Deccan Herald
ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ ସଂକ୍ରମଣ ଏବେ ଅତି ଉଗ୍ର ରୂପ ଧାରଣ କରିଛି। ୪୧ ଲକ୍ଷରୁ ଅଧିକ ଲୋକ ଏପର୍ଯ୍ୟନ୍ତ ସଂକ୍ରମଣର ଶିକାର ହୋଇଥିବାବେଳେ ୭୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ବିଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାର ୬୩୨ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୧୦୬୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ସହିତ ଭାରତ ବିଶ୍ବରେ ଦ୍ବିତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ପାଲଟି ଯାଇଛି।
ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୧ ,୧୩,୮୧୧ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୭୦ ହଜାର ୬୨୬ ଲୋକ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଗତ ୧୦ ଦିନରେ ୧୦ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଦେଶରେ ଏବେ ୮, ୬୨,୩୨୦ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି। ଆଜି ସୁଦ୍ଧା ୩୧, ୮୦, ୮୬୫ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି।
ବିଶ୍ବ ସ୍ତରରେ ଆମେରିକା ପରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଅତିକ୍ରମ କରିଯାଇଛି ଏବଂ ୧ଲକ୍ଷ ୯୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବ୍ରାଜିଲ୍ରେ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷରୁ ଅଧିକ ରହିଛି। ସେମାନଙ୍କ ମଧ୍ୟରୁ ୩୪ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଥିବାବେଳେ ୫ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି।
ଭାରତରେ ଏବେ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଏବଂ ଏଠାରେ ୮ ଲକ୍ଷ ୬୩ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି। ଏହି ରାଜ୍ୟରେ ୨୬ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି। ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ବିହାର ରହିଛନ୍ତି। ତେବେ ଦେଶରେ ୫ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୩୫ଟି ଜିଲ୍ଲାରେ ଲଗାତାର ସଂକ୍ରମଣ ବଢ଼ୁଥିବାରୁ ଏସବୁ ଜିଲ୍ଲାମାନଙ୍କରେ ଟେଷ୍ଟିଂ ବଢ଼ାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ସମସ୍ତ ୧୧ଟି ଜିଲ୍ଲା, ପଶ୍ଚିମବଙ୍ଗରେ କୋଲକାତା, ହାୱଡ଼ା, ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣା, ମହାରାଷ୍ଟ୍ରରେ ପୁନେ, ନାଗପୁର, ଥାନେ, ମୁମ୍ବାଇ ସମେତ ୧୭ଟି ଜିଲ୍ଲା, ଗୁଜରାଟର ସୁରତ୍, ପୁଡ଼ୁଚେରୀର ପଣ୍ଡିଚେରୀ ଏବଂ ଝାଡ଼ଖଣ୍ଡରେ ପୂର୍ବ ସିଂହଭୂମିରେ ଅଧିକ ସଂକ୍ରମଣ ବଢ଼ୁଥିବାରୁ ଏସବୁ ଜିଲ୍ଲାମାନଙ୍କରେ ଅଧିକ ଟେଷ୍ଟିଂ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ଜିଲ୍ଲାମାନଙ୍କରେ ଟେଷ୍ଟିଂ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Follow Us