ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ମାଲେସିଆରେ ଚାଲିଥିବା ଚକ୍ରାନ୍ତ ଭଣ୍ଡୁର; ମାଷ୍ଟର ମାଇଣ୍ଡ ଜଣେ ମହିଳା

Advertisment
ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ମାଲେସିଆରେ ଚାଲିଥିବା ଚକ୍ରାନ୍ତ ଭଣ୍ଡୁର; ମାଷ୍ଟର ମାଇଣ୍ଡ ଜଣେ ମହିଳା

Image Courtesy of MSN

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ନେତୃତ୍ୱରେ ମାଲେସିଆସ୍ଥିତ ଏକ ରୋହିଙ୍ଗିଆ ସଙ୍ଗଠନର ଦଳେ ଆତଙ୍କବାଦୀ ଭାରତରେ ଆକ୍ରମଣ କରିବାର ଚକ୍ରାନ୍ତକୁ ଭାରତୀୟ ଗୁଇନ୍ଦା ପ୍ରତିଷ୍ଠାନ ଭଣ୍ଡୁର କରିଥିବା ଜଣାପଡ଼ିଛି। ଏ କଥା ଦର୍ଶାଇ ଭାରତୀୟ ଗୁଇନ୍ଦା ସଂସ୍ଥା ଇସ୍‌ଲାମୀୟ ଧର୍ମପ୍ରବକ୍ତା ଜାକିର ନାଇକଙ୍କ ସହ ସମ୍ପୃକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନେଣଦେଣ ପ୍ରକ୍ରିୟାକୁ ବନ୍ଦ କରାଇଛି।

ଗୁଇନ୍ଦା ଏଜେନ୍‌ସି କହିଛି ଯେ, ମିଆଁମାର୍‌ରେ ତାଲିମପ୍ରାପ୍ତ ଜଣେ ମହିଳାଙ୍କ ନେତୃତ୍ୱାଧୀନ ଆତଙ୍କବାଦୀ ଦଳ ଆସନ୍ତା ଅଳ୍ପ କେତେ ସପ୍ତାହ ମଧ୍ୟରେ ଏକ ଭାରତୀୟ ସହରରେ ଆକ୍ରମଣ କରିବାକୁ ଉଦ୍ୟମ କରିପାରନ୍ତି।

ଏ ନେଇ  ଶୁକ୍ରବାର  ଦିଲ୍ଲୀ, ହରିୟାଣା, ୟୁପି, ବିହାର ଏବଂ ପଶ୍ଚିମବଙ୍ଗ ରାଜ୍ୟର ପୁଲିସ ଏବଂ ଗୁଇନ୍ଦା ବ୍ୟୁରୋଙ୍କୁ ସୂଚନା ଦିଆଯାଇଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ଅଯୋଧ୍ୟା, ବୋଧଗୟା, ପଞ୍ଜାବ ଏବଂ ଶ୍ରୀନଗରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଏହି ସୂଚନାରେ ଉଲ୍ଲେଖ ରହିଛି।

publive-image Image Courtesy of iStock

ଗୁଇନ୍ଦା କାଗଜପତ୍ରରୁ ଜଣାପଡ଼ିଛି ଯେ, କୁଆଲାଲମ୍ପୁରରେ ଅବସ୍ଥିତ ରୋହିଙ୍ଗିଆ ନେତା ମହମ୍ମଦ ନାସୀର ଏବଂ ବିବାଦୀୟ ଇସ୍‌ଲାମୀୟ ଧର୍ମପ୍ରବକ୍ତା ଜାକିର ନାଇକଙ୍କ ମଧ୍ୟରେ ପ୍ରାୟ ଦୁଇ ଲକ୍ଷ ଡଲାର୍‌ର ଆର୍ଥିକ ଦେଣନେଣ ଚାଲିଥିଲା। ଭାରତକୁ କେନ୍ଦ୍ର କରି ଏହି ସନ୍ଦିଗ୍ଧ ଆର୍ଥିକ ଦେଣନେଣ କରାଯାଉଥିଲା।

ଚେନ୍ନାଇର ଜଣେ ସନ୍ଦିଗ୍ଧ (ସମ୍ଭବତଃ ଜଣେ ହାଓ୍ଵଲା ଡିଲର୍‌) ଏହି ଅର୍ଥରାଶିରୁ କିଛି ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ଅଧିକ ଅନୁସନ୍ଧାନ କରି ଭାରତୀୟ ଗୁଇନ୍ଦା ଜାଣିବାକୁ ପାଇଛନ୍ତି ଯେ, ବାଂଲାଦେଶ ଦେଇ ଡିସେମ୍ବର ମଧ୍ୟଭାଗ କିଂବା ଶେଷ ଆଡ଼କୁ ଭାରତକୁ ଏହି ଆତଙ୍କବାଦୀ ଦଳ ଅନୁପ୍ରବେଶ କରିଥାଆନ୍ତେ।

ଏହି ଆକ୍ରମଣ ଲାଗି ମିଆଁମାରରେ ତାଲିମ ପାଇଥିବା ଉକ୍ତ ମହିଳା ଆତଙ୍କବାଦୀ ନେତ୍ରୀଜଣକଙ୍କର ମୂଳ ନିବାସ ଏବଂ ପରିଚୟ ବାବଦରେ ବିଶେଷ କିଛି ଜଣାପଡ଼ିନାହିଁ। କିନ୍ତୁ, ଏ ବର୍ଷ ପ୍ରାରମ୍ଭରେ ତାଙ୍କୁ ମାଲେସିଆରୁ ମିଆଁମାର୍‌ ପଠାଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe