ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ବିଶ୍ବବିଦ୍ୟାଳୟ ନିଜ ଷ୍ଟଲ୍‌ରେ ନିଜ ପ୍ରସ୍ତୁତ ଏକ ରୋବଟ୍‌କୁ ନିଜର ଉତ୍ପାଦ ଭାବେ ପ୍ରଦର୍ଶନ କରି ହଟହଟା ହୋଇଛି। ବିଶ୍ବବିଦ୍ୟାଳୟକୁ ଷ୍ଟଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟ ଷ୍ଟଲ୍‌ର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। କିଛି ସମୟ ପରେ ଷ୍ଟଲ୍‌ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇପଡ଼ିଥିଲା।ଏଆଇ ସମିଟ୍‌ରେ ଗାଲ୍‌ଗୋଟିଆସ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଓରିଅନ୍‌’ ନାମରେ ଏକ କୁକୁର ଭଳି ଦେଖାଯାଉଥିବା ଏକ ରୋବଟ୍‌ ପ୍ରଦର୍ଶନ କରାଯାଇଥିଲା। ତାହା ଚୀନର କମ୍ପାନି ୟୁନିଟ୍ରି ଦ୍ବାରା ପ୍ରସ୍ତୁତ ଏକ ୟୁନିଟ୍ରି ଜିଓ୨ ବୋଲି ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ବିଶ୍ବବିଦ୍ୟାଳୟକୁ ତୀବ୍ର ନିନ୍ଦା କରାଯାଇଥିଲା। ଆମଦାନୀ କରାଯାଇଥିବା ରୋବଟ୍‌କୁ ନିଜର ନବସୃଜନ ଭାବେ ବିଶ୍ବବିଦ୍ୟାଳୟ ଦର୍ଶାଇଥିଲା। ଏହି ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିବାକୁ ଭୁଲି ନଥିଲେ। ଇଣ୍ଡିଆ ଏଆଇ ସମିଟ୍‌କୁ ଚୀନ୍‌ ଉତ୍ପାଦ ପ୍ରଦର୍ଶନ ପାଇଁ ଆୟୋଜନ କରାଯାଇଥିବା କହି ସେମାନେ ତାଚ୍ଛଲ୍ୟ କରିଥିଲେ।

Advertisment

ଅଧିକପଢ଼ନ୍ତୁ:ଇମ୍ରାନ ଖାନଙ୍କୁ ମାରିବା ପାଇଁ ଜେଲରେ ଚାଲିଛି ଷଡ଼ଯନ୍ତ୍ର, ଭଉଣୀ ଆଣିଲେ ଅଭିଯୋଗ

ଚୀନ୍‌ରେ ପ୍ରସ୍ତୁତ ଏହି ରୋବଟ୍‌କୁ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ବିଶ୍ବବିଦ୍ୟାଳୟର ୩୫୦ କୋଟି ଟଙ୍କାର ଏଆଇ ଅଭିଯାନରୁ ସୃଷ୍ଟି ହୋଇଥିବା ଉତ୍ପାଦ ବୋଲି ଦାବି କରିଥିଲେ। ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଚୀନ୍‌ର ଏକ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଉକ୍ତ ଉତ୍ପାଦ ଚୀନ୍‌ର ବୋଲି ଦାବି କରିବା ପରେ ବିଶ୍ବବିଦ୍ୟାଳୟର ଅସଲ ମୁଖା ଖୋଲିଯାଇଥିଲା। ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ସେହି ରୋବଟ୍‌ର ଏକ ଭିଡିଓ ସେୟାର କରିଥିଲେ।

ରୋବୋଟିକ୍‌ କୁକୁର ବିକାଶ କରିଥିବା ନେଇ ବିଶ୍ବବିଦ୍ୟାଳୟ କେବେବି ଦାବି କରି ନଥିଲା

ତେବେ ଏହି ମାମଲାରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି ଯେ ଏହି ରୋବୋଟିକ୍‌ କୁକୁର ବିକାଶ କରିଥିବା ନେଇ ବିଶ୍ବବିଦ୍ୟାଳୟ କେବେବି ଦାବି କରି ନଥିଲା। ଏହାକୁ ଏକ ଶିକ୍ଷଣୀୟ ଟୁଲ୍‌ ଭାବେ ପ୍ରଦର୍ଶନ କରାଯାଇଛି। ଗାଲ୍‌ଗୋଟିଆସ୍‌ରେ କେବେବି ରୋବୋଡଟ୍‌ ତିଆରି କରାଯାଇନାହିଁ। ଆମେ କେବେବି ସେଭଳି ଦାବି କରିନାହୁଁ। ଆମ ଛାତ୍ରଛାତ୍ରୀମାନେ ଏହା ଉପରେ ପରୀକ୍ଷଣ କରୁଛନ୍ତି।

ସମଗ୍ର ବିଶ୍ବରୁ ଆସିଥିବା ପ୍ରତିନିଧିଙ୍କ ସମ୍ମୁଖରେ ଏକ ଚୀନ ରୋବଟ୍‌କୁ ନିଜର ବୋଲି କହି ଉପସ୍ଥାପନ କରିବା ଭାରତର ଛବିକୁ ମଳିନ କରିଛି। ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍‌ ନିତୀନ କୁମାର ଗୌର ସବୁ ଦୋଷ ପ୍ରଫେସର ନେହା ସିଂହଙ୍କ ଉପରେ ଲଦି ଦେଇଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣାକ୍ରମ ପାଇଁ ନିଜେ ଦାୟୀ ବୋଲି ନେହା କହିବା ସହ ଭୁଲ ବାର୍ତ୍ତାକୁ ଭଲ ଭାବେ ଉପସ୍ଥାପନ କରିପାରିନଥିବା କହିଛନ୍ତି। ଆମେ ଏହାକୁ ତିଆରି କରିଥିଲୁ ବୋଲି ମୁଁ କେବେବି କହିନାହିଁ ବୋଲି ନେହା ସଫେଇ ଦେଇଛନ୍ତି।

ଅଧିକପଢ଼ନ୍ତୁ:ଅପରେସନରେ ୯୨୪ ଜଣଙ୍କ ମୃତ୍ୟୁ ନେଇ ମାନବାଧିକାର କମିସନ କଠୋର