଧ୍ୟ କହିଛନ୍ତି ଯେ, କେତେଗୁଡ଼ିଏ ରାଜ୍ୟରେ ‘ଇଣ୍ଡିଆ ମେଣ୍ଟ’ରେ ମତାନ୍ତର ରହିଛି। ଏ ପ୍ରସଙ୍ଗରେ ସେ କେରଳ ରାଜ୍ୟର ଦୃଷ୍ଟାନ୍ତ ଦେଇ କହିଲେ ଯେ, କଂଗ୍ରେସ ବାମ ଦଳ ସହିତ ତୀବ୍ର ପ୍ରତିଦ୍ବନ୍ଦ୍ବିତା କରୁଥିଲେ ବି ତା’ର ଉଦ୍ଦେଶ୍ୟ ହେଉଛି ସେ ରାଜ୍ୟରେ ‘ବିଜେପି’ କ୍ଷମତାସୀନ ନ ହେଉ।
ଆଉ କେତେକ ରାଜ୍ୟରେ ମତାନ୍ତର ଟିକେ ଜଟିଳ ପରିସ୍ଥିତିରେ ରହିଛି ବୋଲି ସେ କହିଛନ୍ତି।
Follow Us