ଆଉ ମାତ୍ର ୧୩ ବର୍ଷ ପରେ ଭାରତ ବନିବ ପୃଥିବୀର ଦ୍ବିତୀୟ ବୃହତ୍ ଅର୍ଥନୀତି

ଏକ ରିପୋର୍ଟ ଅନୁସାରେ, ଭାରତ କ୍ରୟ ଶକ୍ତି ସମାନତା (ପିପିପି) ଦୃଷ୍ଟିରୁ ୪୩.୨ ଟ୍ରିଲିୟନ୍‌ ଆମେରିକୀୟ ଡଲାରର ମୋଟ ଘରୋଇ ଉତ୍ପାଦ (ଜିଡିପି) ସହିତ ୨୦୩୮ ସୁଦ୍ଧା ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହୋଇପାରିବ।

New Project (9)

ନୂଆଦିଲ୍ଲୀ: ବିଶ୍ୱ ଅନିଶ୍ଚିତତା ଏବଂ ଭାରତ ଉପରେ ଆମେରିକାର ଶୁଳ୍କ ପ୍ରହାର ଭିତରେ ଭାରତ ପାଇଁ ଏକ 'ଖୁସି ଖବର' ରହିଛି। ଇୱାଇର ଏକ ରିପୋର୍ଟ ଅନୁସାରେ, ଭାରତ କ୍ରୟ ଶକ୍ତି ସମାନତା (ପିପିପି) ଦୃଷ୍ଟିରୁ ୪୩.୨ ଟ୍ରିଲିୟନ୍‌ ଆମେରିକୀୟ ଡଲାରର ମୋଟ ଘରୋଇ ଉତ୍ପାଦ (ଜିଡିପି) ସହିତ ୨୦୩୮ ସୁଦ୍ଧା ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହୋଇପାରିବ। ତେବେ ଆପଣ ଜାଣନ୍ତି ନିଶ୍ଚୟ ଯେ, ଇୱାଇ ରିପୋର୍ଟ ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଦ୍ୱାରା କରାଯାଇଥିବା ଆକଳନ ଉପରେ ଆଧାରିତ।

ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଜନସଂଖ୍ୟା। ସଞ୍ଚୟ ହାର ଦୃଷ୍ଟିରୁ ଭାରତ ମଧ୍ୟ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି। ସରକାରଙ୍କ ଋଣ-ଜିଡିପି ଅନୁପାତ ୨୦୨୪ ମସିହାରେ ୮୧.୩ ପ୍ରତିଶତରୁ ୨୦୩୮ ସୁଦ୍ଧା ୭୫.୮ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି, ଯେତେବେଳେ ଏହାର ପ୍ରତିପକ୍ଷ ଦେଶଗୁଡ଼ିକରେ ଋଣ ସ୍ତର ବୃଦ୍ଧି ପାଉଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଏହି ଅନୁପାତ ଦର୍ଶାଏ ଯେ ଏକ ଦେଶର ବାର୍ଷିକ ଉତ୍ପାଦନ ତୁଳନାରେ କେତେ ଋଣ ଅଛି ଏବଂ ଏହି ଋଣ ପରିଶୋଧ କରିବାର କ୍ଷମତା କେତେ ଅଛି। ଏହା ଏକ ଦେଶର ଆର୍ଥିକ ଅବସ୍ଥାକୁ ସୂଚୀତ କରେ। ଏକ ଆଇଏମଏଫ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୨୦.୭ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିପାରେ।

ଅନ୍ୟପକ୍ଷରେ ଭାରତରେ ସର୍ବାଧିକ ଯୁବ ଜନସଂଖ୍ୟା ଅଛି, ଘରୋଇ ଚାହିଦା ବଢ଼ୁଛି ଏବଂ ଜିଡିପି-ଋଣ ମଧ୍ୟରେ ଏକ ସନ୍ତୁଳନ ରହିଛି, ଯାହା ଏହାର ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe